ପୁଣି ଶ୍ରୀମନ୍ଦିରକୁ ପ୍ରବେଶ କଲେ ବିଦେଶୀ ନାଗରିକ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ଜଣେ ବିଦେଶୀ ନାଗରିକ ପ୍ରବେଶ କରିଛନ୍ତି। ଶନିବାର ଅପରାହ୍‌ଣରେ ବିଦେଶୀ ନାଗରିକ ଶ୍ରୀମନ୍ଦିର ଭିତରେ ବୁଲାବୁଲି କରୁଥିଲେ। ସଂପୃକ୍ତ ବିଦେଶୀ ନାଗରିକଙ୍କ ନାମ ଥୋମାସ ଓ ସେ ବ୍ରିଟେନ୍‌ ନିବାସୀ ଅଟନ୍ତି। ତାଙ୍କର ଡ୍ରାଇଭିଂ ଲା‌ଇସେନ୍ସରୁ ଏହା ଜଣାପଡ଼ିଛି। ସିଂହଦ୍ୱାର ଥାନା ପୁଲିସ ଥୋମାସଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଶ୍ରୀମନ୍ଦିରରେ ବିଦେଶୀ ନାଗରିକ ଓ ଅଣହିନ୍ଦୁଙ୍କ ପ୍ରବେଶ ନୂଆ ଘଟଣା ନୁହେଁ। ଚଳିତ ମାସ ୩ ତାରିଖରେ ୯ ଜଣ ବାଂଲାଦେଶୀ ଶ୍ରୀମନ୍ଦିର ପରିସରରେ ଦେଖାଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହିନ୍ଦୁ ଓ ୫ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଅନ୍ୟ ୩ଜଣ ବାହାରେ ବୁଲାବୁଲି କରୁଥିଲେ। ଶ୍ରୀମନ୍ଦିର ପ୍ରବେଶ କରିଥିବା ୬ଜଣଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ଧରି ସିଂହଦ୍ୱାର ପୁଲିସ ଜିମାରେ ଦେଇଥିଲେ। ପୁଲିସ ସମସ୍ତ ୯ଜଣଙ୍କୁ ଅଟକ ରଖି ପଚରାଉଚୁରା କରି ପରେ ଛାଡ଼ି ଦେଇଥିଲା।
ସେହିପରି ଗତବର୍ଷ ଫେବୃଆରୀ ୨୪ ତାରିଖ ପୂର୍ବାହ୍‌ଣ ୧୧ଟା ସମୟରେ ମୁସଲିମ ମହିଳା ତଥା ଆଇଆର୍‌ଏସ୍‌ ଅଧିକାରୀ ନିଜ ପଦବିର ଅପବ୍ୟବହାର କରି ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିଲେ। ଏପରିକି ଜଣେ ଅଧିକାରୀ ତାଙ୍କୁ ନିୟମ ବାବଦରେ ସଚେତନ କରିବା ସହ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ବୋଲି କହିବାରୁ ତାଙ୍କୁ ୪ଶହ କିଲୋମିଟର ଦୂରକୁ ବଦଳି କରିଥିଲେ। ଶ୍ରୀମନ୍ଦିରର ସେବାୟତଙ୍କ ବାବଦରେ କଟୁ କଥା କହିଛନ୍ତି ‌ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏତଲାରେ ଉଲ୍ଲେଖ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କୁ ପ୍ରବେଶ କରିବା ବାରଣ ଥିବା କଥା ସିଂହଦ୍ୱାର ସମ୍ମୁଖରେ ସୂଚନା ଫଳ‌କରେ ଉଲ୍ଲେଖ ଥିବା ସତ୍ତ୍ୱେ ସେ ଜୋର୍‌ ଜବରଦସ୍ତ ପ୍ରବେଶ କରିବା ସମଗ୍ର ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ କରିଛି। ଜଣେ ଅଧିକାରୀ ଓ ଉଚ୍ଚ ଶିକ୍ଷିତ ହୋଇ ନିୟମ ଅମାନ୍ୟ କରିବା ଗ୍ରହଣୀୟ ନୁହେଁ। ସେ କେବଳ ନିୟମକୁ ଅବମାନନା କରିନାହାନ୍ତି ବରଂ ସନାତନ ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି।

Share Now:

Kalinga News Beuro

Next Post

ଖେଳୁଥିବା ବେଳେ ପୋଖରୀରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

Sat Mar 30 , 2024
ସୋର: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ପାଖର ପଞ୍ଚାୟତ ବେଲପୁର ଗ୍ରାମର ଜଣେ ଶିଶୁକନ୍ୟା ଖେଳୁଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାଖର ପଞ୍ଚାୟତ ମଲ୍ଲିପୁର ଗ୍ରାମର ସ୍ବର୍ଗତ ନରବୀର ରଣାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ମାମୁଁ ଘର ବେଲପୁରରେ ରହୁଥିଲେ। ଆଜି ସକାଳେ ଝିଅ ବଦ୍ରି ଖେଳୁଥିବା ବେଳେ ନିକଟସ୍ଥ ଗଡ଼ିଆରେ ପଡିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବାର ଲୋକେ ବଦ୍ରିକୁ ବିଭିନ୍ନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial