ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକଙ୍କୁ ସାପ ମାସକ ଭିତରେ ୫ଥର ଦଂଶନ କରିଥିବା ଜଣାପଡ଼ିଛି। ଏହି ଘଟଣାଟି ଫତେହପୁର ଜିଲ୍ଲାର ମାଲବା ଥାନା ଅଧୀନସ୍ଥ ସୋରା ଗ୍ରାମରେ ଘଟିଛି। ଏଠାରେ ରହୁଥିବା ବିକାଶ ଦୁବେଙ୍କୁ ମାସକ ଭିତରେ ଗୋଟିଏ ସାପ ୫ଥର ଦଂଶନ କରିଛି। ସୌଭାଗ୍ୟବଶତଃ ବିକାଶ ଦୁବେ ପ୍ରତିଥର ଚିକିତ୍ସାପରେ ସୁସ୍ଥ ହୋଇଯାଇଛନ୍ତି। ଖବର ଲେଖାହେଲା ପର୍ଯ୍ୟନ୍ତ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବିକାଶ ଦୁବେ କହିଛନ୍ତି, ‘ଜୁନ ୨ ତାରିଖ ରାତିରେ ଘରେ ଶୋଇଥିବା ବେଳେ ଏକ ସାପ ଆସି ମୋତେ ଦଂଶନ କରିଥିଲା। ମୁଁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲି। ଚିକିତ୍ସା ପରେ ସୁସ୍ଥ ହୋଇଯାଇଥିଲି। କିନ୍ତୁ ଜୁନ ୧୦ ତାରିଖ ଓ ୧୭ ତାରିଖରେ ପୁଣି ଦ୍ଵିତୀୟ ଓ ତୃତୀୟଥର ସର୍ପ ଦଂଶନର ଶିକାର ହୋଇଥିଲି। ଏହି ଦଂଶନରେ ମୁଁ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକ ଚିକିତ୍ସା ପାଇଁ ମୋତେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଔଷଧ ଓ ଇନଜେକସନ ନେବା ପରେ ଠିକ ହୋଇଯାଇଥିଲା।
ଏହାପରେ ମନରେ ଏକ ପ୍ରକାର ଭୟ ଜାତ ହୋଇଥିଲା। ଯେଉଁଠାରେ ବସିଲେ ଶୋଇଲେ ମୋତେ ଖାଲି ସାପ ଚାଲୁଥିବା ଭଳି ଲାଗିଥିଲା। ଏହି ଭୟକୁ ଦେଖି ପରିବାରଲୋକମାନେ ସଜାଗ ହୋଇଯାଇଥିଲେ। ଏହା ସତ୍ତ୍ୱେ ବି ମୁଁ ଚତୁର୍ଥଥର ସର୍ପ ଦଂଶନର ଶିକାର ହୋଇଥିଲି। ହସ୍ପିଟାଲ ଯିବାରୁ ଡାକ୍ତରମାନେ ଆଶ୍ଚର୍ଯ୍ୟ ହେବା ସହିତ ମୋର ଚିକିତ୍ସା କରି ପରିବାରଲୋକଙ୍କୁ କହିଥିଲେ ମୋତେ କିଛିଦିନ ପାଇଁ ଅନ୍ୟ ଏକ ସ୍ଥାନକୁ ପଠାଇ ଦେବାପାଇଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମୁଁ ଘରଛାଡ଼ି ମାଉସୀ ଘରକୁ ଚାଲି ଯାଇଥିବା ସତ୍ତ୍ୱେ ୫ମଥର ସର୍ପ ଦଂଶନର ଶିକାର ହୋଇଥିଲି। ଏବେ ମୋର ଚିକିତ୍ସା ଚାଲିଛି।’ ପରିବାରଲୋକ ସର୍ପ ଦଂଶନକୁ ନେଇ ଭୟଭୀତ ହୋଇଯାଇଛନ୍ତି। କ’ଣ କରିବେ କିଛି ବୁୂଝି ପାରୁ ନାହାନ୍ତି। ଆଗାମୀ ଦିନରେ ଯଦି ପୁଅକୁ ସର୍ପ ଦଂଶନ କରେ ତେବେ କ’ଣ ଯେ ଘଟିବ ତାହା କେହି ଚିନ୍ତା କରି ପାରୁ ନାହାନ୍ତି।
ଘରେ ୪ଥର ସର୍ପ ଦଂଶନର ଶିକାର ହେବାପରେ ମାଉସୀ ଘରେ ଯୁବକଙ୍କୁ ଚୋଟ ମାରିଲା ସାପ

Share Now: