ଗଞ୍ଜାମ: ଆଜିଠାରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍ପି ବ୍ରିଜେଶ କୁମାର ରାଏ ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜୁନ୍ ୧୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି ରହିବ। ଏହି ଲକ୍ଡାଉନ୍ ସମୟରେ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ମେଡିକାଲ ସେବା, ଔଷଧ ଦୋକାନ ଖୋଲା ରହିବ। ଏଥିସହ କୃଷି ଓ ମନେରେଗା କାମ ଚାଲୁ ରହିବ। ଜିଲ୍ଲାରେ ଓ ଜିଲ୍ଲାରୁ ବାହାରକୁ ବସ୍, କାର, ଅଟୋ ଚଳାଚଳକୁ ଜୁନ୍ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଆନ୍ତଃଜିଲ୍ଲା ବସ ଚଳାଚଳ ମଧ୍ୟ ବନ୍ଦ ରହିବ। ଦିନ ୧୨ଟା ପରେ କେହି ଘରୁ ବାହାରି ପାରିବେ ନାହିଁ। ଯିଏ ବି ବାହାରିବେ ସେମାନଙ୍କ ପାଖରେ ପାସ୍ ଥିବା ଆବଶ୍ୟକ। ଚଳିତ ଥର କଡ଼ାକଡ଼ି ଭାବେ କଟକଣା ଲାଗୁ କରାଯାଇଛି। ଯେଉଁମାନେ ବି ଏହି ନିୟମ ଉଲଘଂନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କହିବାନୁସାରେ, ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ପ୍ରବାସୀ ଜିଲ୍ଲାକୁ ଫେରି ସାରିଲେଣି। ଆଉ ଅଧିକ ପ୍ରବାସୀ ଫେରିବାର ଅଶା କରାଯାଉ ନାହିଁ। ଦେଢ଼ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରୋଇ ସଙ୍ଗରୋଧରେ ରଖାଯାଇଛି। ଜିଲ୍ଲାରେ ୬୮୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଇତିମଧ୍ୟରେ ରାଜ୍ୟକୁ ମୌସୁମୀ ଛୁଇଁ ଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଛି। ତେଣୁ ଆଜିଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ ଏହି ଲକ୍ଡାଉନ୍ର ଘୋଷଣା କରାଯାଇଛି।
