ଓଡ଼ିଶା ସ୍ୱାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟସେବା ବ୍ୟାଘାତ ଆଶଙ୍କା

ଭୁବନେଶ୍ୱର : ୬ ଦଫା ଦାବି ନେଇ ଆଜି ଓଡ଼ିଶା ସ୍ୱାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦିଆଯାଇଛି। ସଂଘର ଅଧୀନରେ ଥିବା ହଜାର ହଜାର କର୍ମଚାରୀ ଆଜି ବିଧାନସଭା ସମ୍ମୁଖରେ ଧାରଣାରେ ସାମିଲ ହୋଇଛନ୍ତି। ତେବେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ମା’ ଓ ଶିଶୁ ସ୍ୱାସ୍ଥ୍ୟ ସମେତ ସ୍ୱାସ୍ଥ୍ୟସେବା ବ୍ୟାଘାତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସଂଘର ଦାବି ରହିଛି, ଗତବର୍ଷ ଜାତୀୟ ସ୍ୱାସ୍ଥ୍ୟ ନୀତି ଅନୁଯାୟୀ ଜନସ୍ୱାସ୍ଥ୍ୟ ପରିଚାଳନା କ୍ୟାଡର ପଦବି ସୃଷ୍ଟି କରି ସେମାନଙ୍କୁ ନିୟମିତ ନିଯୁକ୍ତି ଦିଆଯାଉ। ନିୟମିତ ନିଯୁକ୍ତି ଦେବା ପର୍ଯ୍ୟନ୍ତ ୭ମ ବେତନ କମିସନଙ୍କ ସୁପାରିସ ଆଧାରରେ ଦରମା ବୃଦ୍ଧି କରିବା, ଦରମାରେ ଥିବା ଅସଙ୍ଗତି ଦୂର କରି ନିୟମିତ ହାରରେ ଦରମା ପ୍ରଦାନ, ସ୍ୱାସ୍ଥ୍ୟ ମିସନର ସମସ୍ତ କର୍ମଚାରୀଙ୍କ ପାଇଁ କର୍ମଚାର ଭବିଷ୍ୟନିଧି ପାଣ୍ଠିର ବ୍ୟବସ୍ଥା, ସମସ୍ତଙ୍କ ପାଇଁ ଗୋଷ୍ଠୀ ବୀମା/ସ୍ୱାସ୍ଥ୍ୟ ବୀମା ସୁବିଧା, ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନକୁ ଉଚ୍ଛେଦ ଓ ଘରଭଡ଼ା ପ୍ରଦାନ ସହିତ ଅଭିଜ୍ଞତା ଭତ୍ତାର ସୁବିଧା ପ୍ରଦାନ କରିବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି। ସଂଘର ଦାବିଗୁଡ଼ିକର ବିଚାର ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପୂର୍ଣ୍ଣ କମିଟି ଗଠନ କରାଯାଇଥିଲା। ଗତ ମେ’୨୪ ତାରିଖରେ ଏଥିପାଇଁ ବୈଠକ ବସିଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାଫଳରେ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ସଂଘର ଦାବିକୁ ଓଡ଼ିଶା ଆୟୁଷ ଡାକ୍ତର ସଂଘ, ଡାକ୍ତର ସଂଘ ଓ ଆଶା କର୍ମୀ ସଂଘ ଏହାକୁ ସମର୍ଥନ ଜଣାଇଛନ୍ତି। ତେବେ ଜାତୀୟ ସ୍ୱାସ୍ଥ୍ୟ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟାଘାତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଟିକାକରଣ, ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଗାଁ କଲ୍ୟାଣ ସମିତି, ରୋଗୀ କଲ୍ୟାଣ ସମିତି, ନିଦାନ, ନିରାମୟ, ଡାକ୍ତରଖାନ ପରିମଳ ଯୋଜନା ସହିତ ଜନସ୍ୱାସ୍ଥ୍ୟ ଯୋଜନା, ସଂକ୍ରାମକ ଓ ଅଣସଂକ୍ରାମକ ରୋଗୀ ପରିଚାଳନା ବ୍ୟାଘାତ ହେବ ବୋଲି ସଂଘ ଚେତାବନୀ ଦେଇଛି। ଆନ୍ଦୋଳନରେ ସଭାପତି ରବୀନ୍ଦ୍ର ଜେନା, ଉପସଭାପତି ଉମାଶଙ୍କର ସାହୁ, ସାଧାରଣ ସଂପାଦକ ଧନେଶ୍ୱର ସ୍ୱାଇଁ, କବି ପ୍ରସାଦ ସାହୁ, ତପନ କୁମାର, ଗୌତମ ସାମଲ, ଜୟନ୍ତ ଭୋଇ, ଜ୍ୟୋତିରଂଜନ ଶତପଥୀ, ପ୍ରବୀର ମେହେର, କିଶୋର ପଟ୍ଟନାୟକ, ରୂପକ ମହପାତ୍ର, ବିଜୟ ନାୟକ ଓ ରାଧାରମଣ ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ପ୍ରଭାବିତ ଅଞ୍ଚଳରେ ୭ ଦିନ ରିଲିଫ୍‌

Tue Sep 11 , 2018
ଭୁବନେଶ୍ୱର, : ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ବନ୍ୟା ପରିସ୍ଥିତି ଓ ଜିଲ୍ଲାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ସାତ ଦିନ ରିଲିଫ୍‌ ଯୋଗାଇବା ନେଇ ସେ ଘୋଷଣା କରିଥିଲେ। ଏ ବାବଦରେ ପୌଢ଼ମାନଙ୍କୁ ଦୈନିକ ୬୦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial