ପଦାରେ ପଡ଼ିଲା ଅପାରଗତା : ରାସ୍ତାରେ ନଳାପଙ୍କ

ଭୁବନେଶ୍ୱର: ବେଳହୁଁ ସାବଧାନ ହେଲେନି। କାଳବୈଶାଖୀ ବର୍ଷା ଦେଖାଇଦେଲା ବାସ୍ତବତା। ଅସରାଏ ବର୍ଷାରେ ରାସ୍ତା ଉପରକୁ ଉଠି ଆସିଲା ନଳାପଙ୍କ। ରାସ୍ତାରେ ଜମାହୋଇ ରହିଲା। ଆଜି ଦିନସାରା ଏହି ପଙ୍କ ସମସ୍ତଙ୍କୁ ଟେନ୍‌ସନ୍‌ ଦେଲା। ଗାଡ଼ି ଚକାରୁ ଛିଟିକି ଆସି ପଥଚାରୀଙ୍କ ଦେହରେ ନେସି ହୋଇଗଲା। କେତେକ ଏହି ପଙ୍କରେ ଖସି ବାଇକ୍‌ ଓ ସ୍କୁଟି ସହ ଚିତ୍‌ପଟାଙ୍ଗ୍‌ ମାରିଲେ। କେତେକ ଜାଗାରେ ପାଇଖାନା ନଳା ସହ ସଂଯୁକ୍ତ ହୋଇଥିବାରୁ ରାସ୍ତାରେ ମଳ ବି ଭାସିଲା। ଆଜି ଦିନସାରା ଯିଏ ଏହି ପଙ୍କ ନିର୍ଯାତନାର ଶିକାର ହୋଇଛି, ସେ ବିଏମ୍‌ସିକୁ ଗାଳି ଦେଇଛି।
ବିଶେଷକରି ପୋଖରୀପୁଟ, ନୂଆପଲ୍ଲୀର କିଛି ଅଞ୍ଚଳ, ଝାରପଡ଼ାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଯେଉଁଠି ଖାଲ ସେଇଠି ଏହି ପଙ୍କ ଜମା ହୋଇ ରହିଛି। ଯିଏ ଗାଡ଼ିରୁ ପଡ଼ିଛି ବା ଯାହା ଉପରେ ଏହି ପଙ୍କଛିଟା ପଡ଼ିଛି ସେ ବିଏମ୍‌ସିକୁ ଗାଳି ଦେଇଛି। ଯାହା ଦୁଆର ମୁହଁରେ ଗଦା ହୋଇ ରହିଛି, ସେ ବି ବିଏମ୍‌ସିକୁ ଛାଡ଼ିନାହିଁ। ଏଣେତେଣେ ଫୋନ୍‌ ଘୂରାଇ ଶେଷରେ ନିଜେ କୋଦାଳ ଧରି ସଫା କରିଥିବା ଦେଖାଯାଇଛି। ନୂଆପଲ୍ଲୀର ହେମନ୍ତ ବେହେରା କହିଛନ୍ତି, ‘‘ଏତେ ଟଙ୍କା ଖର୍ଚ୍ଚ ହେଉଛି, ଯାଉଛି କୁଆଡ଼େ? ଜୁନ୍‌ରେ ବର୍ଷା ହେବ, ଏମାନେ କ’ଣ ଜାଣିପାରୁ ନାହାନ୍ତି? ତା’ ପୂର୍ବରୁ ନଳା ସଫା କରିଦେଲେ କ’ଣ ଅସୁବିଧା ହେଇଯିବ?’’ ପୋଖରୀପୁଟରେ ରହୁଥିବା ଜଣେ ଡାକ୍ତର ନାମ ଗୋପନ ରଖି କହିଛନ୍ତି, ‘‘ସବୁଥିରେ ପିସି କାରବାର ଚାଲିଛି। ଯେଉଁ ନଳାରୁ ପଙ୍କ ଉଠି ଆସିଛି, ସେହି ନଳା ନିଶ୍ଚୟ ବିଏମ୍‌ସି ଖାତାରେ ସଫା ହୋଇଥିବା ଦର୍ଶାଯାଇଥିବ। ଗୋଟିଏ କାଳବୈଶାଖୀ ବର୍ଷାରେ ଯଦି ସ୍ଥିତି ଏଭଳି, ତେବେ ଆସନ୍ତା ବର୍ଷାଋତୁରେ ଭୁବନେଶ୍ୱର‌ରେ ରହିବା କଷ୍ଟକର ହୋଇପଡ଼ିବ।’’ ଏଣେ ବିଏମ୍‌ସି ମାତ୍ର ୩୦ ପ୍ରତିଶତ ନଳା ସଫା ହୋଇଥିବା ସ୍ୱୀକାର କରିଛି। ଶତପ୍ରତିଶତ ସଫା କରିବାକୁ ଏଜେନ୍‌ସିମାନଙ୍କୁ କେବଳ ତାଗିଦ୍‌ କରାଯାଇଛି।

Share Now:

Kalinga News Beuro

Next Post

ଆଜି ଓଡ଼ିଶାରେ ନୂଆ ଇତିହାସ ଲେଖାଗଲା : ଧର୍ମେନ୍ଦ୍ର

Tue Jun 4 , 2024
ମହାପ୍ରଭୁ ଜଗନ୍ନାଥ ପାଖରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି ଭୁବନେଶ୍ୱର: ବିଜେପିର ବିଜୟ ପରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆଜି ଓଡିଶାରେ ନୂଆ ଇତିହାସ ଲେଖାଗଲା। ୧୯ଟି ଲୋକସଭା ଆସନରେ ବିଜୟ ଏବଂ ଆଉ ଗୋଟେ ଆସନରେ ବିଜୟର ସମ୍ଭାବନା ରହିଛି। ବିଜେଡ଼ି ଓ କଂଗ୍ରେସ ଦଳକୁ ଦୀର୍ଘବର୍ଷ ଧରି ସେବା କରିବାର ସୁଯୋଗ ମିଳିଥିଲା। ଓଡ଼ିଶା ଆସି ପ୍ରଧାନମନ୍ତ୍ରୀ ବିଜେପିକୁ […]

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial