ସହରିଆଙ୍କ ପ୍ରଥମ ପସନ୍ଦ ଆଦିବାସୀ ମେଳାର ଜଙ୍ଗଲଜାତ ଦ୍ରବ୍ୟ

ସହରିଆଙ୍କୁ ଟାଣୁଛି ଜଙ୍ଗଲଜାତ ଦ୍ରବ୍ୟ

ଭୁବନେଶ୍ୱର: ପିଣ୍ଡିମାନଙ୍କରେ ଶୋଭା ପାଉଛି ସୋରିଷ, ହଳଦୀ, ଅଦା, କାନ୍ଦୁଲ, ମହୁ, ଝୁଣା, ରାଶି, ପେଶି, ପାଳୁଅ ଆଦି ବନଜାତ ଦ୍ରବ୍ୟର ବିଶାଳ ପସରା। ବଣ୍ଡା, ଜୁଆଙ୍ଗ, ଭୁଞ୍ଜିଆ, ପରଜା, ସାନ୍ତାଳ ଓ କନ୍ଧଙ୍କ ପାରମ୍ପରିକ କୁଡ଼ିଆ, ଠାକୁର ଘର, ଅସ୍ତ୍ରଶସ୍ତ୍ର ଓ କୃଷି ଉପକରଣ ପ୍ରଦର୍ଶିତ ହେଉଛି। ଫୁଲ ବଡ଼ି ହେଉ ବା କଖାରୁ ବଡ଼ି ପୁଣି ଫୁଲଝାଡ଼ୁଠାରୁ ସବାଇ ଘାସ ପ୍ରସ୍ତୁତ ସପ, ଆସନ ଓ ଘରସଜ୍ଜା ସାମଗ୍ରୀ ସହରିଆଙ୍କୁ ଆକର୍ଷିତ କରୁଛି। ଅତ୍ୟାଧୁନିକ ସହରୀ ସଭ୍ୟତାରେ ଶୁଦ୍ଧ ଜଙ୍ଗଲଜାତ ଦ୍ରବ୍ୟ ପାଇବା ଆଶାରେ ଏବେ ଆଦିବାସୀ ମେଳାମୁହାଁ ହୋଇଛନ୍ତି ରାଜଧାନୀବାସୀ।
ଆକର୍ଷଣ ସାଜିଛି ‘ଆଦିବାସୀ ଗ୍ରାମ’
ବଣ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକର ଅବିକଳ ରୂପ ଶୋଭା ପାଉଛି ଆଦିବାସୀ ପଡ଼ିଆରେ। ମେଳା ପରିସରରେ ୧୦ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ଘରର ମଡେଲ ପ୍ରଦର୍ଶିତ ହୋଇଛି। ଏଥିରେ ପରମ୍ପରା ସହିତ ପ୍ରଗତିର ଝଲକ ଦେଖିବାକୁ ମିଳୁଛି। ଏଥିମଧ୍ୟରେ ନୂଆପଡ଼ା ଜିଲ୍ଲା ଚୁକୁଟିଆ ଭୁଞ୍ଜିଆଙ୍କ ଘର ପାରମ୍ପରିକ ସାଜସଜ୍ଜାରେ ବିକାଶର ବାର୍ତ୍ତା ବଖାଣୁଛି। ଏହି ଜନଜାତିର ଲାଲ ବଙ୍ଗଳା କେବଳ ସଂସ୍କୃତି ଦୃଷ୍ଟିରୁ ମହାନ୍‌ ନୁହେଁ, ବରଂ ଏମାନଙ୍କ ରକ୍ଷଣଶୀଳତାକୁ ବି ପ୍ରଦର୍ଶିତ କରୁଛି। ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳସ୍ଥ କୁଟିଆ କନ୍ଧ ଘର ଓ ବେଲଘରଙ୍କ କୁଟିଆ କନ୍ଧ ଘର ଭିତରେ ନିର୍ମାଣଗତ ସାମଞ୍ଜସ୍ୟ ଥିଲେ ମଧ୍ୟ ସୌନ୍ଦର୍ଯ୍ୟାନୁଭବରେ ବେଶ୍‌ ଅଲଗା। ଏହି ଦୁଇ କନ୍ଧ ଘର ଅଞ୍ଚଳ ଭେଦରେ ସାଂସ୍କୃତିକ ବିବିଧତାକୁ ସୂଚାଉଛି। ସେହିପରି ଗଜପତି ଜିଲ୍ଲା ଓ ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳର ସଉରା ଓ ଲାଞ୍ଜିଆ ସଉରା ଘର ନିର୍ମାଣଶୈଳୀରେ ସମାନତା ଥିଲେ ମଧ୍ୟ ଇଡିତାଲ ଚିତ୍ରର ବିବିଧ ବୈଚିତ୍ର୍ୟ, ସ୍ୱତନ୍ତ୍ର ଅନୁଭବ ଆଣିଦେଉଛି। ଡଙ୍ଗରିଆ କନ୍ଧମାନଙ୍କ ନିଜସ୍ୱ ନିର୍ମାଣଶୈଳୀ ଦର୍ଶକଙ୍କୁ ଆକର୍ଷିତ କରିବାରେ ଲାଗି ଥିବା ବେଳେ ପାହାଡ଼ି ଖଡ଼ିଆମାନଙ୍କର ଗୃହ ନିର୍ମାଣ ବେଶ୍‌ ସୁନ୍ଦର ହୋଇଛି। ବଣ୍ଡାମାନଙ୍କ ମଧ୍ୟ ଗୃହ ନିର୍ମାଣରେ, ପରମ୍ପରା ସହିତ ପ୍ରଗତି ଝଲସୁଛି। ଆଦିବାସୀ ମେଳାରେ ପ୍ରଦର୍ଶିତ ପ୍ରାଚୀନ ଜନଜାତିଙ୍କ ଗ୍ରାମ ଦର୍ଶକଙ୍କ ପ୍ରମୁଖ ଆକର୍ଷଣ ପାଲଟିଛି। ଯୁବପିଢ଼ିମାନେ ଏହା ଆଗରେ ସେଲ୍‌ଫି ନେବାକୁ ଭୁଲନାହାନ୍ତି।
ଚାହିଦାରେ ଚୁକୁଟିଆ ଭୁଞ୍ଜିଆଙ୍କ ‘ଷ୍ଟ୍ରବେରି’
ବିଭିନ୍ନ ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ସହାୟତାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ମେଳାରେ ପସରା ମେଲାଇଛନ୍ତି। ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା ବାସମତି ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଦର୍ଶକଙ୍କ ଆଗ୍ରହ ପରିଲକ୍ଷିତ ହେଉଛି। ସେହିପରି ବଡ଼ି, ପାମ୍ପଡ଼, ଆଚାର, ହଳଦୀ ଗୁଣ୍ଡ ଓ ଫୁଲ ଝାଡ଼ୁ ଆଦି କିଣିବା ପାଇଁ ଗହଳି ଲାଗୁଛି। ମେଳାର ଅନ୍ୟତମ ବିଶେଷ ଆକର୍ଷଣ ହେଉଛି ଚୁକୁଟିଆ ଭୁଞ୍ଜିଆ ଘର ପାଖରେ ଚୁକୁଟିଆ ଭୁଞ୍ଜିଆମାନଙ୍କ ଦ୍ୱାରା ଉତ୍ପାଦିତ ‘ଷ୍ଟ୍ରବେରି’। ଓପିଇଏଲ୍‌ଆଇପିର ବୈଷୟିକ ଜ୍ଞାନକୌଶଳ ସହାୟତାରେ ଏହି ଜନଜାତିର ଚାଷୀମାନେ ଉନ୍ନତଧରଣର ଷ୍ଟ୍ରବେରି ଚାଷ କରି ତା’ର ବିପଣନ ସୁନ୍ଦର ଭାବରେ କରିପାରୁଛନ୍ତି। ସ୍ୱାଦିଷ୍ଟ ଷ୍ଟ୍ରବେରି ସୁଲଭ ମୂଲ୍ୟରେ ମିଳୁ ଥିବାରୁ ଲୋକଙ୍କ ଆଗ୍ରହ ବଢ଼ୁଛି।
ବିଭିନ୍ନ ତେଲର ବିକ୍ରି ଅଧିକ
ଆଇଟିଡିଏ ଦ୍ୱାରା ୬୨ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରୁଛନ୍ତି। ୧୭ଟି ଷ୍ଟଲ ଅଣୁପ୍ରକଳ୍ପ ଅଧୀନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆବଣ୍ଟିତ ହୋଇଛି। ଆଦିବାସୀ ହାଟରେ କଞ୍ଚା ହଳଦୀ, ହଳଦୀ ଗୁଣ୍ଡ, ଗୋଟା ହଳଦୀ, ଝୁଣା, ଚଣା, ସିକାକାଇ, ମୁଗ, ବିରି, ହରଡ଼, ସୋରିଷ, ଜିରା, ଫୁଲଝାଡ଼ୁ, ଡାଲଚିନି, ଅଳେଇଚ, ଗୁଜୁରାତି, ତେଜପତ୍ର, ଲଙ୍କା, ମେଥିପତ୍ର, ହରିଡ଼ା, ବାହାଡ଼ା, ଅଁଳା, ଛୋଟ ଆଳୁ, ନାଲି ଚାଉଳ, ବଡ଼ି, ପାମ୍ପଡ଼, ମାଣ୍ଡିଆ, ଧୂପକାଠି, ଶିମ୍ବମଞ୍ଜି, ତେନ୍ତୁଳି, ରାଶି ତେଲ, ନିମ୍ବ ତେଲ, ନଡ଼ିଆ ତେଲ, କୁସୁମ ତେଲ, ଖଜୁରି, ବରକୋଳି, ଗୋଲମରିଚ, ଶୁଖିଲା ଆମ୍ବୁଲ, ଝୁଡ଼ଙ୍ଗ ମଂଜି, ଗୋଟା ଧନିଆ, ତଡ୍‌କା ଡାଲି, ପିପଳି, ଶୁଣ୍ଠି, ପନିର ଫଳ, ପଣସ କଠା, ଗୁଗୁଳ, ଅର୍ଜୁନ ଛାଲି, ମକା, ମାଟିଆଳୁ, କଖାରୁ, ଅମୃତଭଣ୍ଡା, ପିତାଜାମୁ, ଅଦା, ଆଖୁଗୁଡ଼, ଆଖୁ ଓ ଖଜୁରି ମିଶା ଗୁଡ଼, ଆଚାର ଆଦି ବିକ୍ରି ହେଉଛି। କଳାହାଣ୍ଡି ହଳଦୀ, ଅଦା, ଲଙ୍କାଗୁଣ୍ଡ ଆଦି ଅଧିକ ଚାହିଦାରେ ରହିଥବା ବେଳେ ଘରୋଇ ତଥା ବିଭିନ୍ନ ଘରୋଇ ଉପଚାର ପାଇଁ ରାଶି ତେଲ, ନିମ୍ବ ତେଲ, ନଡ଼ିଆ ତେଲ, କୁସୁମ ତେଲ ବିକ୍ରି ଅଧିକ ହେଉଛି।

Share Now:

Kalinga News Beuro

Next Post

ଦ୍ଵିତୀୟ ଥର ବିବାହ କଲେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Sun Feb 26 , 2023
ଭବାନୀପାଟଣା: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ଦ୍ଵିତୀୟ ଥର ପାଇଁ ବିବାହ ବେଦୀରେ ବସିଛନ୍ତି। ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ଜଣେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରି ନୂଆ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି। ଉଭୟ ବର ଓ କନ୍ୟା ପକ୍ଷରୁ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ […]
ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial