ଚିଲିକାରେ ଓହ୍ଲାଇଲା ସି-ପ୍ଲେନ୍‌ : ପ୍ରଚଣ୍ଡ ଶବ୍ଦ ଶୁଣି ଗ୍ରାମବାସୀ ଭୟଭୀତ, ପୁଲିସ ପାଖରେ ନାହିଁ ସୂଚନା

ପୁରୀ/ବ୍ରହ୍ମଗିରି : ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ସମୟ। ହଠାତ ଆକାଶରେ ଏକ ଶବ୍ଦ ଶୁଣି ଲୋକେ ଚମ୍‌କି ପଡିଥିଲେ। ଅନାଇବା ବେଳକୁ ଚିଲିକା ମୁହାଣରେ ଓହ୍ଲାଇଲା ଏକ ସି-ପ୍ଲେନ୍‌। ଅରଖକୁଦା ଓ ସାନପାଟଣା ଗ୍ରାମର ଅଧିକାଂଶ ଲୋକ ଏ ଦୃଶ୍ୟ ଦେଖି ବିସ୍ମିତ ହୋଇ ପଡିଥିଲେ। ସି-ପ୍ଲେନ୍‌ ପାଖାପାଖି ୧୫ ମିନିଟ ପାଣିରେ ଭାସମାନ ଅବସ୍ଥାରେ ରହି ପୁଣି ଉଡ଼ି ପଳାଇଥିଲା। ସମୁଦ୍ର ଭିତରେ ଏହି ଉଡ଼ାଜାହାଜ ଅବତରଣ କରିବା ବେଳେ କିଛି ମାଛଧରାଳି ଭୟଭୀତ ହୋଇ ପଡ଼ିଥିଲେ। ଜଣେ ନୁହେଁ, ଏକାଧିକ ଲୋକ ଏହାକୁ ଦେଖିଥିବା କହିଛନ୍ତି। ତେବେ ଚିଲିକା ମୁହାଣରେ ସି-ପ୍ଲେନ୍‌ ଓହ୍ଲାଇଥିବା ଖବର ପୁଲିସ ପାଖରେ ନଥିବା କହିଛି। ଅରଖକୁଦାର ରବି ନାରାୟଣ ବେହେରା ଓ ପ୍ରଦୀପ ବେହେରାଙ୍କ କହିବା ଅନୁସାରେ, ଆଜି ମଧ୍ୟାହ୍ନ ଗୋଟାଏ ୩୦ ମିନିଟ୍‌ ସମୟରେ ଏକ ସି-ପ୍ଲେନ୍‌ ଚିଲିକା ମୁହାଣରେ ଓହ୍ଲାଇଥିଲା। ଓହ୍ଲାଇବା ବେଳେ ପ୍ରଚଣ୍ଡ ଶବ୍ଦ କରିଥିଲା। ସେହିଭଳି ସାନପାଟଣା ଗ୍ରାମର ଗହ୍ମା ବେହେରା, ରାମ ବେହେରା, ଅଗାଧୁ ବେହେରାଙ୍କ ସମେତ ସମୁଦ୍ରରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ଏହି ସି-ପ୍ଲେନ୍‌କୁ ନଙ୍ଗାନାଶୀ ମୁହାଣରେ ଓହ୍ଲାଇଥିବାର ଦେଖିଛନ୍ତି। ତେବେ ଏହି ପ୍ଲେନ୍‌ଟି ବେଶୀ ସମୟ ନରହି ମାତ୍ର ୧୦ରୁ ୧୫ ମିନିଟ୍‌ ଭିତରେ ପଳାଇଥିଲା। ଚିଲିକାରେ ଓ୍ଵାଟର ଏରୋଡ୍ରମକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଚିଲିକାରେ ବିନା ଅନୁମତିରେ ସି-ପ୍ଲେନ୍‌ ଅବତରଣ କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକାଶଥାଉକି, ଚିଲିକାର ଜୈବ ବିବିଧତା ନଷ୍ଟ ହେବା ଆଶଙ୍କା ଦୃଷ୍ଟିରୁ ଏହି ପ୍ରକଳ୍ପକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା। ଫଳରେ ପ୍ରସ୍ତାବିତ ଏହି ଓ୍ଵାଟର ଏରୋଡ୍ରମ୍‌ ପ୍ରସ୍ତାବକୁ କେନ୍ଦ୍ର ସରକାର ଗତ ୧୦ ଦିନ ତଳେ ବାତିଲ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଏମିତି ଜଗିଛନ୍ତି, ଜାଣିପାରିଲେନି : ଚିଲିକାରେ ସି-ପ୍ଲେନ୍‌ ଅବତରଣ, ପୁଲିସ ଚୁପ୍‌, ସିଡିଏ କହିଲା ଯାଞ୍ଚ କରୁଛୁ

Mon Sep 17 , 2018
ଭୁବନେଶ୍ୱର : ଚିଲିକାର ନଙ୍ଗାନାଶୀ ମୁହାଣରେ ଶନିବାର ବିମାନ ଅବତରଣ ଘଟଣାକୁ ନେଇ ଆଜି ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସ୍ଥାନୀୟ ମତ୍ସ୍ୟଜୀବୀ ଏହାକୁ ସି ପ୍ଲେନ୍‌ ବୋଲି ଅଭିହିତ କରୁଛନ୍ତି ଓ ତାର ଗର୍ଜନରେ ଭୟଭୀତ ହୋଇପଡିଛନ୍ତି। ହେଲେ ଏହା କେଉଁ ବିମାନ ଥିଲା, କାହିଁକି ସେଠାରେ ରହିଲା, କିଏ ଅବତରଣ କଲା ଏ ନେଇ କେହି କିଛି ଜାଣିପାରୁନାହାନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଶେଷଜ୍ଞମାନେ ଗମ୍ଭୀରତାର ସହିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial