ଖଣ୍ଡଗିରି ମେଳାରେ ଉଚ୍ଚଶିକ୍ଷିତ ସାଧୁସନ୍ଥ : ଇଂଜିନିୟର, ଡାକ୍ତର ସହିତ ଅଛନ୍ତି ଏମ୍‌ବିଏ ଡିଗ୍ରିଧାରୀ

ଖଣ୍ଡଗିରି ମେଳାରେ ଉଚ୍ଚଶିକ୍ଷିତ ସାଧୁସନ୍ଥ

ସିଦ୍ଧି ପାଇଁ ବହୁରାଷ୍ଟ୍ରୀୟ କମ୍ପାନିର ବଡ଼ ଚାକିରି ବି ଛାଡ଼ିଛନ୍ତି

ଖଣ୍ଡଗିରି : ବିଜ୍ଞାନରେ ସ୍ନାତକ ସହିତ ଆର୍ୟୁବେଦରେ ଏମ୍‌ଡି। ମଧ୍ୟପ୍ରଦେଶ ସ୍ଥିତ ଏକ ଗାଁର ଜମିଦାର ପରିବାରର ପୁଅ। ଯୌବନବେଳେ ନିଜ ଗୁଣ୍ଡା ପ୍ରକୃତି ଯୋଗୁଁ ପରିବାରକୁ ଦିନେ ଅଥୟ କରିଦେଇଥିବା ବ୍ୟକ୍ତି ମୋକ୍ଷ ସନ୍ଧାନରେ ନାଗା ସାଧୁ ପାଲଟି ଯାଇଇଛନ୍ତି। ସେ ହେଲେ ମହନ୍ତ ମୋହନଗିରିର ନାଗା ସନ୍ନ୍ୟାସୀ(୭୦)। ଏମ୍‌ବିଏ ପାଠ ପଢ଼ି ହାଇଦ୍ରାବାଦସ୍ଥିତ ବହୁରାଷ୍ଟ୍ରୀୟ କମ୍ପାନିରେ କାର୍ଯ୍ୟ କରି ମାସିକ ଏକ ଲକ୍ଷ ଟଙ୍କା ଦରମାର ଚାକିରି କରୁଥିଲେ। ତେବେ ହଠାତ୍ ଚାକିରି, ସ୍ତ୍ରୀ, ୨ ପୁଅଙ୍କୁ ଛାଡ଼ି ସନ୍ନ୍ୟାସ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ କାଳକ୍ରମେ ନାଗା ସନ୍ନ୍ୟାସୀ ପାଲଟି ଯାଇଥିଲେ। ଆଉ ଜଣେ ବାବା ହେଉଛନ୍ତି ଭୁବନେଶ୍ବରର ଅମର(୪୦)। ସ୍ବଚ୍ଛଳ ଚାଷୀ ପରିବାରର ପୁଅ, ୧୯୮୫ ମସିହାର ଇଂଜିନିୟରିଂ ଡିପ୍ଲୋମାଧାରୀ। ଏବେ କିନ୍ତୁ ସେ ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ଭୈରବକୁଣ୍ଡର ଅଗ୍ନିହୋତ୍ରୀ ଭୈରବାନନ୍ଦ ଭାବରେ ଜଣାଶୁଣା। ସେମାନଙ୍କ ସହିତ ଦିନତମାମ ଛିଡ଼ା ହୋଇ ରହୁଥିବା କାଶୀର ଷ୍ଟାଣ୍ଡିଂ ବାବା, ଦେହରେ ପାଉଁଶ ବୋଳି ହୋଇଥିବା ବମବମପୁରୀ ବାବା, ମହନ୍ତ ପ୍ରହଲ୍ଲାଦ ସମେତ କାହିଁରେ କେତେ ବାବା, ସନ୍ନ୍ୟାସୀ ମାଘ ମେଳା ଅବସରରେ ଖଣ୍ଡଗିରିକୁ ଛୁଟି ଆସିଛନ୍ତି। କୌପୀନ ପିନ୍ଧି, ଜଟାମାଳ ଧାରଣ କରି ହାତରେ ତ୍ରିଶୂଳ, ଡମ୍ବରୁ ଧରି ଖଣ୍ଡଗିରି ପାହାଡ଼ରେ ଯଜ୍ଞ କରୁଛନ୍ତି। ଆସିଥିବା ପ୍ରତ୍ୟେକ ସାଧୁଙ୍କ ନିଆରା କାହାଣୀ ରହିଛି। ଯାହାକି ଭାରତର ଧାର୍ମିକ ସଂସ୍କୃତିର ଏକ ଚିତ୍ର ପ୍ରଦର୍ଶିତ କରୁଛି।

ଏମାନେ କେବଳ ଭଗବାନଙ୍କ ବିଷୟରେ କହୁ ନାହାନ୍ତି ରାଜ୍ୟ, କେନ୍ଦ୍ର ସରକାରଙ୍କ ନୀତି ବିଷୟରେ ବି ଆଲୋଚନା କରିପାରୁଛନ୍ତି। ଘରର କଥା ପଚାରିଲେ ସାଧୁର କୌଣସି ଠିକଣା ନଥାଏ କହନ୍ତି କିନ୍ତୁ ମୋବାଇଲ, ଇଣ୍ଟରନେଟଠାରୁ ଦୂରେଇ ଯାଇ ନାହାନ୍ତି। ମହନ୍ତ ମୋହନ ଗିରି ନାଗା ସନ୍ନ୍ୟାସୀ କହନ୍ତି, ସେ ଖୁବ ଦୁଷ୍ଟ ଥିଲେ, ଅଚାନକ ତାଙ୍କ ବାପା ଜଣେ ନାଗା ସାଧୁଙ୍କ ସହିତ ତାଙ୍କୁ ଭେଟ କରାଇ ଦେଇଥିଲେ। ସେଦିନ କଣ ହେଲା କେଜାଣି ବୈରାଗ୍ୟ ଭାବ ହେଲା, ତାଙ୍କ ସହିତ ଚାଲି ଆସିଲେ ଯେ ଆଉ ଘରକୁ ଫେରି ନାହାନ୍ତି। ରିଦ୍ଧି, ସିଦ୍ଧି ପ୍ରାପ୍ତି ପାଇଁ ସାଧନା କଲେ। ଦିନଦିନ ଧରି ନ ଖାଇ ଗୁମ୍ଫାରେ ରହନ୍ତି, ଜଙ୍ଗଲରେ ବୁଲିଛନ୍ତି, ବରଫରେ କିଲୋମିଟର-କିଲୋମିଟର ଚାଲିଛନ୍ତି। ନାଗା ସାଧୁଙ୍କ ମଧ୍ୟରେ ବର୍ତ୍ତମାନ ସେ ଜମାତିଆ ମହନ୍ତର ଆଖ୍ୟା ପାଇଛନ୍ତି। ମଝିମଝିରେ ଓଡ଼ିଶା ଆସି ମଣ୍ଡଳ ଗଠନ କରୁଛନ୍ତି। ଏଠାରେ କିଛି ବ୍ୟକ୍ତି ମଣ୍ଡଳେଶ୍ବରୀ କହୁଛନ୍ତି। ଜୀବନରେ କୌଣସି ସମସ୍ୟା ହେଲେ ଚିକିତ୍ସା ଠାରୁ କୃଷି ଯାହା ପଚାରିଲେ ସେ ଉପଯୁକ୍ତ ମାର୍ଗ ଦେଖାଇ ପାରିବେ। ଏଥିପାଇଁ ଇଟାଲି, ବ୍ରିଟେନ, ଅଷ୍ଟ୍ରେଲିଆରେ ତାଙ୍କ ଶିଷ୍ୟ ଥିବା ମହନ୍ତ କହନ୍ତି। ଖଣ୍ଡଗିରି ପାହାଡ଼ରେ ଦୋଳି ସହାୟତାରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇଥିବା ଷ୍ଟାଣ୍ଡିଂ ବାବା ବା ମହନ୍ତ ନାଗା ଚନ୍ଦନ ଗିରି କହନ୍ତି ଉତ୍ତରପ୍ରଦେଶର ଚିତ୍ରକୂଟରେ ତାଙ୍କ ଜନ୍ମ। ଜନ୍ମ ସମୟରୁ ମା’ଙ୍କ ଦେହାନ୍ତ ହୋଇଛି, ଚତୁର୍ଥ ଶ୍ରେଣୀ ପଢୁଥିବା ବେଳେ ବାପା ଚାଲିଗଲେ। ସପ୍ତମ ଶ୍ରେଣୀରୁ ପାଠ ଛାଡ଼ିବାକୁ ପଡ଼ିଲା, ସେହି ଅବସରରେ କେତେବେଳେ ବୈରାଗ୍ୟ ଭାବନା ଆସିଲା, ନାଗା ସାଧୁଙ୍କ ମେଳକୁ ଚାଲିଗଲେ। ଏହାପରେ ପରିବାର ପକ୍ଷରୁ ତାଙ୍କର ପିଣ୍ଡଦାନ କରିଦିଆଯାଇ ଥିଲା। ପ୍ରେମ ଯେମିତି କେତେବେଳେ ହୁଏ ଜଣାପଡ଼େନି, ପ୍ରେମରେ ପଡ଼ିଥିବା ବ୍ୟକ୍ତି ସବୁ କିଛି ଭୁଲି ଯାଏ ସେହିଭଳି ବୈରାଗ୍ୟ ଆସିଥିବା ମୁହୂର୍ତ୍ତ ବିଷୟରେ ବର୍ଣ୍ଣନା କରିବା କଷ୍ଟକର। ତାଙ୍କ ଗୁରୁ ପାୟଲଟ ବାବାଙ୍କ ଦେଶ, ବିଦେଶରେ ଅନେକ ନାମଡାକ ରହିଛି। ଭକ୍ତମାନେ ମୋଟା ଅଙ୍କର ପ୍ରାପ୍ୟ ଦେଇ ତାଙ୍କୁ ଆମନ୍ତ୍ରଣ କରୁଥିବା ଷ୍ଟାଣ୍ଡିଂ ବାବା କହନ୍ତି। କାଶୀରେ ଅବସ୍ଥାନ କରୁଥିବା ହରିଆଣା ନିବାସୀ ମହନ୍ତ ପ୍ରହଲ୍ଲାଦଙ୍କ ପିତା ଅଢତିଆ ଥିଲେ। ୩୦ ବର୍ଷରେ ବୈରାଗ୍ୟ ଜାଗ୍ରତ ହେବାରୁ ସାଧୁ ହୋଇଯାଇଥିବା କହନ୍ତି ସେ। ପ୍ରଥମ ଥର ପାଇଁ ସେ ଖଣ୍ଡଗିରି ମେଳାକୁ ଆସିଥିବା କହନ୍ତି। ମୟୂରଭଞ୍ଜର ଇଂଜିନିୟର ବାବା ଅଗ୍ନିହୋତ୍ରୀ ଭୈରବାକୁଣ୍ଡ, ଯଜ୍ଞରେ ଅଗ୍ନି ସଂଯୋଗ ପାଇଁ ଦିଆସିଲିର ବ୍ୟବହାର କରନ୍ତି ନାହିଁ। ଯବକାଚ ଜରିଆରେ ସୂର୍ଯ୍ୟ ଆଲୋକରୁ ନିଆଁ ସଂଯୋଗ କରନ୍ତି, ଯାହା ତାଙ୍କୁ ଅନ୍ୟଠୁ ଅଲଗା କରିଦିଏ।

Share Now:

Kalinga News Beuro

Next Post

ପୁଣି ଡରାଇଲାଣି କରୋନା: ଓଡ଼ିଶାକୁ ଭୟ-ସତର୍କ କରାଇଲେ ସରକାର

Sat Feb 20 , 2021
ଭୟଙ୍କର ହେଉଛି ସଂକ୍ରମଣ, ଆରମ୍ଭରୁ ରୋଗୀଙ୍କୁ ନିମୋନିଆ ନୂଆଦିଲ୍ଲୀ : ଭାରତରେ ଏବେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଅଚାନକ ବଢ଼ିବାରେ ଲାଗିଛି। ୩ ସପ୍ତାହ ମଧ୍ୟରେ ଆଜି ଦେଶରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ଭିତରେ ୧୩ ହଜାର୧୯୩ ମାମଲା ଚିହ୍ନଟ ହୋଇଛି। ଜାନୁଆରି ୩୧ ପରଠାରୁ ଏହା ସର୍ବାଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ କିଛି ଦିନ […]
ପୁଣି ଡରାଇଲାଣି କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial