ଚଉଷଠୀ ଯୋଗିନୀ ମହୋତ୍ସବ ଉଦ୍‌ଯାପିତ: ଯୋଗିନୀ ପୀଠରେ ନୃତ୍ୟର ଉଷ୍ମତା

ବାଲିଅନ୍ତା: ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ପୀଠ କଳାମଣ୍ଡପରେ ହୀରାପୁର ଗ୍ରାମ କମିଟି ଏବଂ ନୃତ୍ୟ ପ୍ରତିଭା ମିଳିତ ଆନୁକୂଲ୍ୟରେ ୩ ଦିନ ବ୍ୟାପୀ ଚାଲିଥିବା ୧୭ତମ ଚଉଷଠୀ ଯୋଗିନୀ ଶାସ୍ତ୍ରୀୟ ସାଂସ୍କୃତିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାର ଅତିଥି ଭାବେ ନୃତ୍ୟ ପ୍ରତିଭାର ସଭାପତି ଡ. ରଜନୀ ରଞ୍ଜନ, ଉପସଭାପତି ବଙ୍କିମ ଚନ୍ଦ୍ର ନାୟକ, ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶିକ୍ତା ଦାଶ ଏବଂ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ଏହି ଅବସରରେ କବି ଅମରେଶ ପଟ୍ଟନାୟକଙ୍କୁ ଚଉଷଠୀ ଯୋଗିନୀ ସାହିତ୍ୟ ସମ୍ମାନ ଏବଂ ଅଞ୍ଜନ କୁମାର ସାହୁଙ୍କୁ ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶାସ୍ତ୍ରୀୟ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ଗୁରୁ ଉମା ଡୋଗ୍ରାଙ୍କ ଏକକ କଥକ ନୃତ୍ୟ ଶୀତୁଆ ସଂଧ୍ୟାରେ ଉଷ୍ମତା ଭରି ଦେଇଥିଲା। ପ୍ରଥମ ପ୍ରସ୍ତୁତିରେ କବି ଜୟଦେବଙ୍କ ରଚିତ ‘ଧୀରେ ସମୀରେ ଯମୁନା ତୀରେ’ ନୃତ୍ୟ ସମସ୍ତଙ୍କୁ ବିମୁଗ୍ଧ କରିଥିଲା। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଅସିତ ଦେଶାଇ।
ଦ୍ୱିତୀୟ ପ୍ରସ୍ତୁତିରେ ନାଟ୍ୟପକ୍ଷ ମନ୍ଥରା ନୃତ୍ୟାଭିନୟ ଦର୍ଶକଙ୍କର ବେଶ କରତାଳି ସାଉଁଟିଥିଲାl ଏହାର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଉମା ଡୋଗ୍ରାl ଏହାପରେ ଆମେରିକାରେ ରହୁଥିବା ନୃତ୍ୟଗୁରୁ ତାପସୀ ରଥ ଓ ଶୁଚିଲଗ୍ନା ପାଣିଗ୍ରାହୀ ଏବଂ ସାଥୀ ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ରଘୁରାଜପୁର ଦଶଭୁଜା ଗୋଟିପୁଅ ନୃତ୍ୟ ପରିଷଦ ଶିଳ୍ପୀମାନଙ୍କ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଅନ୍ତିମ ପର୍ଯ୍ୟାୟରେ ଖୋର୍ଦ୍ଧା ମାନସିଂହପୁର ସୋରଣସ୍ଥିତ ଚିଲିକା ରାଣୀ ପାଇକଆଖଡ଼ା ନୃତ୍ୟ ଅନୁଷ୍ଠାନର ଗୁରୁ ବିଜୟ କୁମାର ବେହେରାଙ୍କ ନିର୍ଦ୍ଦେଶନାରେ ଶିଳ୍ପୀମାନେ ଖଣ୍ଡା, ଢାଲ, ବର୍ଚ୍ଛା, ବାଡ଼ି, ନିଆଁହୁଳା ଧରି ବର୍ଣ୍ଣାଳୀ ପ୍ରଦର୍ଶନ କରିଥିଲେ। ସାଂସ୍କୃତିକ ସନ୍ଧ୍ୟାକୁ ପରିଚାଳନା କରିଥିଲେ ଇଂ. ଶ୍ରୀନିବାସ ଘଟୁଆରୀ ଏବଂ ‘ନୃତ୍ୟ ପ୍ରତିଭା’ର ସମ୍ପାଦିକା ଗୁରୁ ପ୍ରତିଭା ପଣ୍ଡା।

Share Now:

Kalinga News Beuro

Next Post

ବରଗଡ଼ ଗସ୍ତରେ ରାଜ୍ୟପାଳ ରଘୁବର ଦାସ : ଗାଡ଼ି ଅଟକାଇ ଚାଷୀଙ୍କ କଥା ଶୁଣିଲେ

Tue Dec 26 , 2023
ବରଗଡ଼: ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ। ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ। ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ।ସ୍ଥାନୀୟ ଅଞ୍ଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀମାନଙ୍କ ସହ ରାଜ୍ୟପାଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial