ମିଶନ ଶକ୍ତି ବଜାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ସହରରେ ଗାଁର ଭ୍ରମ

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାଙ୍କ ନିରନ୍ତର ଜୀବିକା ନିର୍ବାହ ପାଇଁ ଦୃଢ଼ ପ୍ଲାଟଫର୍ମ ହେବ ମିଶନ ଶକ୍ତି ବଜାର। ଏହା ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ୫-ଟି ଅନ୍ତର୍ଗତରେ ସେମାନଙ୍କ କାର୍ଯ୍ୟକୁ ବିକଶିତ କରିବ। ୟୁନିଟ୍‌-୮ରେ ମିସନ ଶକ୍ତି ବଜାରର ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି ଦିନ ପୂର୍ବରୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମିଶନ ଶକ୍ତି ବଜାରର ସ୍ଥିତି ସମୀକ୍ଷା କରିଥିଲେ। ମିଶନ ଶକ୍ତି ବଜାର ମାଧ୍ୟମରେ ଏଭଳି ଏକ ବୁଟିକ୍‌ ଷ୍ଟୋର ପ୍ରତିଷ୍ଠା କରାଯାଇଛି ଯାହାର ମାଧ୍ୟମରେ ସମଗ୍ର ରାଜ୍ୟରେ ପ୍ରସ୍ତୁତ ମିଶନ ଶକ୍ତି ଉତ୍ପାଦିତ ସମସ୍ତ ପ୍ରକାର ଉତ୍ପାଦନ ଗ୍ରାହକ ପାଇପାରିବେ। ଖୋର୍ଦ୍ଧା ଜିଲ୍ଲାର ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନି ଲିମିଟେଡ୍ ନାମକ ଏକ ଏସଏଚଜି ଏହାର ପରିଚାଳନା ଓ ମାଲିକାନା ଦାୟିତ୍ୱରେ ଅଛି। ୨୦୦ ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଓ ଉତ୍ପାଦକ କମ୍ପାନି ଏହାର ଅଂଶୀଦାର ଅଛନ୍ତି। ଏହା ଦ୍ୱାରା ଲକ୍ଷାଧିକ ମହିଳା ନିଜ ଉତ୍ପାଦ ବିକ୍ରୟର ସୁଯୋଗ ପାଇବେ।
କେଏମଏଫପି କମ୍ପାନି ଜରିଆରେ ମିଶନ ଶକ୍ତି ବିଭାଗ ବଜାର ସମ୍ଭାବନାକୁ ଆହୁରି ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି କମ୍ପାନିକୁ ସହାୟତା ପାଇଁ ବୈଷୟିକ ଏଜେନ୍ସିମାନଙ୍କୁ ନିୟୋଜିତ କରାଯାଇଛି। ଏହା ମାଧ୍ୟମରେ ମିସନ ଶକ୍ତି ଉତ୍ପାଦନକୁ ସ୍ଥାୟୀ ବଜାର ସହିତ ପ୍ରତିଯୋଗିତାମୂଳକ କିନ୍ତୁ ସୁନିଶ୍ଚିତ ମୂଲ୍ୟର ବିକ୍ରୟ ପ୍ଲାଟଫର୍ମ ମିଳିପାରିଛି। ସହରରେ ମିଳୁନଥିବା ଅନେକ ଉତ୍ପାଦ ଏଠାରେ ବର୍ଷତମାମ ମିଳିପାରିବା କାରଣରୁ ସହରୀ ଗ୍ରାହକଙ୍କୁ ଏହା ସୁବିଧାଜନକ ହେବ। କନ୍ଧମାଳ ହଳଦୀ, ଢିଙ୍କି କୁଟା ଚାଉଳ, କୋଟପାଡ଼ ଶାଢ଼ି, ଡଙ୍ଗରିଆ ଶାଲ, ଡୋକ୍ରା ହସ୍ତଶିଳ୍ପ, ସବାଇ ହସ୍ତଶିଳ୍ପ, ପିତ୍ତଳ ତିଆରି ସାମଗ୍ରୀ ମିସନ ଶକ୍ତି ବଜାରର ଆକର୍ଷଣର କେନ୍ଦ୍ର ହେବ। ଏଠାରେ ଇ-କମର୍ସ ପୋର୍ଟାଲ ମଧ୍ୟ ରହିବ, ଯାହା ମହିଳାମାନଙ୍କୁ ଏକ ଅନଲାଇନ୍ ମାର୍କେଟପ୍ଲେସ୍ ମାଧ୍ୟମରେ ଉଦ୍ୟୋଗରେ ପ୍ରବେଶ କରିବାର ସୁଯୋଗ ପ୍ରଦାନ କରିବ। ସମଗ୍ର ରାଜ୍ୟର ଏସଏଚଜିଙ୍କ ଉତ୍ପାଦନ ଗୋଟିଏ ସ୍ଥାନରେ ବିକ୍ରି ଏବଂ ପ୍ରଦର୍ଶିତ ହେବା ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ସୁନ୍ଦର ପରିବେଶ ସୃଷ୍ଟି କରିବ। ଯାହା ଉତ୍ପାଦନର ଗୁରୁତ୍ୱ ବଢ଼ାଇବ। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମିଶନ ଶକ୍ତି କମିସନର ସୁଜାତା ରାଉତ କାର୍ତ୍ତିକେୟନ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଆମପାଖରେ ବି ଅଛି ଅସ୍ତ୍ରଶସ୍ତ୍ର, ଘରେ ପଶି ମାରିବୁ : ଧମକ ଦେଲେ ପୁଟିନ

Thu Feb 29 , 2024
ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଗୁରୁବାର ବାର୍ଷିକ ଅଧିବେସନରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୟୁକ୍ରେନ ସହିତ ଜାରି ରହିଥିବା ଯୁଦ୍ଧ ସମୟରେ ପୁଟିନଙ୍କ ଏହି ଭାଷଣ ରୁ‌ଷିଆବାସୀଙ୍କ ସହିତ ଆମେରିକା, ୟୁରୋପ ଏବଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ପୁଟିନ ପୁଣିଥରେ ୟୁକ୍ରେନକୁ ସହାୟତା ଯୋଗାଇ ଦେଉଥିବା ଦେଶଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି। ରୁଷିଆ ବିରୋଧରେ ଯିବା ଦ୍ୱାରା ‌ସେସବୁ ଦେଶର କ୍ଷତି ହେବ ବୋଲି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial