କଳିଙ୍ଗ ଷ୍ଟୁଡିଓ : ଏବେ ଅଲୋଡ଼ା ସ୍ମୃତି

ଭୁବନେଶ୍ୱର : ଉଜୁଡ଼ି ଗଲାଣି କଳିଙ୍ଗ ଷ୍ଟୁଡିିଓ। ଅଲୋଡ଼ା ହେଇଗଲାଣି ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଷ୍ଟୁଡିଓ ଭିତରେ ଥିବା ଗାଁ ପରିସର, କୁଡ଼ିଆ ସବୁ ଏବେ ଜଙ୍ଗଲ; ବିପଜ୍ଜନକ ଜନ୍ତୁଙ୍କ ଆଶ୍ରୟସ୍ଥଳ। ରାତିରେ ମଦୁଆ, ଅସାମାଜିକଙ୍କ ଆଡାସ୍ଥଳୀ। ୩୫ ବର୍ଷ ତଳେ ତିଆରି ହୋଇଥିବା ରାଜ୍ୟର ଏକମାତ୍ର ଚଳଚ୍ଚିତ୍ର ପ୍ରସ୍ତୁତି ଓ ବିକାଶ ଅନୁଷ୍ଠାନ ‘କଳିଙ୍ଗ ଷ୍ଟୁଡିଓ’ର ଅବସ୍ଥା ଦିନକୁ ଦିନ ବିକଳାଙ୍ଗ ହୋଇଗଲାଣି। ବହୁ ସୁପର୍‌ହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇଥିବା ଏହି ଷ୍ଟୁଡିଓର ଅବସ୍ଥା, ଯେକୌଣସି ସିନେପ୍ରେମୀକୁ ବିସ୍ମୟ କରିବ ନିଶ୍ଚିୟ। ସରକାରୀ ଅବହେଳା ଓ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ଅଭାବରୁ ଏହା ଧୀରେ ଧୀରେ ରୁଗ୍‌ଣ ପାଲଟି ଯାଇଛି।

୧୯୮୨ରେ ପ୍ରାୟ ୨୫ ଏକର ଜମିରେ ନିର୍ମାଣ ହୋଇଥିଲା କଳିଙ୍ଗ ଷ୍ଟୁଡିଓ। ବୈଷୟିକ ସୁବିଧାଠାରୁ ଆରମ୍ଭ କରି ଉନ୍ନତ ମାନର ଯନ୍ତ୍ରପାତି ବ୍ୟବହାର କରାଯାଉଥିବାରୁ କଳିଙ୍ଗ ଷ୍ଟୁଡିଓ ଦେଶର ଉତ୍ତର ପୂର୍ବାଞ୍ଚଳରେ ଏକ ଆଧୁନିକ ଷ୍ଟୁଡିଓର ମାନ୍ୟତା ପାଇଥିଲା। ରାଜ୍ୟର ବହୁ ସୁପର୍‌ହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ସହ ବଙ୍ଗାଳୀ, ମଣିପୁରୀ, ଆସାମୀ, ଭୋଜପୁରୀ ଓ ହିନ୍ଦୀ ଆଦି ଭାଷାର ୫୧୦ରୁ ଊର୍ଧ୍ୱ ଚଳଚ୍ଚିତ୍ର ଏଠାରେ ନିର୍ମାଣ କରାଯାଇଥିଲା। ୧୯୯୧ରୁ ୧୯୯୯ ପର୍ଯ୍ୟନ୍ତ ଏଠାରେ ଚଳଚ୍ଚିତ୍ର ନିର୍ମାଣର ଧାରା ବଢ଼ିବାରେ ଲାଗିଥିଲା। ସରକାର ମଧ୍ୟ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ଆଣିବାର ବ୍ୟବସ୍ଥା କଲେ। ହେଲେ ୧୯୯୯ ମହାବାତ୍ୟା ଷ୍ଟୁଡିିଓର ରୂପକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା। ସବୁ କିଛି ଭାଙ୍ଗିରୁଜି ଚୂରମାର୍‌ ହୋଇଗଲା। ସମସ୍ତଙ୍କ ପାଇଁ ଅଲୋଡ଼ା ପାଲଟିଗଲା। ୨୦୦୭ ବେଳକୁ ଷ୍ଟୁଡିଓ ବନ୍ଦ ହୋଇଗଲା। ୨ ବର୍ଷ ପରେ ସୁନ୍ଦର ଭାବେ ସଜାଯାଇ ପୁଣି ଥରେ ଷ୍ଟୁଡିିଓ ଖୋଲିଲା। କିନ୍ତୁ ଏହାର ଭାଗ୍ୟ ବଦଳିଲାନି। ଚଳଚ୍ଚିତ୍ର ନିର୍ମାତାମାନେ ଚଳଚ୍ଚିତ୍ର ନିର୍ମାଣ ପାଇଁ ରାଜ୍ୟ ବାହାରକୁ ଚାଲିଗଲେ। ଧୀରେ ଧୀରେ ଆହୁରିି ଅବହେଳିତ ହେବାକୁ ଲାଗିଲା ଷ୍ଟୁଡିିଓ। ଏବେ ସେଠାରେ କେବଳ ଶୋଭାପାଉଛି ୫୦ବର୍ଷ ତଳର ଭଙ୍ଗା ଆଜ୍‌ବେଷ୍ଟସ ଘର, ପୁରୁଣା ଦଦରା କାର୍‌ ଓ ଭ୍ୟାନ୍‌, ପରିତ୍ୟକ୍ତ ଗ୍ରିନ୍‌ ରୁମ୍‌ ଓ ଗେଷ୍ଟ୍‍ ହାଉସ୍‌ ଏବଂ କଳଙ୍କି ଲଗା ନଷ୍ଟ ପ୍ରାୟ କ୍ୟାମେରା ଇତ୍ୟାଦି।

ଅତ୍ୟାଧୁନିକ ଜ୍ଞାନକୌଶଳ ଦୃଷ୍ଟିରୁ ଷ୍ଟୁଡିଓ ପଛରେ ପଡ଼ିଯିବାରୁ ଏହାକୁ ଆଧୁନିକୀକରଣ ପାଇଁ ସରକାର ବହୁ ଯୋଜନା କଲେ। କିନ୍ତୁ ୩୦ ବର୍ଷ ପରେ ବି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଆଧୁନିକୀକରଣ କି ପୁନରୁଦ୍ଧାର ତ ଦୂରର କଥା, ଷ୍ଟୁଡିିଓର ସମସ୍ତ ଯନ୍ତ୍ରପାତି ସରଞ୍ଜାମ ଓ କୋଟି କୋଟି ଟଙ୍କାର କ୍ୟାମେରା ରକ୍ଷଣାବେକ୍ଷଣ ଅଭାବରୁୁ ନଷ୍ଟ ହୋଇଗଲା। ପୂର୍ବରୁ ରେକର୍ଡିଂ ଲ୍ୟାବ୍‌ ଟିକେ କାମରେ ଲାଗୁଥିଲା। କିନ୍ତୁ ଡିଜିଟାଲ୍‌ ଯୁଗରେ ସେ ବି ଅଲୋଡ଼ା ହୋଇଗଲା। ପ୍ରାୟ ଅଢ଼େଇ ବର୍ଷ ତଳେ ଷ୍ଟୁଡିଓ ପରିସରର ଭିଲେଜ କମ୍ପ୍ଲେକ୍ସ ଓ ଗାର୍ଡେନ୍‌ର ନବୀକରଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହେଲା। ଜମିଦାର ଘର, ସ୍କୁଲ ଗୃହ, ଜେଲ୍‌ ଖାନା ଆଦି ତିଆରି କାର୍ଯ୍ୟ ଆରମ୍ଭ ବି ହେଲା। କିନ୍ତୁ ଏବେ ସେ ସବୁ ଅଧାପନ୍ତରିଆ ହୋଇ ପଡ଼ିରହିଛି। ପ୍ରାୟ ବର୍ଷେ ହେଲା କାମ ବନ୍ଦ କରି ଦିଆଯାଇଛି। ଫଳରେ ଅର୍ଦ୍ଧନିର୍ମିତ କୋଠାବାଡ଼ି ନଷ୍ଟ ହେବାକୁ ଲାଗିଲାଣି। ଗାର୍ଡେନ୍‌ ବି ଜଙ୍ଗଲରେ ପରିଣତ ହୋଇଗଲାଣି। ଏନେଇ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନ୍ନା ଖାନ୍‌ଙ୍କୁ ଯୋଗାଯୋଗ କରିବାରୁ ସେ କିଛି ଉତ୍ତର ଦେଇନାହାନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ରୁଗ୍‌ଣ ହେବାର ମୁଖ୍ୟ କାରଣ
ପୂର୍ବରୁ ଯେତେବେଳେ ଆମେ କଳିଙ୍ଗ ଷ୍ଟୁଡିଓକୁ ସୁଟିଂ ପାଇଁ ଯାଉଥିଲୁ, ଏତେ ବଡ଼ ଷ୍ଟୁଡିଓ ଦେଖି ଗର୍ବରେ ଛାତି ଫୁଲି ଉଠୁଥିଲା। ଖାଲି ଓଡ଼ିଶା ନୁହେଁ, ଆଖପାଖ ୫ଟି ରାଜ୍ୟର ଚଳଚ୍ଚିତ୍ର ବି ଏଠାରେ ସୁଟିଂ ହେଉଥିଲା। ଓଡ଼ିଆ ଜାତିର ଗର୍ବ ଓ ଗୌରବ ଭାବେ ଦଣ୍ଡାୟମାନ ଥିଲା ଏହି ଷ୍ଟୁଡିଓ। କିନ୍ତୁ ସରକାରଙ୍କ ଅପାରଗତା, ଅନାଗ୍ରହ, ଚଳଚ୍ଚିତ୍ର ନିଗମର ପଙ୍ଗୁପଣ ଓ କଳାକାର ତଥା ଓଡ଼ିଆମାନଙ୍କ ଏକତା ଅଭାବରୁ ଏହାର ପୁନରୁଦ୍ଧାର ହୋଇପାରୁନାହିଁ।
ବିଜୟ ମହାନ୍ତି, ଅଭିନେତା

ଏଠାରେ ଫିଲ୍ମ ନିର୍ମାଣ ଆଉ ସମ୍ଭବ ନୁହେଁ
ବର୍ତ୍ତମାନ ଚଳଚ୍ଚିତ୍ର ଆଉ ଷ୍ଟୁଡିଓରେ ନିର୍ମାଣ ହେଉନାହିଁ। ଚଳଚ୍ଚିତ୍ର ଷ୍ଟୁଡିଓରେ ନିର୍ମାଣ କରିବା ଏବେ ପୁରୁଣାକାଳିଆ ହୋଇଗଲାଣି। ହଁ କଳିଙ୍ଗ ଷ୍ଟୁଡିଓକୁ ସଜଡ଼ା ଗଲେ, ଟିଭି ଧାରାବାହିକ ନିର୍ମାଣ ହୋଇପାରିବ। ଏଥିପାଇଁ ଯୋଜନା ବି ଚାଲିଛି। ମିନି ଫ୍ଲୋର୍‌ ସହ ଆଉଟ୍‌ ଡୋର୍‌ରେ ଭିଲେଜ୍‌, ଥାନା, ହସ୍‌ପିଟାଲ୍‌, ଗାର୍ଡେନ ଆଦି କରି ସୁଟିଂ କରାଯିବା ନେଇ ଯୋଜନା କରାଯାଇ କାମ ବୁଢ଼ା ମହାରଣାଙ୍କୁ ଦିଆଯାଇଥିଲା। କିନ୍ତୁ ତାଙ୍କ ଅକାଳ ମୃତ୍ୟୁ ପରେ କାମ ଅଟକି ଯାଇଛି। ଆଗାମୀ ଦିନରେ ଏହାକୁ ସୁନ୍ଦର କରି ସଜାଇ ଲୋକଙ୍କୁ ଦେଖାଇବାକୁ ସରକାର ଉଦ୍ୟମ କରୁଛନ୍ତି।
ପ୍ରଶାନ୍ତ ନନ୍ଦ, ଅଭିନେତା

ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ ହେଉ
କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ପାଇଁ ବିଭିନ୍ନ ପର୍ଯ୍ୟାୟରେ କୋଟି କୋଟି ଟଙ୍କା ଆସିଲାଣି। କିନ୍ତୁ କାମ ହୋଇପାରୁନି। ପ୍ରଥମରୁ ସେଠାରେ ପରିଚାଳନାରେ ଅସୁବିଧା ହେତୁ ଏଭଳି ଘଟୁଛି। ଏଠାରେ ‘ସରକାରୀ ମାଲ୍‌, ଦରିୟା ମେଁ ଡାଲ୍‌’ ନ୍ୟାୟରେ କାମ ହେଉଛି। ଏହାଛଡ଼ା ବହୁ ପ୍ରଯୋଜକ କଳିଙ୍ଗ ଷ୍ଟୁଡିିଓର ପୁନରୁଦ୍ଧାର ପାଇଁ ସରକାରଙ୍କ ସହାୟତା ଲୋଡ଼ୁଥିବା ବେଳେ ସରକାର କାହିଁକି ଘରୋଇ ସଂସ୍ଥା ଭାଗୀଦାରିତାରେ ଏହି କାର୍ଯ୍ୟ କରିବାକୁ ଆହ୍ଵାନ ଦେଉନାହାନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଦିଲ୍ଲୀପ ହାଲି, ସମ୍ପାଦକ, ସିନେ କ୍ରିଟିକ୍‌ ଆସୋସିଏସନ୍‌

Share Now:

Kalinga News Beuro

Leave a Reply

Next Post

ବିମାନବନ୍ଦର ମାଷ୍ଟରପ୍ଲାନ୍‌କୁ ବିଡିଏର ଅନୁମୋଦନ

Thu Apr 5 , 2018
ନିର୍ମାଣ ହେବ ୪ହଜାର ସିଟ୍‌ ବିଶିଷ୍ଟ କନଭେନସନ୍‌ ସେଣ୍ଟର, ତାରକା ହୋଟେଲ, ସପିଂ ମଲ୍‌, ଟି-୩ ଟର୍ମିନାଲ ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ, ସୌନ୍ଦର୍ଯ୍ୟକରଣ ଏବଂ ଭବିଷ୍ୟତର ଯୋଜନାକୁ ନେଇ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନ୍‌କୁ ବିଡିଏ ଅନୁମୋଦନ କରିଛି। ଏହାକୁ ବିଡିଏର ସିଡିପିରେ ସାମିଲ୍‌ କରାଯାଇଛି। ଏହାଦ୍ୱାରା ବିମାନବନ୍ଦରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଲେ ବିଡିଏ ଆଉ କେଁ ପୂରାଇବନି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial