ହରିରାଜପୁର ମେଳଣକୁ ନେଇ ଉତ୍ସାହ : ମାନସିକଧାରୀ ରାତିତମାମ ଆତସବାଜୀ ଫୁଟାଇବାର ପରମ୍ପରା

ଜଟଣୀ: ଜଟଣୀର ହରିରାଜପୁର ବିଶ୍ୱ ପ୍ରସିଦ୍ଧ ମେଳଣକୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଏହି ମେଳଣର ଅନେକ ନିଆରା ପରମ୍ପରା ରହିଛି। ୪ ଦିନର ଏହି ଉତ୍ସବ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଜନସମାଗମ ହୁଏ। ବିଶେଷକରି ଠାକୁରଙ୍କ ଜମାଣରାତିରେ ଲକ୍ଷଲକ୍ଷ ଭକ୍ତ ଏକାଠି ହୋଇଥାନ୍ତି। ଏହି ସମୟରେ ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିକଟରେ ନିଷ୍ଠାର ସହ ମାନସିକ ତାହା ପୂର୍ଣ୍ଣହୁଏ ବୋଲି ବିଶ୍ବାସ ରହିଆସିଛି। ଏହାର ଅନ୍ୟତମ ଆକର୍ଷଣ ହେଉଛି ଜମାଣ ଦିନରେ ରାତିତମାମ ଚମତ୍କାର ଆତସବାଜି। ସୋମନାଥ ଦେବଙ୍କ ପାଖରେ ମାନସିକ ରଖିଥିବା ଭକ୍ତଙ୍କ ପକ୍ଷରୁ ସେହି ରାତିତମାମ ଆତସବାଜି ଫୁଟାଯାଇଥାଏ। ଏହି ପଞ୍ଚୁଦୋଳ ମେଳଣ ତିଥି ଅନୁସାରେ ଚୈତ୍ର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ପଡ଼ୁଥିବାବେଳେ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ମେଳଣ ଆରମ୍ଭ ହେବ। ହରିରାଜପୁରର ଚତୁଃପାର୍ଶ୍ଵରେ ଥିବା ୫ ପ୍ରତିଷ୍ଠିତ ଠାକୁରଙ୍କୁ ନେଇ ଆରମ୍ଭ ହୋଇଥିଲା ହରିରାଜପୁର ପଞ୍ଚୁଦୋଳ ମେଳଣ। ସେମାନେ ହେଉଛନ୍ତି ହରିରାଜପୁରର ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ, ବୁଢ଼ାପଡ଼ା ଗ୍ରାମର ଶ୍ରୀ ଶ୍ରୀ ସୋମନାଥ ଦେବ, କନ୍ତିଆ ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ, ଛଣଘର ଗ୍ରାମର ଶ୍ରୀ ଶ୍ରୀ ଗତିଶ୍ୱର ଦେବ ଓ ଭଁସର ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ। କାଳକ୍ରମେ ୭୭ ଠାକୁରଙ୍କୁ ମେଳଣରେ ସାମିଲ କରାଯାଇଛି। ଚଳିତ ବର୍ଷ ଆହୁରି ୨ ଠାକୁର ସାମିଲ ହୋଇଛନ୍ତି। ଆଗକୁ ଏହା ଆହୁରି ବଢ଼ିବ ବୋଲି ଆଶା ରହିଛି। ହାଣ୍ଡିଭୋଗ ଓ ନାଲାଭୋଗ ଲାଗି ପରେ ଆରମ୍ଭ ହୋଇ ଗୋଧୂଳି ଲଗ୍ନ ପରେ ଶେଷ ହୋଇଥାଏ ହରିରାଜପୁର ମେଳଣ। ମେଳଣ‌ ଅବସରରେ ପୂର୍ବରୁ ଗୋରୁହାଟ ବସିବା ସହିତ ବାଉଁଶ, ପଥର, ଲୁହା ସାମଗ୍ରୀ ବିକ୍ରି ହେଉଥିଲା। ଏସବୁ କାଳକ୍ରମେ ହ୍ରାସ ପାଇଛି।
ସୂଚନାନୁସାରେ, ଗଜପତି ମହାରାଜା ନରସିଂହ ଦେବଙ୍କ ରାଜତ୍ୱର ପ୍ରଥମ ୧୫ ବର୍ଷ ସୁଖଶାନ୍ତିରେ କଟିଥିବାରୁ ୧୬୩୬ ଚୈତ୍ରମାସ କୃଷ୍ଣପକ୍ଷରେ ଶ୍ରୀଜଗନ୍ନାଥଙ୍କ ବସନ୍ତରାସ (ନୂତନ ରଥଯାତ୍ରା) ଅନୁଷ୍ଠିତ ହୋଇଥିଲା। ଏହି ରଥଯାତ୍ରା ଦେଖିସାରି ହରିରାଜପୁର ଗ୍ରାମର ବାବାଜୀ ଗୋବର୍ଦ୍ଧନ ଓ ନିତେଇ ସାହୁ ପୁରୀରୁ ଫେରିବା ବାଟରେ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ କରିବାକୁ ମନସ୍ଥ କରି ଉଭୟଙ୍କ ପାଖରେ ଥିବା ଏକଟଙ୍କା ଚାରିଅଣାରେ ବାଟରୁ ଛୋଟ ଛୋଟ ଆଟିକାମାନ କିଣି ଗାଁରେ ପହଞ୍ଚିଥିଲେ। ଗାଁରେ ସମସ୍ତଙ୍କ ଘରେ ଆଟିକାଗୁଡ଼ିକୁ ବାଣ୍ଟି ସେଥିରେ ପ୍ରତିଦିନ ଦୁଇଓଳି ମୁଠାଏ ଲେଖାଏଁ ଚାଉଳ ପକାଇବାକୁ ଅନୁରୋଧ କରିଥିଲେ। କିଛିଦିନ ପରେ ଗ୍ରାମବାସୀଙ୍କ ଠାରୁ ସଂଗୃହୀତ ଏହି ମୁଠିଚାଉଳକୁ ବିକ୍ରିକରି ସେହି ଅର୍ଥରେ ପରବର୍ଷ, ଅର୍ଥାତ୍ ୧୬୩୭ ଚୈତ୍ରମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ଠାକୁରଙ୍କ ଜମାଣ ରାତିରେ ସୋମନାଥ ଦେବଙ୍କ ପାଖରେ ମାନସିକ ରଖିଥିବା ଭକ୍ତଙ୍କ ପକ୍ଷରୁ ରାତିତମାମ ଆତସବାଜି ଫୁଟାଯାଏ। ମଧ୍ୟରାତ୍ରିରେ ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେ ପ୍ରତିମା ମନ୍ଦିରରୁ ବାହାରି ବିମାନରେ ପଶ୍ଚିମଦ୍ୱାର ଦେଇ ବାଟରୁ ଶ୍ରୀ ଗୋପାଳଜୀ ଓ ବାଳମୁକୁନ୍ଦଦେବଙ୍କୁ ସାଙ୍ଗରେ ନେଇ ଭକ୍ତଙ୍କ ଗହଣରେ ବାଜା, ବାଣ, ରୋଷଣୀ, ହୁଳହୁଳି, ଘଣ୍ଟନାଦରେ ମେଳଣ ପଡ଼ିଆକୁ ଯାତ୍ରା କରିଥାନ୍ତି। ସେଠାର ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁରମାନଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି। ପଡ଼ିଆରେ ସମସ୍ତ ଠାକୁରଙ୍କ ପୂଜା ଆରାଧନା, ଧୂପଦୀପ, ପୁଷ୍ପ, ହାଣ୍ଡିଭୋଗ ଲାଗି ସହ ଫଗୁ ଅର୍ପଣ କରି ଭକ୍ତମାନେ ଅବିର ଖେଳନ୍ତି। ସେହିପରି ମଝି ଦୁଇଦିନରେ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିବା ସହ କିଣାବିକା (ମୀନା ବଜାର) ଭୋଗ ଲାଗି କରିଥାନ୍ତି। ଶେଷସନ୍ଧ୍ରାରେ ଗୋଧୂଳି ଲଗ୍ନରେ ମେଳଣ ଉଦ୍‌ଯାପିତ ହୋଇଥାଏ। ସେଦିନ ପ୍ରଥମେ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିମାନକୁ ଆସ୍ଥାନରୁ ଉଠାଇ ରତ୍ନବେଦୀ ଆଡ଼କୁ ଅଣାଯିବା ପରେ ଅନ୍ୟ ସମସ୍ତ ଠାକୁରଙ୍କୁ ବିମାନରେ କାନ୍ଧୁଆଳିମାନେ ଜୟଜୟକାର ଧ୍ୱନି ଭିତରେ ନିଜ ନିଜ ଗ୍ରାମକୁ ନେଇ ଯାଆନ୍ତି। ରାତିରେ ପଶ୍ଚିମାଶମ୍ଭୁ ସୋମନାଥ ଦେବ କାଚିରୀ ଭୋଗଖାଇ ଭୋର ସମୟରେ ନିଜ ମନ୍ଦିରକୁ ପ୍ରବେଶ କରନ୍ତି। ତା’ପରେ ମହାସ୍ନାନ ଅନୁଷ୍ଠିତ ହୋଇ ଅନ୍ନପ୍ରସାଦ ଲାଗି ହେବାପରେ ସେ ବିଶ୍ରାମ ନେବାର ପରମ୍ପରା ରହିଛି।

Share Now:

Kalinga News Beuro

Next Post

ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ : ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

Fri Mar 22 , 2024
ଭୁବନେଶ୍ୱର : କଟକ ସାଂସଦ ଭର୍ତ୍ତୃହରି ମହତାବ୍‌ ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି) ଛାଡ଼ିଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏଥି ସହିତ ଶ୍ରୀ ମହତାବ୍‌ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଶ୍ରୀ ମହତାବ୍‌ ଏହି ସୂଚନା ଦେଇଛନ୍ତି। ତେବେ ଶ୍ରୀ ମହତାବ୍‌ କେଉଁ ଦଳରେ ଯୋଗଦେବେ ସେନେଇ ଘୋଷଣା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial