ବିକିଦେଲେ କ୍ୟାପିଟାଲ ହସ୍ପିଟାଲ!

ହୃଦ୍‌ରୋଗ ବିଭାଗକୁ ପିପିପି ମୋଡ୍‌ରେ ଚଳାଇବାକୁ ମସୁଧା, ଆଶଙ୍କାରେ ବିଭାଗୀୟ ଡାକ୍ତର ଓ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନ କ୍ୟାପିଟାଲ ହସ୍ପିଟାଲ ଘରୋଇ ସଂସ୍ଥା ହାତକୁ ଚାଲିଯିବ। ଗୋଟି ଗୋଟି କରି ଘରୋଇ ସଂସ୍ଥାକୁ ହସ୍ପିଟାଲକୁ ଟେକି ଦେବା ଲାଗି ବଡ଼ ଧରଣର ଚକ୍ରାନ୍ତ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ପାଥୋଲୋଜି ଓ ଡାଏଲିସିସ୍‌ ଘରୋଇ ସଂସ୍ଥା ଚଳାଇବାକୁ ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ହୃଦ୍‌ରୋଗ ମଧ୍ୟ ଘରୋଇ ସଂସ୍ଥା ଅଧୀନକୁ ଚାଲିଯିବ। ଯଦିଓ ବିଧିବଦ୍ଧ ଭାବେ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ ନିକଟରେ ସ୍ୱାସ୍ଥ୍ୟ ବିଭାଗର ହୋଇଥିବା ଏକ ବୈଠକରେ ଏଭଳି ଘଟଣା ନଜରକୁ ଆସିଛି। ହାଇଦ୍ରାବାଦ୍‌ର ଏକ ସଂସ୍ଥା କ୍ୟାପିଟାଲ ହସ୍ପିଟାଲର ହୃଦ୍‌ରୋଗ ବିଭାଗ ଚଳାଇବ ବୋଲି ସୂଚନା ମିଳିଛି। ଏହି ସଂସ୍ଥା କର୍ମକର୍ତା ହୋଇଥିବା ବୈଠକରେ ରୋଗୀଙ୍କୁ କ’ଣ କ’ଣ ସୁବିଧା ଦେବେ ତାହା ଏକ ପାଓ୍ଵାର ପଏଣ୍ଟ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ଏକ ମଡେଲ ହସ୍ପିଟାଲରେ ପରିଣତ କରିବା ପାଇଁ କହୁଥିବା ବେଳେ ଅନ୍ୟ ପଟରେ ଗୋଟିଏ ପରେ ଗୋଟିଏ ବିଭାଗକୁ ଘରୋଇ ସଂସ୍ଥାକୁ ଟେକି ଦେବାକୁ ବସିଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ୍ୟାପିଟାଲ ହସ୍ପିଟାଲର ହୃଦ୍‌ରୋଗ ବିଭାଗ ହେଉଛି ରାଜ୍ୟର ପୁରୁଣା ବିଭାଗ। ଗତ ୩୦ବର୍ଷ ଧରି ଏହି ବିଭାଗ ହସ୍ପିଟାଲରେ କାର୍ଯ୍ୟ କରୁଛି। ତେବେ ଏହି ବିଭାଗକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବା ପାଇଁ ମସୁଧା ଆରମ୍ଭ ହୋଇଛି। ହାଇଦ୍ରାବାଦ୍‌ର ସିଲ୍‌ ଗ୍ରୁପ୍‌ ନାମକ ଏକ ସଂସ୍ଥା ପିପିପି ମୋଡ୍‌ରେ ଏହାକୁ ଚଳାଇବ ବୋଲି ଜଣାପଡ଼ିଛି। ହୃଦ୍‌ରୋଗ ବିଭାଗରେ ଏବେ ଆଞ୍ଜିଓଗ୍ରାମ୍‌, ଆଞ୍ଜିଓପ୍ଲାଷ୍ଟି, ଇକୋ ଓ ପେସ୍‌ ମେକର କାର୍ଯ୍ୟ ହେଉଛି। ବହୁତ ଗରିବ ଲୋକମାନେ ମାଗଣାରେ ଏହି ଚିକିତ୍ସା ସୁବିଧା ପାଉଛନ୍ତି। ଯଦିଓ ରାଜଧାନୀରେ ବହୁ ଘରୋଇ ହସ୍ପିଟାଲ ଏସବୁ ସୁବିଧା ଦେଉଛନ୍ତି ତେବେ ସେଠାରେ ମାତ୍ରାଧିକ ଚିକିତ୍ସା ଖର୍ଚ ଯୋଗୁଁ ରୋଗୀମାନେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ଆଗ୍ରହ ଦେଖାଉଛନ୍ତି। ଯଦିଓ ଘରୋଇ ସଂସ୍ଥା ସିଧାସଳଖ ରୋଗୀମାନଙ୍କଠାରୁ କୌଣସି ଅର୍ଥ ନେବ ନାହିଁ ତେବେ ଏ ବାବଦରେ ଅର୍ଥ ସରକାର ବହନ କରିବେ।

ଆରମ୍ଭରୁ ହୃଦରୋଗ ବିଭାଗରେ ୩ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବେ ଜଣେ ଡାକ୍ତରଙ୍କ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ଆଉ ଜଣେ ଅବସର ନେଇଥିଲେ ହେଁ ତାଙ୍କୁ ପୁନର୍ବାର ନିଯୁକ୍ତ କରାଯାଇଛି। ୨ଜଣ ଡାକ୍ତର ଏହି ବଡ଼ ବିଭାଗକୁ ଚଳାଉଛନ୍ତି। ଯଦି ଘରୋଇ ସଂସ୍ଥା ବିଭାଗକୁ ହାତକୁ ନିଏ ତେବେ ସେଠାରେ କାର୍ଯ୍ୟରତ ଡାକ୍ତର କାର୍ଯ୍ୟ କରିବେ କି ନାହିଁ ତାହା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଭାଗ ନିକଟରେ ଥିବା ୩ମହଲା ବିଲ୍ଡିଂରେ ସଂସ୍ଥା ନିଜର ସମସ୍ତ କାର୍ଯ୍ୟ କରିବା ସହିତ ନିଜ ଆଡ଼ୁ ଡାକ୍ତର ନିଯୁକ୍ତ ଦେବ ବୋଲି ଜଣାପଡ଼ିଛି। ଇଣ୍ଟେନ୍‌ସିଭ କାର୍ଡିଆକ୍‌ କେୟାର ୟୁନିଟ୍‌ ବା ଆଇସିସିୟୁ ଏବେ କ୍ୟାପିଟାଲ ହସ୍ପିଟାଲରେ ନ ଥିବା ବେଳେ ସଂସ୍ଥା ପକ୍ଷରୁ ଏହି ସୁବିଧା ଦିଆଯିବ ବୋଲି କୁହାଯାଇଛି। ଅନ୍ୟ ସମସ୍ତ ପରୀକ୍ଷା ପାଇଁ ବିଭାଗରେ ଯନ୍ତ୍ରପାତି ରହିଥିଲେ ହେଁ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ନ ଯୋଗାଇ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ନେଇ ହସ୍ପିଟାଲର କର୍ମଚାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଜାନୁଆରି ପହିଲାରୁ ରାଜ୍ୟରେ ମାଗଣା ‘ନିଦାନ’ ଓ ‘ସହାୟ’ ଯୋଜନା ଆରମ୍ଭ ହୋଇଛି। ନିଦାନରେ ଅତ୍ୟାଧୁନିକ ପରୀକ୍ଷା ଦିଆଯାଉଥିବା ବେଳେ ସହାୟରେ ମାଗଣାରେ ଡାଏଲିସିସ୍‌ ସୁବିଧା ଲୋକଙ୍କୁ ମିଳିପାରୁଛି। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲ ପିପିପି ମୋଡରେ ଟେକ୍‌ମେଡ ସଂସ୍ଥା କାର୍ଯ୍ୟ ଆରମ୍ଭ କରିଛି। ଫଳରେ ଏହି ଦୁଇଟି ବିଭାଗ ଘରୋଇ ସଂସ୍ଥା ଅଧୀନକୁ ଚାଲିଯାଇଛି।କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଯଦି ଚୁକ୍ତି ସ୍ୱାକ୍ଷରିତ ହୁଏ ତେବେ ୩ବର୍ଷ ପାଇଁ ସଂସ୍ଥା ବିଭାଗକୁ ହାତକୁ ନେବ। ଦେଶବ୍ୟାପୀ ହୃଦ୍‌ରୋଗରେ ଲୋକମାନେ ଅଧିକ ଖର୍ଚାନ୍ତ ହେଉଛନ୍ତି। ତେଣୁ ଲୋକମାନଙ୍କୁ ମାଗଣାରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସଂସ୍ଥା ପକ୍ଷରୁ ବୈଠକରେ କୁହାଯାଇଥିଲା। ତେବେ ମାନବ ସମ୍ବଳର ଅଭାବ ଯୋଗୁଁ ବିଭାଗ ଠିକ୍‌ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ତେଣୁ ପିପିପି ମୋଡ୍‌ରେ ଲୋକମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

କଳାହାଣ୍ଡିରେ ହେବ ମେଡିକାଲ କଲେଜ

Wed Mar 28 , 2018
ଭୁବନେଶ୍ୱର: କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆଜି ବେଦାନ୍ତ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଡିଏମ୍‌ଇଟିର ନିର୍ଦେଶକ ପ୍ରଫେସର ସୋନାମାଲି ବାଗ୍‌ ଓ ବେଦାନ୍ତ ପକ୍ଷରୁ କର୍ପୋରେଟ୍‌ ଷ୍ଟ୍ରାଟେଜି ନିର୍ଦେଶକ ରାହୁଲ ଶର୍ମା ଏହାକୁ ସ୍ୱାକ୍ଷର କରିଛନ୍ତି। ୫ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୦ କୋଟି ଟଙ୍କା ଖର୍ଚ କରାଯିବ। ଯାହାଫଳରେ କଳାହାଣ୍ଡି ଓ ଆଖାପାଖ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial