ରାଜଧାନୀ ସ୍ଥିତି ଅସମ୍ଭାଳ: ଖୋର୍ଦ୍ଧା ଜିଲ୍ଲାର ୬୦% ରୋଗୀ ଭୁବନେଶ୍ୱରୁ

ରାଜଧାନୀ ସ୍ଥିତି ଅସମ୍ଭାଳ ଜିଲ୍ଲାର ୬୦% ରୋଗୀ ଭୁବନେଶ୍ୱରର

୪ ଦିନରେ ଘରୋଇ ହସ୍ପିଟାଲର ୨୭ କର୍ମଚାରୀ ଆକ୍ରାନ୍ତ

ଭୁବନେଶ୍ବର : ରାଜଧାନୀରେ କରୋନା ସ୍ଥିତି ଅସମ୍ଭାଳ ହେଲାଣି। ହସ୍ପିଟାଲ, ବସ୍ତି ଓ ଆବାସିକ ଅଞ୍ଚଳରୁ ପୁଳା ପୁଳା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଢ଼େର୍‌ ଅଧିକ ରହୁଛି। ଗତ ୧୮ ଦିନରେ ରାଜଧାନୀରେ ୭୯୮ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଯାହାକି ରାଜ୍ୟର ଗଞ୍ଜାମ ଓ କଟକ ଜିଲ୍ଲାକୁ ବାଦ୍ ଦେଲେ ସର୍ବାଧିକ। ଖୋର୍ଧା ଜିଲ୍ଲାର ୬୦ ପ୍ରତିଶତ ରୋଗୀ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଗତ ୪ ଦିନ ଭିତରେ ୨୭ଜଣ କର୍ମଚାରୀ ପଜିଟିଭ୍ ହୋଇଥିବା କୁହାଯାଉଛି। ଏଥିରେ ଅଳ୍ପସଂଖ୍ୟକ ଷ୍ଟାଫନର୍ସ ଓ ଡାଏଟେସିଆନ୍ ରହିଛନ୍ତି। ଅନ୍ୟମାନେ ସର୍ଭିସ ପ୍ରୋଭାଇଡର୍‌ ବୋଲି ସୂଚନା ମିଳିଛି। ନିକଟରେ ସଂପୃକ୍ତ ସର୍ଭିସ ପ୍ରୋଭାଇଡର୍‌ମାନେ କୌଣସି ଏକ କାରଣ ପାଇଁ ହସ୍ପିଟାଲରେ ଧାରଣା ଦେଇଥିଲେ। ଏହାର ପରବର୍ତୀ ସମୟରେ ସଂପୃକ୍ତ ହସ୍ପିଟାଲରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ହସ୍ପିଟାଲରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବା ଅନ୍ୟ କର୍ମଚାରୀମାନଙ୍କ ନିଦ ହଜାଇ ଦେଇଛି। ସେମାନେ ମଧ୍ୟ ହସ୍ପିଟାଲକୁ ଆସିବା ପାଇଁ ଡରିବାକୁ ଆରମ୍ଭ କଲେଣି। କିଭଳି ହସ୍ପିଟାଲରେ ସଂକ୍ରମଣ କମିବ, ତାହା ହସ୍ପିଟାଲ କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି।
ଗତ ୨୪ ଘଣ୍ଟାରେ ରାଜଧାନୀରେ ୮୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୪୧ଜଣ ସଙ୍ଗରୋଧରେ ଥିବା ବେଳେ ୪୬ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ସଙ୍ଗରୋଧରେ ଚିହ୍ନଟ ରୋଗୀଙ୍କ ମଧ୍ୟରେ ୩୪ଜଣ କଣ୍ଟାକ୍ଟ କେସ୍ ରହିଛନ୍ତି। ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ‌ହୋଇଛନ୍ତି। କାନନବିହାର ଫେଜ୍‌-୧ରେ ସର୍ବାଧିକ ୬ଜଣ ଆକ୍ରାନ୍ତ ଥିବା ବେଳେ ନୂଆପଲ୍ଲୀ ବ୍ରିଟ୍ କଲୋନି, ବିଜେବି ନଗର ବିଜୟଲକ୍ଷ୍ମୀ କଲୋନି ଓ ଡମଣାରୁ ୩ଜଣ ଲେଖାଏଁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷେ ସ୍ଥାନୀୟ ସଂକ୍ରମିତ ପୁରୁଣା ଭୁବନେଶ୍ବରୁଠାରୁ ଆରମ୍ଭ କରି ନୂଆ ଭୁବନେଶ୍ବର ପର୍ଯ୍ୟନ୍ତ ବ୍ୟାପିଛି। ଶବର ସାହି ବସ୍ତି, ତ୍ରିନାଥ ନଗର ବସ୍ତି, ଗାନ୍ଧୀ ବସ୍ତି, ତ୍ରିନାଥ ବଜାର, ଆଖଣ୍ଡଳମଣି ବସ୍ତି ଭଳି ବସ୍ତିରୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ୫ଜଣ ଘରୋଇ ହସ୍ପିଟାଲର କର୍ମଚାରୀ ଥିବା ବେଳେ ଜଣେ ସରକାରୀ ହସ୍ପିଟାଲର ରହିଛନ୍ତି। ସେହିପରି ୨୧ଜଣ ରୋଗୀଙ୍କ କୌଣସି ପ୍ରକାର ଯାତ୍ରା ବିବରଣୀ ନାହିଁ କିମ୍ବା ସେମାନେ କୌଣସି ପଜିଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ଏଭଳି ପରିସ୍ଥିତିରେ ସେମାନେ କିଭଳି ସଂକ୍ରମିତ ହେଲେ ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦ରେ ପହଞ୍ଚିଛି। ୪୯୪ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୪ଜଣ ସକ୍ରିୟ ରୋଗୀ ରହିଛନ୍ତି। ରାଜଧାନୀରେ ରୋଗୀଙ୍କ ସୁସ୍ଥ ହାର ମାତ୍ର ୪୨ ପ୍ରତିଶତ ରହିଛି। ଯାହାକି ରାଜ୍ୟର ହାରଠାରୁ ମଧ୍ୟ କମ୍। ଗତ କିଛିଦିନ ଭିତରେ ବହୁ ସଂଖ୍ୟାରେ ରୋଗୀ ଚିହ୍ନଟ ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

Share Now:

Kalinga News Beuro

Next Post

ରାଜ୍ୟରେ ୭୩୬ଜଣ କରୋନା ସଂକ୍ରମିତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଲା

Sun Jul 19 , 2020
ଭୁବନେଶ୍ବର: ଆଜି ଓଡ଼ିଶାରେ ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୮୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୫୫ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୨୪୭, […]
ରାଜ୍ୟରେ ୭୩୬ଜଣ କରୋନା ସଂକ୍ରମିତ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial