ଦିଶପୁର : ଦେଶରେ କୋଭିଡ୍ ପରିସ୍ଥିତି ଜଟିଳ ହେଉଥିବା ବେଳେ ସେପଟେ ବନ୍ୟାପାଣିରେ ଉବୁଟୁବ ହେଉଛି ଆସାମ। ଲଗାଣ ବର୍ଷା ପରେ ବ୍ରହ୍ମପୁତ୍ରରେ ଜଳ ପତ୍ତନ ବୃଦ୍ଧି ପାଇବା ସହ ଆସାମର ଦିବ୍ରୁଗଡ଼ ଓ ପଡ଼ୋଶୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଶନିବାର ଧୁବ୍ରୀ ଓ କୋକରାଝାର ଜିଲ୍ଲାରେ ଦୁଇ ଜଣଙ୍କର ଜୀବନ ଯାଇଥିବା ଥିବା ବେଳେ ରାଜ୍ୟରେ ମୋଟ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ କେବଳ ବର୍ଷା ଯୋଗୁ ମାଟି ଅତଡ଼ା ଖସିବାରୁ ବିଭିନ୍ନ ସ୍ଥାନରୁ ୨୪ ଜଣଙ୍କ ମୃତ୍ୟୁ ହୋଇଛି।
ରିପୋର୍ଟ ଅନୁସାରେ, ଏହି ବନ୍ୟାରେ ୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ରାଜ୍ୟର ୩୩ ଜିଲ୍ଲାରୁ ୨୦ ଅଞ୍ଚଳରେ ୧,୧୦୯ ଟି ଗାଁ କ୍ଷତିଗ୍ରସ୍ତ ହୋଇଛି। ମୋଟ ୮, ୪୭୪ ଲୋକ ୯୨ ରିଲିଫ୍ କ୍ୟାମ୍ପ୍ରେ ରହିଛନ୍ତି।

ବନ୍ୟାରେ ବାଦ୍ ପଡ଼ିନି କାଜିରଙ୍ଗ ନ୍ୟାସ୍ନାଲ୍ ପାର୍କ। ପାର୍କରେ ବନ୍ୟାପାଣି ପଶିଯିବାରୁ ଏଠାରେ ୩୯ପଶୁ ପ୍ରାଣ ହରାଇଛନ୍ତି। ଏଥିରେ ବାର୍ହା, ଜଙ୍ଗଲି ଘୁଷୁରୀ ଓ ହରିଣଙ୍କର ମୃତ୍ୟ ହୋଇଛି। ରିପୋର୍ଟ ଅନୁସାରେ, ପାର୍କର ୨୩୩ କ୍ୟାମ୍ପସ ମଧ୍ୟରୁ ୪୬ କ୍ୟାମ୍ପସ୍ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି।
କେତେକ ସ୍ଥାନରେ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ଲୋକେ ବାଲିବସ୍ତା ପକାଇ ଏହାକୁ ରୋକିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି। ତେବେ ଅନ୍ୟ କେତେକ ଅଞ୍ଚଳରେ ବନ୍ୟାପାଣି ପଶିଯାଇଛି।

ବନ୍ୟା ଯୋଗୁଁ ଅନେକ ଘରଦ୍ୱାର ମଧ୍ୟ ବୁଡ଼ିଯାଇଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ପଡ଼ୋଶୀ ରାଜ୍ୟ ଅରୁଣାଚଳ ପ୍ରଦେଶରେ ମଧ୍ୟ ମାଟି ଅତଡ଼ା ଖସି ଶୁକ୍ରବାର ୮ ଜଣଙ୍କର ଜୀବନ ଯାଇଥିଲା।