ଦୟା ୱେଷ୍ଟ କେନାଲ୍‌ର ହେବ ଡ୍ରୋନ୍‌ ସର୍ଭେ : ୬ ଥାକିଆ ରାସ୍ତା ପାଇଁ ବାଟ ଫିଟିବ

ଦୟା ୱେଷ୍ଟ କେନାଲ୍‌ର ହେବ ଡ୍ରୋନ୍‌ ସର୍ଭେ

ଭୁବନେଶ୍ୱର: ଦୟାୱେଷ୍ଟ କେନାଲ ଦୁଇକଡ଼ ଦେଇ ଯିବାକୁ ଥିବା ୬ ଥାକିଆ ରାସ୍ତା ନିର୍ମାଣ ପାଇଁ ଡ୍ରୋନ୍‌ ସର୍ଭେ ହେବ। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୮କିମି ବନ୍ଧରେ କେତେ ଜବରଦଖଲ ଅଛି? କେତେ ଖାଲି ଜାଗା ଅଛି? କେତେ ବସ୍ତି ଅଛି? କି କି ପ୍ରକାରର ନିର୍ମାଣ ଅଛି? ଏସବୁର ସର୍ଭେ ଡ୍ରୋନ୍‌ କରିବ। ଏଥିପାଇଁ ବିଡିଏ ଠିକା ସଂସ୍ଥା ଚୟନ କରୁଛି। ଦୟା ଅବବାହିକାର ଅନେକ ଜାଗାରେ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା ଥିବାରୁ ଡ୍ରୋନ୍‌ ଉଡ଼ାଇବା ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ଡିଜିସିଏ(ଡାଇରେକ୍ଟର ଜେନେରାଲ ସିଭିଲ ଆଭିଏସନ), ରିମୋଟ୍‌ ପାଇଲଟ୍‌ ସାର୍ଟିଫିକେଟ୍‌ ଓ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତିପତ୍ର ଗ୍ରହଣ କରିବାକୁ କୁହାଯାଇଛି। ନିକଟ ଅତୀତରେ ଘର ଘର ବୁଲି ବିଡିଏ ପକ୍ଷରୁ ସର୍ଭେ କରାଯାଇଥିଲା। ୩୫୦୦ରୁ ଉର୍ଦ୍ଧ୍ଵ ଘର ଜବରଦଖଲରେ ଥିବା ତଥ୍ୟ ସଂଗ୍ରହ କରାଯାଇଥିଲା। ଏବେ ଡ୍ରୋନ୍‌ ଏହି ତଥ୍ୟକୁ ସୁନିଶ୍ଚିତ କରିବ। ଜବରଦଖଲ ଉଚ୍ଛେଦ ସହ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବା ପରେ ଏହି ୬ ଥାକିଆ ରାସ୍ତା କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
୯ବସ୍ତିରୁ ଉଚ୍ଛେଦ ହେବେ ୫୮୦ ପରିବାର
ଗତ ଫେବୃଆରୀ ମାସରେ ଦୟାୱେଷ୍ଟ କେନାଲର ଦୁଇ କଡ଼ ଦେଇ ୬ ଥାକିଆ ରାସ୍ତା ନେବା ପାଇଁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବ ବୈଠକରେ ଚୂଡ଼ାନ୍ତ ହୋଇଥିଲା। ୩୮ କିମି କେନାଲ ଓ ରାସ୍ତା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୭୧୮.୯ କୋଟି ଟଙ୍କାର ଡିପିଆର୍‌ରେ ମୋହର ବାଜିଥିଲା। ଦୁଇ କଡ଼ରେ ୬ ଥାକିଆ ରାସ୍ତା ସହ ସୌନ୍ଦର୍ଯ୍ୟୀକରଣ କରାଯିବାକୁ ଯୋଜନା ହୋଇଥିଲା। ଏହାଦ୍ୱାରା ପୁରୀ-କଟକ ବାଇପାସ୍‌ ରୋଡ୍‌ରୁ ରବି ଟକିଜ୍‌ ପର୍ଯ୍ୟନ୍ତ ଦେଖାଦେଉଥିବା ନିତିଦିନିଆ ଗହଳି ଅନେକାଂଶରେ ହ୍ରାସ ପାଇବ ବୋଲି ଆଶା କରାଯାଇଥିଲା। ଏହାର ସ୍ଥିତି ଜାଣିବା ପାଇଁ ବିଡିଏ ମେ ୨୦ ତାରିଖରେ ସର୍ଭେ କରିଥିଲା। ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ୱାର୍କ ଆଣ୍ଡ ସୋସିଆଲ ସାଇନ୍ସ (ନିଶ୍ଵାସ) ଅନୁଷ୍ଠାନ ସହଯୋଗରେ ହୋଇଥିବା ଏହି ସର୍ଭେ ଜୁନ୍‌ ୧୩ରେ ସରିଥିଲା। ଛାତ୍ରଛାତ୍ରୀମାନେ ଘର ଘର ବୁଲି ଏକ ସ୍ୱତନ୍ତ୍ର ଫର୍ମାଟ୍‌ରେ ତଥ୍ୟ ସଂଗ୍ରହ କରିବା ସହ ପ୍ରତ୍ୟେକ ଘରର ଜିପିଏସ୍‌ ଟ୍ୟାଗିଂ କରିଥିଲେ। ଏଥିରେ ମୋଟ ୩୫୪୦ଟି ଜବରଦଖଲ ରହିଥିବା ଜଣାପଡ଼ିଥିଲା। ଏଥିରେ ଆବାସିକ ଉଦ୍ଦେଶ୍ୟରେ ୨୭୩୬ଟି ଓ ୭୩୯ଟି ନିର୍ମାଣ ବ୍ୟାବସାୟିକ ଉଦ୍ଦେଶ୍ୟରେ ଥିଲା। ଏହା ଛଡ଼ା ମନ୍ଦିର, ସ୍କୁଲ, କମ୍ୟୁନିଟି ହଲ୍‌, ପାଚେରି ଓ ଗୁହାଳ ପ୍ରଭୃତି ୬୫ଟି ଥିଲା।
ଏହି ରାସ୍ତା ନିର୍ମାଣ ପାଇଁ ୯ଟି ବସ୍ତି ପ୍ରଭାବିତ ହେବେ। ଏଥିରେ ମୋଟ ୨୩୨୪ ଘର ପ୍ରଭାବିତ ହେବ। ସେଗୁଡ଼ିକ ହେଉଛି ଶ୍ରୀରାମ ନଗର, ହାଡ଼ବାଇ-୧, ହାଡବାଇ-୨, ପଟାଦେବୀ-୧, ପଳାସୁଣି ମୁଣ୍ଡାସାହି, ଓସିସି, ଆଖଣ୍ଡଳମଣୀ, ଭଗବତୀ ଓ ପଟାଦେବୀ-୨। ଏଥିରେ ୨୩୨୪ ପରିବାର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୧୬୪୪ ପରିବାର ରେ’(ରାଜୀବ ଆବାସ ଯୋଜନା)ରେ ସାମିଲ ହୋଇଛନ୍ତି। ଏଣୁ ୫୮୦ ପରିବାର ଉଚ୍ଛେଦ ହେବା ସ୍ପଷ୍ଟ ହୋଇଛି। ଏଣୁ ଉଚ୍ଛେଦ ସମସ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଏମ୍‌ସି ଯଦି ସେମାନଙ୍କୁ ଥଇଥାନ କରେ ତେବେ ସମସ୍ୟା ହେବ ନାହିଁ ବୋଲି କୁହାଯାଉଛି। ପଟାଦେବୀ ବସ୍ତିରେ ୬୩ ପରିବାର ରହିଛନ୍ତି। କିନ୍ତୁ ଗୋଟିଏ ହେଲେ ପରିବାର ରେ’ରେ ସାମିଲ ହୋଇନାହାନ୍ତି। ଶ୍ରୀରାମ ନଗର ବସ୍ତିରେ ୭୫୦ ପରିବାର ରହିଥିବା ବେଳେ ୬୨୦ ପରିବାର ରେ’ରେ ସାମିଲ ହୋଇଛନ୍ତି। ଡ୍ରୋନ୍‌ ସର୍ଭେ ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ଦିଲ୍ଲୀରେ ହାଇ ଆଲର୍ଟ: ‘ଇଣ୍ଡିଆ ଗେଟ୍‌’କୁ ପଶିପାରେ ବନ୍ୟାଜଳ

Thu Jul 13 , 2023
ବିପଦ ସଙ୍କେତ ଟପୁଛି ଯମୁନା ନଦୀ ନୂଆଦିଲ୍ଲୀ: ଯମୁନା ନଦୀର ଜଳସ୍ତର ୨୦୮.୪୮ ମିଟର୍‌କୁ ବୃଦ୍ଧି ପାଇଥିବାରୁ ଦିଲ୍ଲୀର ପ୍ରସିଦ୍ଧ ‘ଇଣ୍ଡିଆ ଗେଟ୍‌’ ଅଞ୍ଚଳ ଜଳର୍ଣ୍ଣବ ହୋଇ ପାରେ ବୋଲି ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ଦିଲ୍ଲୀର ଲାଲ୍‌ କିଲ୍ଲା ଓ ପୁରୁଣା ସଚିବାଳୟରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଯମୁନା ନଦୀଠାରୁ ମାତ୍ର ୩/୪ କିଲୋମିଟର୍‌ ଦୂରରେ ଥିବା ‘ଇଣ୍ଡିଆ ଗେଟ୍‌’ ଗେଟ୍‌ରେ ବନ୍ୟାଜଳ ପ୍ରବେଶ କରିବାକୁ […]
ଦିଲ୍ଲୀରେ ହାଇ ଆଲର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial