ଭୁବନେଶ୍ୱର: ରାଜଧାନୀ ବଜାରକୁ କବ୍ଜା କରି ରଖିଛି ଆନ୍ଧ୍ର କଦଳୀ। ଠାକୁରଙ୍କ ପ୍ରସାଦ ଠାରୁ ଆରମ୍ଭ କରି ଜଳଖିଆ ପର୍ଯ୍ୟନ୍ତ, ପ୍ରତ୍ୟେକ କାର୍ଯ୍ୟରେ ଆନ୍ଧ୍ରରୁ ଆସୁଥିବା କଦଳୀ ହିଁ ଭରସା ହୋଇ ରହିଛି। ଅନ୍ୟ ରାଜ୍ୟରୁ କେବେ କେବେ ଆଳୁ ବା ପିଆଜ ଯୋଗାଣ ବନ୍ଦହେଲେ ଓଡ଼ିଶାରେ ଉପୁଜୁଥିବା ସମସ୍ୟା ଭଳି କଦଳୀ ଯୋଗାଣ କେବେ ବନ୍ଦ ହୋଇଗଲେ ଏଠାରେ ନାହିଁ ନଥିବା ସ୍ଥିତି ହେବା ପ୍ରାୟତଃ ନିଶ୍ଚିତ। ଏପରିକି ଦିଅଁଙ୍କ ପାଇଁ ବି କଦଳୀ ମିଳିବନାହିଁ। ପୂର୍ବଭଳି ରାଜ୍ୟର ଅନେକ ଅଞ୍ଚଳରେ କଦଳୀ ଚାଷ ହେଉନଥିବାରୁ ଏଭଳି ହେଉଥିବା ଅଭିଯୋଗ ହୁଏ।
ସୂଚନା ଅନୁଯାୟୀ, ରାଜଧାନୀ ସମେତ ଓଡ଼ିଶା ବଜାରରେ ମୁଖ୍ୟତଃ ୩ ପ୍ରକାର, ଯଥା ଛୋଟ ହଳଦିଆ ଚମ୍ପା କଦଳୀ, ମୋଟା ଭୁସାବଳି କଦଳୀ ଓ କେଜି ପ୍ରତି ପ୍ରାୟ ୫୦ ଟଙ୍କାରେ ବିକ୍ରି ହେଉଥିବା ଜି୯ ସବୁଜ କଦଳୀ ବିକ୍ରି ହେଉଛି। ରାଜ୍ୟର ଅନୁଗୁଳ, ବଲାଙ୍ଗୀରର ପାଟଣାଗଡ଼, କଳାହାଣ୍ଡି, କୋରାପୁଟରେ କଦଳୀ ଚାଷ ହେଉଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ ଭଳି। ପୁଣି ସମ୍ବଲପୁରର ରେଢ଼ାଖୋଲ, ବରଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ବାଲେଶ୍ୱରର ବିଭିନ୍ନ ଅଞ୍ଚଳରେ ହେଉଥିବା କଦଳୀ ଚାଷ ମଧ୍ୟ ବାତ୍ୟା ପରେ କମି ଯାଇଛି। ଯାହାବି ହେଉଛି ସ୍ଥାନୀୟ ଗାଁ କି ସହରର ଆବଶ୍ୟକତା ମେଣ୍ଟାଇବାରେ ସରିଯାଉଛି। ସ୍ଥିତି ଏଭଳି ହୋଇଛି ଯେ ୨୦୧୦ ମସିହାରେ ବଜାରକୁ ଓଡ଼ିଶାର ସ୍ଥାନୀୟ କଦଳୀ ଯେତେ ଆସୁଥିଲା, ବର୍ତ୍ତମାନ ସେତିକି ମଧ୍ୟ ଆସୁନାହିଁ। ବିଶେଷଜ୍ଞଙ୍କ ଅନୁସାରେ, ରସାବଳୀ ଓ ଚମ୍ପା ମୁଖ୍ୟତଃ ଖରାଦିନରେ ଆସେ। ଏହା ଗଛ ପୋତିବାର ୧୨ରୁ ୧୩ ମାସରେ ବିକ୍ରିଯୋଗ୍ୟ ଫଳ ଦେଇଥାଏ। କିନ୍ତୁ ଜି-୯ ଖରାରେ ଖରାପ ହୋଇଯାଏ। ଶୀତରେ ଏହା ଉପଲବ୍ଧ ହୁଏ। ରାଜ୍ୟର ବିଭିନ୍ନ ଜିଲ୍ଲାର ମାଟି ଓ ପାଣିପାଗ କଦଳୀ ଚାଷ ପାଇଁ ଉପଯୁକ୍ତ ହୋଇଥିଲେ ହେଁ ଚାଷୀମାନେ ସେଦିଗରେ ଆଗ୍ରହ ଦେଖାଉ ନାହାନ୍ତି। ଫଳରେ ଆନ୍ଧ୍ର ଓ ମହାରାଷ୍ଟ୍ର ଉପରେ ହିଁ ରାଜ୍ୟର କଦଳୀ ବଜାର ନିର୍ଭରଶୀଳ। ତେଣୁ ସେଠାକାର ବ୍ୟବସାୟୀ ଏଠା ବଜାରର କଦଳୀ ମୂଲ୍ୟ ନିର୍ଧାରଣ କରୁଛନ୍ତି କହିଲେ ଭୁଲ୍ ହେବନାହିଁ।
ଆଜି ଜାତୀୟ କଦଳୀ ଦିବସ : ଆନ୍ଧ୍ର କବ୍ଜାରେ ରାଜଧାନୀର କଦଳୀ ବଜାର

Share Now: