ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ କଳାକାର ସୟଦ ଇସ୍ତିଆକ ଅହମଦ ଜାଫ୍ରିଙ୍କର ପରଲୋକ ହୋଇଛି। ଇସ୍ତିଆକ ବଲିଉଡ୍ ଅଭିନେତା ଜାଭେଜ୍ ଜାଫ୍ରିଙ୍କ ପିତା। ସେ ଜଗଦୀପ ନାମରେ ଅଧିକ ପରିଚିତ ଥିଲେ। ବୁଧବାର ରାତି ୮.୪୦ ସମୟରେ ୮୧ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସବଭନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଗଦୀପ। ଆସନ୍ତାକିଲ ମୁମ୍ବାଇର ଶିଆ କବରିସ୍ତାନରେ ତାଙ୍କର ଶେଷକୃତ୍ୟ କରାଯିବ। ଜଗଦୀପ ୭୦ ଓ ୮୦ ଦଶକରେ ବଲିଉଡ୍ର ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଜୀବନକାଳରେ ସେ ୪୦୦ ଫିଲ୍ମରୁ ଅଧିକ ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିପାରିଥିଲେ। ତାଙ୍କର ଚମତ୍କାର କମେଡି ଦେଖି ହଲ୍ରେ ହସ ଓ ତାଳିର ଗୁଞ୍ଜର ଖେଳିଯାଉଥିଲା। ଆଜି ସେ ୮୧ ବର୍ଷ ବୟସରେ ବଲିଉଡ୍କୁ ଅଲ୍ବିଦା କହି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି। ୧୯୭୫ରେ ମୁକ୍ତିଲାଭ କରିଥିବା ‘ଶୋଲେ’ ଫିଲ୍ମର ସୁରମା ଭୋପାଲୀ ଚରିତ୍ରରେ ଅଭିନୟ କରି ସେ ଖୁବ୍ ଲୋକପ୍ରିୟ ହୋଇପାରିଥିଲେ। ଏହି ସମାନ ନାଁରେ ୧୯୮୮ରେ ସେ ଏକ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଅନ୍ଦାଜ ଅପ୍ନା ଅପ୍ନା, ବ୍ରହ୍ମଚାରୀ, ନାଗୀନ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ୨୯ ମାର୍ଚ୍ଚ ୧୯୩୯ରେ ଜନ୍ମଗ୍ରହଣ କରିଥିବା ଜଗଦୀପଙ୍କର ଦୁଇ ପୁଅ ଜାଭେଦ୍ ଜାଫ୍ରି ଓ ନାଭେଦ୍ ଜାଫ୍ରି। ଜାଭେଦ୍ ବଲିଉଡ୍ରେ ଅଭିନୟ କରୁଥିବା ବେଳେ ନାଭେଦ୍ ଫିଲ୍ମ ନିର୍ଦ୍ଦେଶକ।
ଚାଲିଗଲେ ସୁରମା ଭୋପାଲୀ (ଜଗଦୀପ) : ବଲିଉଡ୍ର ଫେମସ୍ କମେଡି ଷ୍ଟାର

Share Now: