କଂକ୍ରିଟ ମିକ୍ସର୍ ଟ୍ୟାଙ୍କରେ ଲୁଚି ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଯାଉଥିଲେ ୧୮ଜଣ ପ୍ରବାସୀ ଶ୍ରମିକ:ଜାଣିବା ପରେ ମୁଣ୍ଡରେ ହାତ ଦେଲା ପୁଲିସ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନଥିବାରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରେ ପହଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ବାଟ ଆପଣାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ କିଛି ଲୋକ ଚାଲି ଚାଲି ନିଜ ଘରକୁ ଫେରିବା ସହ କିଛି ସାଇକେଲରେ ସେମାନଙ୍କର ମୂଳ ବାସସ୍ଥାନକୁ ଫେରୁଥିବାର ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏବେ କିଛି ଶ୍ରମିକ ନିଜ ଘରେ ପହଞ୍ଚିବା ପାଇଁ ଆପଣାଇଥିବା ବାଟ ପୁଲିସକୁ ଆଶ୍ଚର୍ଯ୍ୟ କରିଛି। କଂକ୍ରିଟ ମିକ୍ସର୍ ଟ୍ରକର ଟ୍ୟାଙ୍କରେ ଲୁଚି କିଛି ଶ୍ରମିକ ଘରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ବିଷୟରେ ଖବର ପାଇ ପୁଲିସ ସେମାନଙ୍କୁ ଅଟକାଇ ଟ୍ରକ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣା ପଡିଛି। ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ, ଛାତ୍ର ଏବଂ ଅନ୍ୟମାନଙ୍କୁ ନିଜ ଘରକୁ ଫେରାଇ ନେବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଠାରୁ କିଛି ସ୍ୱତନ୍ତ୍ର ଟ୍ରେନର ଯାତ୍ରା ଆରମ୍ଭ କରିଛନ୍ତି। ଏତେ ସୁବିଧା ପରେ ମଧ୍ୟ କିଛି ଶ୍ରମିକଙ୍କ ଏଭଳି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାର ଏକ ଭିଡ଼ିଓ ମଧ୍ୟ ଭାଇରଲ ହୋଇଛି ଯେଉଁଥିରେ କଂକ୍ରିଟ ମିକ୍ସର୍ ଟ୍ରକର ଟ୍ୟାଙ୍କରୁ ଶ୍ରମିକମାନେ ବାହାରକୁ ଆସୁଥିବା ଦେଖାଯାଉଛି। ମଧ୍ୟପ୍ରଦେଶର ହାଇୱେରେ ପୁଲିସ ସେମାନଙ୍କୁ କାବୁ କରିଥିଲା ବୋଲି ଜଣା ପଡିଛି। ଡିଏସପି ଉମାକାନ୍ତ ଚୌଧରୀ କହିଛନ୍ତି ଯେ ମଧ୍ୟପ୍ରଦେଶର ଇନ୍ଦୋର ପୁଲିସ ୧୮ଜଣ ଶ୍ରମିକଙ୍କୁ ମହାରାଷ୍ଟ୍ରରୁ ଲୁଚି ଉତ୍ତରପ୍ରଦେଶ ଯାଉଥିବା ଏକ କଂକ୍ରିଟ ମିକ୍ସର୍ ଟ୍ରକକୁ ଜବତ କରିଛି। ପୁରା ଘଟଣା ବିଷୟରେ ଜାଣି ଟ୍ରକକୁ ପୁଲିସ ଜବତ କରିବା ସହ ଏତଲା ରୁଜୁ କରାଯାଇଛି। ଟ୍ରାଫିକ ପୁଲିସ ଅମିତ କୁମାର ଯାଦବ କହିଛନ୍ତି ଯେ ନିୟମିତ ଯାଞ୍ଚ ସମୟରେ ଇନ୍ଦୋର ସହରଠାରୁ ପ୍ରାୟ ୩୫କିଲୋମିଟର ଦୂରରେ ଥିବା ପାନ୍ଥ ପିପ୍ଲାଇ ଗ୍ରାମରେ ଟ୍ରକକୁ ଅଟକାଇ ଦିଆଯାଇଥିଲା। ପରେ ଟ୍ରକର ଯାଞ୍ଚ କରିବା ପରେ କଂକ୍ରିଟ ମିକ୍ସର୍ ଟ୍ରକର ଟ୍ୟାଙ୍କରେ ୧୮ଜଣ ଶ୍ରମିକଙ୍କୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ଏଥିରେ ୧୪ଜଣ ପ୍ରବାସୀ ଶ୍ରମିକ ଏବଂ ୪ଟ୍ରକ ମାଲିକ କର୍ମଚାରୀ ଲୁଚି ଲୁଚି ଉତ୍ତରପ୍ରଦେଶ ଯାଉଥିଲେ। ପଚରାଉଚରା ବେଳେ ଜଣାପଡିଥିଲା ଯେ ସେମାନେ ସମସ୍ତେ ଶୁକ୍ରବାର ଦିନ ମହାରାଷ୍ଟ୍ରରୁ ବାହାରିଥିଲେ। ବର୍ତ୍ତମାନ ସମସ୍ତଙ୍କୁ ଆଶ୍ରୟ ଗୃହରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରାଯାଉଛି। ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ଏକ ବସ୍ ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ବଦଳିଲା ଅତ୍ୟାବଶ୍ୟକ ଓ ଆଂଶିକ ଅତ୍ୟାବଶ୍ୟକ ବିଭାଗର ତାଲିକା

Sat May 2 , 2020
ଭୁବନେଶ୍ୱର : ଓଡ଼ିଶାରେ କରୋନା ମୁକାବିଲା ପରିଚାଳନା ଦୃଷ୍ଟିରୁ ରାଜ୍ୟ ସରକାର ବିଭିନ୍ନ ବିଭାଗଗୁଡ଼ିକୁ ପୂର୍ବରୁ ଦୁଇଟି ବର୍ଗ- କ୍ରିଟିକାଲ (ଅତ୍ୟାବଶ୍ୟକ) ଓ ପାର୍ସିଆଲି କ୍ରିଟିକାଲ (ଆଂଶିକ ଅତ୍ୟାବଶ୍ୟକ) ରେ ବିଭକ୍ତ କରିଥିଲେ। ଏବେ ଏହି ଦୁଇ ବର୍ଗରେ ଥିବା ବିଭାଗ ଗୁଡ଼ିକରେ କେତେକ ପରିବର୍ତ୍ତନ ଅଣାଯାଇଛି। କ୍ରିଟିକାଲ ବର୍ଗରେ ଥିବା ବିଭାଗଗୁଡ଼ିକ ହେଲା କୃଷି, ବାଣିଜ୍ୟ ଓ ପରିବହନ, ସମବାୟ, ଅବକାରୀ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial