ଭୁବନେଶ୍ୱର: ବେଦ, ତନ୍ତ୍ର, ଧର୍ମଶାସ୍ତ୍ର, ଜ୍ୟୋତିଷ, ଅଭିଧାନ, ଗଣିତ, ନାଟକ, ଦର୍ଶନଶାସ୍ତ୍ର, ଆୟୁର୍ବେଦ, ସଙ୍ଗୀତ – ଏଭଳି ଅମୂଲ୍ୟ ଜ୍ଞାନ ସମ୍ପଦକୁ ତାଳପତ୍ରରେ ସାଇତି ରଖିଛି ଉତ୍କଳ ବିଶ୍ୱବିଦ୍ୟାଳୟର ପରିଜା ପାଠାଗାର। ହେଲେ ସଂରକ୍ଷଣ ଓ ସୁରକ୍ଷା ଅଭାବରୁ ଏହି ଦୁର୍ଲଭ ପୋଥିଗୁଡ଼ିକର ଭାଗ୍ୟ ବର୍ତ୍ତମାନ ଅନ୍ଧାରରେ ରହିଛି। ଛଅ ଦଶନ୍ଧିର ଏହି ପୁରୁଣା ପାଠାଗାରରେ ପାଖାପାଖି ୩୮ଶହ ତାଳପତ୍ର ପୋଥି ରହିଛି। ଏଥିମଧ୍ୟରୁ ଅନେକ ପୋଥି ୩୦୦ ବର୍ଷରୁ ଅଧିକ ପୁରୁଣା। କିନ୍ତୁ ଏହି ଅମୂଲ୍ୟ ପୋଥିସବୁ କ୍ରମଶଃ ନଷ୍ଟ ହେବାରେ ଲାଗିଛି। ଏହାର ସଂରକ୍ଷଣ ପାଇଁ କୌଣସି ବିକଳ୍ପ ପଦକ୍ଷେପ ନିଆଯାଇନାହିଁ। ୧୯୪୨ ମସିହାରେ କଟକରେ ଉତ୍କଳ ବିଶ୍ୱବିଦ୍ୟାଳୟ ଥିବା ସମୟରେ ଅସ୍ଥାୟୀ ଭାବରେ ଏକ ପାଠାଗାର ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଭୁବନେଶ୍ୱରକୁ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତରିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ନାମ ଅନୁସାରେ ପାଠାଗାରର ନାଁ ପରିଜା ପାଠାଗାର ରଖା ଯାଇଥିଲା। ଲୋକଙ୍କ ସହାୟତାରେ ବିଭିନ୍ନ ସ୍ଥାନରୁ ପୋଥି ସଂଗ୍ରହ କରି ଏଠାରେ ରଖାଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ପୋଥିଗୁଡ଼ିକ ଅସ୍ଥାୟୀ ଭାବରେ ଏକ କୋଠରି ମଧ୍ୟରେ ଆଲମାରିରେ କପଡ଼ା ଗୁଡ଼ାଇ ରଖାଯାଇଛି। ସେଗୁଡ଼ିକ ନଷ୍ଟ ହେବାର ସବୁ ଆଶଙ୍କା ରହିଛି। ତା’ ଯଦି ହୁଏ ତେବେ ତା’ ଭିତରେ ଥିବା ମୌଳିକ ଓ ମୂଲ୍ୟବାନ ଜ୍ଞାନ ଚିରଦିନ ପାଇଁ ହଜିଯିବ ଏବଂ ପରପିଢ଼ି ଏହି ମୂଲ୍ୟବାନ ପୋଥିଗୁଡ଼ିକ ସମ୍ପର୍କରେ କିଛି ଜାଣି ପାରିବେ ନାହିଁ। ପାଠାଗାର ଆରମ୍ଭ ହେବା ସମୟରେ ଏଠାରେ ପୋଥି ପାଇଁ ସ୍ୱତନ୍ତ୍ର ବିଶେଷଜ୍ଞ ନିଯୁକ୍ତ ହୋଇଥିଲେ। ପୋଥି ଉପରେ ଗବେଷଣା କରୁଥିବା ଗବେଷକମାନଙ୍କୁ ସେ ଠିକ୍ ଦିଗ୍ଦର୍ଶନ ଦେଉଥିଲେ। କିନ୍ତୁ ୫ବର୍ଷ ହେଲା ସେହି ପଦବି ଖାଲି ପଡ଼ିଛି। ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ କିଛି ପୋଥିର ଡିଜିଟାଇଜେସନ୍ ହୋଇଛି ଅବଶ୍ୟ, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି।
ପାଠାଗାରର ଜଣେ କର୍ମଚାରୀ କହନ୍ତି, ପିଏଚ୍ଡି କିମ୍ବା ଅନ୍ୟ ଗବେଷଣା କରୁଥିବା ବ୍ୟକ୍ତି ବିଶେଷ ଏହି ପୁରାତନ ପୋଥିଗୁଡ଼ିକୁ ଅଧିକ ବ୍ୟବହାର କରିଥାନ୍ତି। ଗବେଷକମାନେ ବାରମ୍ବାର ତାଳପତ୍ର ପୋଥିକୁ କାଢ଼ିବା ଦ୍ୱାରା ଏହାର ଆୟୁଷ କମିଯାଉଛି। ପୋଥିଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ରହୁଥିବାରୁ ବାଧ୍ୟହୋଇ ଏହାକୁ ଅଧିକ ବ୍ୟବହାର ପାଇଁ ଦିଆଯାଉ ନାହିଁ।’’ ଜଣେ ଛାତ୍ରଙ୍କ କହିବା ଅନୁଯାୟୀ, ‘‘ପୋଥିଗୁଡ଼ିକୁ ଡିଜିଟାଇଜ୍ କରାଗଲେ ତାହାର ପ୍ରତ୍ୟକ୍ଷ ବ୍ୟବହାର କମି ପାରନ୍ତା। ଗବେଷଣା କରିବାକୁ ଆସୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ କମ୍ପ୍ୟୁଟର ମାଧ୍ୟମରେ ପୋଥିଗୁଡ଼ିକରେ ଥିବା ତଥ୍ୟ ଜାଣିପାରନ୍ତେ।’’ ବିଶ୍ୱବିଦ୍ୟାଳୟର ଲାଇବ୍ରେରି ଇନ୍ଚାର୍ଜ ଆଶାପୂର୍ଣ୍ଣା ପ୍ରିୟଦର୍ଶିନୀ ନାୟକ କହିଛନ୍ତି, ‘‘ପୋଥିଗୁଡ଼ିକର ଡିଜିଟାଇଜେସନ୍ ପାଇଁ ଆମେ ସଂସ୍କୃତି ବିଭାଗକୁ ଚିଠି ଲେଖିଛୁ। ସେମାନେ ଚିଠିର ଉତ୍ତର ଦେଇ କହିଛନ୍ତି, ଖୁବ୍ ଶୀଘ୍ର ପୋଥିଗୁଡ଼ିକୁ ଡିଜିଟାଇଜ୍ କରିବେ। ରାଜ୍ୟ ସରକାରଙ୍କ ତରଫରୁ ଯଦି କିଛି ଅନୁଦାନ ମିଳେ ତେବେ ଯଥାଶୀଘ୍ର ଡିଜିଟାଇଜ୍ କରାଯାଇ ମୂଳ ପୋଥିଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ରଖା ଯାଇପାରିବ।’’
ନଷ୍ଟ ହେଉଛି ବିରଳ ପୋଥି : ପରିଜା ପାଠାଗାରରେ ୩୮୦୦ ଡିଜିଟାଇଜେସନ୍ କେବେ?
Share Now: