ରୁକୁଣା ରଥ ପାଇଁ ଚଳଚଞ୍ଚଳ ରଥଖଳା : ଖଳାରେ ପହଞ୍ଚିଲା ଚିରଟ କାଠ

ତିଆରି ହେଲା ୪ଚକର ମଝି ଅଂଶ ‘ଗୋଟା’

ଭୁବନେଶ୍ୱର: ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ବା ‘ଅଶୋକାଷ୍ଟମୀ’ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ରଥାଯାତ୍ରା। ଏକାମ୍ର କ୍ଷେତ୍ରାଧିପତିଙ୍କ ପ୍ରସିଦ୍ଧ ଏହି ଯାତ୍ରାକୁ ଚାତକ ପରି ଚାହିଁ ରହିଛନ୍ତି ପୁରୁଣା ଭୁବନେଶ୍ବରବାସୀ। ଗତ ଶୁକ୍ରବାର ରଥକାଠ ଅନୁକୂଳ ପରେ ରଥଖଳାରେ ଚାଲିଛି ରଥା ନିର୍ମାଣ କାର୍ଯ୍ୟ। ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୮ ଦିନ ଥିବା ବେଳେ ଚଳଚଞ୍ଚଳ ହୋଇଛି ରଥ ଖଳା। ଅନୁକୂଳ ହୋଇଥିବା ଆମ୍ବଗଛ କଟାଗଣ୍ଡିକୁ କାଟି ଆଜି ରଥରେ ଲାଗିବାକୁ ଥିବା ୪ଟି ଚକର ମଝି ଅଂଶ ‘ଗୋଟା’ ତିଆରି ଶେଷ ହୋଇଛି। ଆସନ୍ତାକାଲି ‘ପହି ଭଦଳିଆ’ ତିଆରି ହେବ।
ମହାରଣା ସେବାୟତ ଓ ମନ୍ଦିର ପ୍ରଶାସନ ଭିତରେ ହୋଇଥିବା ଆଲୋଚନା ଅନୁସାରେ ରଥଯାତ୍ରାର ୨ ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୪ ତାରିଖ ସନ୍ଧ୍ୟାରେ ରଥ ସମ୍ପୂର୍ଣ୍ଣ ହେବ। ଏହି ଲକ୍ଷ୍ୟରେ ମହାରଣା ସେବାୟତ କାମ ଆରମ୍ଭ କରିଛନ୍ତି। ତେବେ ପ୍ରଥମ ଦୁଇ ଦିନ ସ’ମିଲ୍‌ରୁ କାଠ ପହଞ୍ଚି ନଥିବାରୁ ସମ୍ପୂର୍ଣ୍ଣ ସେବାୟତ କାମ କରିବାକୁ ଆସିନଥିଲେ। ଏଥି ମଧ୍ୟରେ ଆଜି ରାତିରେ କଟକ ଖପୁରିଆ ସ’ମିଲ୍‌ରୁ ଚିରଟ ହୋଇ ପହଞ୍ଚିଛି ଅବଶିଷ୍ଟ ରଥ କାଠ। ଠିକଣା ସମୟରେ କାମ ଶେଷ କରିବାକୁ ଆସନ୍ତାକାଲିଠାରୁ ଦିନ ରାତି ରଥ ଖଳା‌ରେ ଚାଲିବ ରଥ ନିର୍ମାଣ କାମ। ମହାରଣା ସେବାୟତ ବଟକୃଷ୍ଣ ମହାରଣା (ମୁଖ୍ୟ ମହରଣା)ଙ୍କ ନେତୃତ୍ବରେ ଏବଂ ୫ ଜଣ ପାଳିଆ ସେବାୟତ ସୋମନାଥ ମହାରଣା, କେଦାରନାଥ ମହାରଣା, ବାସୁଦେବ ମହାରଣା, ମହେଶ ମହାରଣା, ପ୍ରିୟ ରଞ୍ଜନ ମହାରଣାଙ୍କ ତତ୍ତ୍ୱାବଧାନରେ ରଥ ନିର୍ମାଣ ହେଉଛି। ରଥ ନିର୍ମାଣରେ ୧୫ ଜଣ ଗାଁ ମହାରଣା, ୧୦ ଜଣ କମାର, ୧୨ ଜଣ ବେହେରାଙ୍କ ସମେତ ମୋଟ ୬୫ ଜଣ ରଥ ନିର୍ମାଣ କରିବେ। ସମ୍ପୂର୍ଣ୍ଣ କାଠ ଆସି ନଥିବାରୁ ଆଜି ପ୍ରାୟ ୨୦ ଜଣ ମହାରଣା ଓ ବେହେରା ସେବାୟତ ରଥ ଖଳାରେ କାମ କରିଥିଲେ। ମହାରଣା ସେବାୟତ କୁରାଢ଼ିରେ ହାଣି ହାଣି ‘ଗୋଟା’ ତିଆରି କରିଥିଲେ ଏବଂ ବେହେରା ସେବାୟତ ସହଯୋଗ କରିଥିଲେ। ସୋମନାଥ ମହାରଣାଙ୍କ ସୂଚନା ଅନୁସାରେ ରଥର ଚଉଡ଼ା ୨୭ ଫୁଟ, ଲମ୍ବା ୨୭ ଫୁଟ ଏବଂ ଉଚ୍ଚତା ୪୫ ଫୁଟ ରଖାଯିବ। ହାତରେ ସମୟ କମ୍‌ ଥିବାରୁ ୨୪ ଘଣ୍ଟା କାମ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ପୁଣି ଶ୍ରୀମନ୍ଦିରକୁ ପ୍ରବେଶ କଲେ ବିଦେଶୀ ନାଗରିକ

Sat Mar 30 , 2024
ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ଜଣେ ବିଦେଶୀ ନାଗରିକ ପ୍ରବେଶ କରିଛନ୍ତି। ଶନିବାର ଅପରାହ୍‌ଣରେ ବିଦେଶୀ ନାଗରିକ ଶ୍ରୀମନ୍ଦିର ଭିତରେ ବୁଲାବୁଲି କରୁଥିଲେ। ସଂପୃକ୍ତ ବିଦେଶୀ ନାଗରିକଙ୍କ ନାମ ଥୋମାସ ଓ ସେ ବ୍ରିଟେନ୍‌ ନିବାସୀ ଅଟନ୍ତି। ତାଙ୍କର ଡ୍ରାଇଭିଂ ଲା‌ଇସେନ୍ସରୁ ଏହା ଜଣାପଡ଼ିଛି। ସିଂହଦ୍ୱାର ଥାନା ପୁଲିସ ଥୋମାସଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଶ୍ରୀମନ୍ଦିରରେ ବିଦେଶୀ ନାଗରିକ ଓ ଅଣହିନ୍ଦୁଙ୍କ ପ୍ରବେଶ ନୂଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial