ପହିଲାରୁ ଜମି ପଟ୍ଟା ସହ ନକ୍ସା : ୩୧ରୁ ତହସିଲରେ ହାତଲେଖା ନିଷିଦ୍ଧ, ଜମିଜମା କାରବାରରୁ ଦଲାଲି, ଦୁର୍ନୀତି ହଟିବ

ଭୁବନେଶ୍ୱର : ଜମିଜମା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ବଡ଼ ଧରଣର ଇ-ପ୍ରାଶାସନିକ ପଦକ୍ଷେପ ନେଇଛି। ଏହି ପଦକ୍ଷେପ ଅନୁଯାୟୀ ଆସନ୍ତା ୩୧ ତାରିଖରୁ ତହସିଲମାନଙ୍କରେ ହାତଲେଖା କାମ ସଂପୂର୍ଣ୍ଣ ରୂପେ ବନ୍ଦ ହେବ। ସେପ୍ଟେମ୍ବର ପହିଲାରୁ ଜମି ପଟ୍ଟା ସହିତ ଭୂ-ନକ୍ସା(କାଡାଷ୍ଟ୍ରାଲ୍‌ ମ୍ୟାପ୍‌) ପ୍ରଦାନ ବାଧ୍ୟତାମୂଳକ। ଯେଉଁ ରାଜସ୍ୱ ଅଧିକାରୀମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାର୍ଯ୍ୟର ତଦାରଖରେ ଅବହେଳା କଲେ ସଂପୃକ୍ତ ଉପଜିଲ୍ଲାପାଳ କି ଅତିରିକ୍ତ ଜିଲ୍ଲାପାଳଙ୍କୁ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଦ୍ୱାରା ଜମିଜମା କାରବାର ସ୍ୱଚ୍ଛ ହେବ। ଏହି କାରବାରରୁ ମଧ୍ୟସ୍ଥି, ଦଲାଲ ହଟିବେ। ଦୁର୍ନୀତି ଉପରେ ମଧ୍ୟ ଅଙ୍କୁଶ ଲାଗିବ ବୋଲି କୁହାଯାଉଛି। ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ଡ. ଚନ୍ଦ୍ରଶେଖର କୁମାର ଭିଡିଓ କନ୍‌ଫରେନ୍ସିଂ ଯୋଗେ ରାଜ୍ୟର ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଏହି ଭୂ-ନକ୍ସାର କାର୍ଯ୍ୟକାରିତା ସଂପର୍କରେ ନିର୍ଦେଶ ଦେଇଥିଲେ। ଏ ନେଇ ଗତକାଲି ସେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହି ନିଷ୍ପତ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ତାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗତକାଲି ସୁଦ୍ଧା କ୍ରମାଗତ ଭାବେ ୫୩ଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା ୧ ତାରିଖରୁ ରାଜ୍ୟର ପ୍ରତ୍ୟେକ ତହସିଲରେ ଜମି ପଟ୍ଟା ସହିତ ନକ୍ସା ପ୍ରଦାନ(ଭୂ-ନକ୍ସା)କୁ ବାଧ୍ୟତାମୂଳକ କରାଯାଇଛି। ଜମି ପଟ୍ଟା ପାଇଁ ଆବେଦନ ତାରିଖ ଯାହା ବି ହୋଇଥାଉ, କିନ୍ତୁ ନକ୍ସା ସହିତ ପଟ୍ଟା ପ୍ରଦାନ ପହିଲାରୁ ହିଁ କରାଯିବ। ଏହାବ୍ୟତୀତ, ଜମି କିସମ ପରିବର୍ତନ, ଜମି ଭାଗବଣ୍ଟା, ଜବରଦଖଲ, ସରକାରୀ ଜମି ଲିଜ୍‌ ଆଦି ବିଭିନ୍ନ କାର୍ଯ୍ୟ ରେଭେନ୍ୟୁ କୋର୍ଟ କେସ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ(ଆରସିସିଏମ୍‌ଏସ୍‌)ରେ କରାଯିବା ମଧ୍ୟ ବାଧ୍ୟତାମୂଳକ। ଏହି ବ୍ୟବସ୍ଥାରେ ତହସିଲ୍‌ରେ କେତେ କେସ୍‌ ଫଇସଲା, କେତେ ବାକି ପଡ଼ିଛି ସେ ନେଇ ପ୍ରତ୍ୟେକ ଦିନ ତଥ୍ୟ ବିଭାଗୀୟ ଓ୍ଵବ୍‌ସାଇଟ୍‌ର ବୁଲେଟିନ୍‌ରେ ଅପ୍‌ଲୋଡ୍‌ କରିବାକୁ ହେବ। ଏହା ଜନସାଧାରଣଙ୍କ ଅବଗତି ପାଇଁ ଖୋଲା ରହିବ। ଫଳରେ ତହସିଲ୍‌ରେ ଜଣେ ଆବେଦନକାରୀଙ୍କ କାର୍ଯ୍ୟର ଅଗ୍ରଗତି ମଧ୍ୟ ଜାଣିହେବ। ଏଥିରେ ଖିଲାପ କଲେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି। ସୂଚନାନୁସାରେ ବର୍ତମାନ ଜମି ପଟ୍ଟା ପାଇବା ପାଇଁ ଓଡ଼ିଶା ଜନସେବା ଅଧିକାର ଆଇନ ମୁତାବକ ୯୦ ଦିନର ସମୟସୀମା ରହିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର କାର୍ଯ୍ୟାନ୍ଵୟନ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଓ ଅଭିଯୋଗ ରହିଛି।

Share Now:

Kalinga News Beuro

Leave a Reply

Next Post

ଅଫିସର ଦମ୍ପତି ଗିରଫ, ୭ କୋଟିର ଆୟ ବହିର୍ଭୁତ ସମ୍ପତ୍ତି ଠାବ

Fri Aug 31 , 2018
ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ପ୍ରଶାସନିକ ସେବାର ଅଫିସର ଦମ୍ପତିଙ୍କୁ ରାଜ୍ୟ ଭିଜିଲାନ୍ସ ଆଜି ଗିରଫ କରିଛି। ଓପେପାରେ ଚିଫ୍ ଆକାଉଣ୍ଟସ ଅଫିସର ଭାବେ କାର୍ଯ୍ୟ କରୁଥିବା ଓଏଫ୍ଏସ୍ ନଳିନୀ ପୃଷ୍ଟି ଓ ତାଙ୍କ ଓଏଏସ୍ ପତି ଛତ୍ରପୁର ତହସିଲ୍‌ଦାର ବିଜୟ କେତନ ସାହୁଙ୍କୁ ୬.୮୭ କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଗିରଫ କରାଯାଇଛି। ଦମ୍ପତିଙ୍କଠୁ ମିଳିଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial