ଜାନୁଆରି ୬ରୁ ଓର୍‌ମାସ ‘ଶିଶିର ସରସ-୨୦୨୪’ : ବରମୁଣ୍ଡା ପଡ଼ିଆରେ ୨୬ଟି ରାଜ୍ୟର ୪୦୦ ଷ୍ଟଲ୍

ଖଣ୍ଡଗିରି: ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ‘ଶିଶିର ସରସ-୨୦୨୪’ ଜାନୁଆରି ୬ ତାରିଖରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଓର୍‌ମାସ ପକ୍ଷରୁ ଆରମ୍ଭ ହେବ। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓର୍‌ମାସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି କହିଛନ୍ତି, ୪୦୦ଟି ଷ୍ଟଲ ଜରିଆରେ ଓଡ଼ିଶା ସମେତ ୨୬ଟି ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ କାରିଗରମାନଙ୍କ ହାତ ତିଆରି ସାମଗ୍ରୀର ବିକ୍ରି ହେବ। ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଜୀବିକା ଓ ଦକ୍ଷତା ବିକାଶ ଆଦିକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ କରାଯାଉଛି। ବରିଷ୍ଠ ନାଗରିକଙ୍କ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରି ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା ମଧ୍ୟ ହୋଇଛି। ମେଳାରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ଏବଂ ଟ୍ରାଫିକ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଓର୍‌ମାସ ପକ୍ଷରୁ ସୂଚନା ଦିଆଯାଇଛି।
ବିଭିନ୍ନ ଘରୋଇ ତଥା ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ମେଳା ପରିସରରେ ଏଟିଏମ ମେସିନ ଲଗାଇବା, ପାନୀୟ ଜଳ ଯୋଗାଣ, ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ (ହାଲୁକା ଯାନ) ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ଜୋନର ବ୍ୟବସ୍ଥା, ମେଳା ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ଦିଗରେ ବିଏମ୍‌ସି ପକ୍ଷରୁ ମେଳାରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ। ଏଥିରେ ପଣ୍ଡିଚେରୀର କାଗଜ ତିଆରି ସାମଗ୍ରୀ, ଉତ୍ତର ପ୍ରଦେଶର ଲୁହାରୁ ତିଆରି ସାମଗ୍ରୀ, ଛତିଶଗଡ଼ର ଟସର ଲୁଗା, ଆସାମର ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ଓଡ଼ିଶାର ଆଦିବାସୀ ଅଳଙ୍କାର, ଡୋକ୍ରା ଜିନିଷ, ଟେରାକୋଟା, ଅଦରକାରୀ କାଗଜରୁ ତିଆରି ଘର ସାଜସଜ୍ଜା ସାମଗ୍ରୀ, ଖାଦ୍ୟ ଓ ମସଲା ଆଦି ଜିନିଷ ଆକର୍ଷଣର କେନ୍ଦ୍ର ହେବ। ମେଳା ପ୍ରତିଦିନ ସକାଳ ୧୧.୩୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ସାମ୍ବାଦିକ ସମ୍ମିଳନୀରେ ଓର୍‌ମାସର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗରେ ତୃଣମୂଳ ନେତା ଗିରଫ : ‘ଇଡି’ ଟିମ୍‌ ଉପରେ ଆକ୍ରମଣ

Fri Jan 5 , 2024
କୋଲ୍‌କାତା: ଆଜି ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ର ଏକ ଟିମ୍‌ ଉପରେ ଆକ୍ରମଣ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରେସନ୍‌ ବଣ୍ଟନରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ଚଢ଼ଉ କରିବାକୁ ଯାଇଥିବା ବେଳେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଟିମ୍‌ ଆକ୍ରମଣର ସରବ୍ୟ ହୋଇଥିଲେ। ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଟିମ୍‌ ‘ତୃଣମୂଳ କଂଗ୍ରେସ’ ନେତା ଜାହାନ୍‌ ଶେଖ୍‌ଙ୍କ ବାସଭବନରେ ପହଞ୍ଚିବାକ୍ଷଣି ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial