ସିରିୟାରେ ରାସାୟନିକ ଆକ୍ରମଣ:୭୫ ମୃତ, ୨୦୦ ସଙ୍କଟାପନ୍ନ ରୁଷ୍‌କୁ ଦାୟୀ କଲା ଆମେରିକା

ଡାମାସ୍‌କସ୍‌: ଯୁଦ୍ଧ ବିଧ୍ୱସ୍ତ ସିରିୟାର ପୂର୍ବାଞ୍ଚଳର ଘୌଟା ସହରରେ ଆଜି ବଡ଼ ଧରଣର ରାସାୟନିକ ଆକ୍ରମଣ ଯୋଗୁଁ ଅତିକମ୍‌ରେ ୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଊର୍ଦ୍ଧ୍ୱ ସଙ୍କଟାପନ୍ନ ହୋଇଛନ୍ତି। ମୃତ୍ୟୁସଂଖ୍ୟା ଅହୁରି ବୃଦ୍ଧି ପାଇବା ଆଶଙ୍କା ଥିବା ବେଳେ ଏହି ଘଟଣା ନେଇ ମାନବାଧିକାର ସଂଗଠନଗୁଡ଼ିକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଘୌଟାରେ ବିଦ୍ରୋହୀଙ୍କ ଦଖଲରେ ଥିବା ଅଂଚଳରେ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣ ବଡ଼ ଧରଣର ସଙ୍କଟ ସୃଷ୍ଟି କରିଛି। ଆଜି ହଜାର ହଜାର ଜନତା ଆତଙ୍କରେ ସହର ଛାଡ଼ି ପଳାୟନ କରିଛନ୍ତି। ୫ ଶହରୁ ଅଧିକ ଲୋକଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିବା ବେଳେ ୨ ଶହରୁ ଅଧିକ ଲୋକ ଗୁରୁତର ପ୍ରଭାବିତ ହୋଇଥିବାରୁ ଏ ନେଇ ସିରିୟା ରାଷ୍ଟ୍ରପତି ବସର୍‌ ଅଲ୍‌ ଅସାଦ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି।

ସ୍ୱେଚ୍ଛାସେବୀ ସଂଗଠନ ‘ହ୍ଵାଇଟ ହେଲମେଟ’ ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ବିଷାକ୍ତ ଗ୍ୟାସ୍‌ ଥିବା ବ୍ୟାରେଲ ବୋମାଗୁଡ଼ିକୁ ଶନିବାର ଦିନ ହେଲିକପ୍ଟରରୁ ଏହି ଅଞ୍ଚଳରେ ପକାଯାଇଥିଲା। ସିରିଆ ସରକାରଙ୍କ ଦ୍ୱାରା ନିଜ ଦେଶର ଲୋକଙ୍କ ବିରୋଧରେ ଏଭଳି ବିଷାକ୍ତ ରାସାୟନିକ ଆକ୍ରମଣ ପୂର୍ବରୁ ମଧ୍ୟ ହୋଇସାରିଛି। ତେବେ ଏହି ରାସାୟନିକ ଆକ୍ରମଣ ପଛରେ ଆମେରିକା ନା ରୁଷିଆର ହାତ ରହିଛି,ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରି ନାହିଁ। ସିରିୟା ସରକାର କହିଛନ୍ତି ଯେ ଏଥିରେ ରୁଷ୍‌ର ହାତ ନାହିଁ ଏବଂ ଏଭଳି ଆକ୍ରମଣକୁ ସରକାର କେବେ ହେଲେ ପ୍ରୋତ୍ସାହନ ଦେଇନାହାନ୍ତି। ସିରିଆ ବିଦ୍ରୋହୀଙ୍କୁ ନିପାତ ପ୍ରକ୍ରିୟା ଜାରି ରଖିଥିବା ରୁଷ୍‌ ସେନା ଏହି କାଣ୍ଡ ଘଟାଇଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ସରକାର ଏଭଳି ଅଭିଯୋଗକୁ ଖଣ୍ଡନ କରି ଏହାର ତଦନ୍ତ କରାଯିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛନ୍ତି। ତେବେ ଏହି ଆକ୍ରମଣ ପାଇଁ ରୁଷ୍‌କୁ ସିଧାସଳଖ ଆମେରିକା ଦାୟୀ କରିଛି । ଆମେରିକାର କିଛି ସଂଗଠନ ସିରିୟା ଗ୍ୟାସ ଆକ୍ରମଣ ପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ରକେଟ୍‌ ଯୋଗେ ଏହି ଅଞ୍ଚଳରେ ହୋଇଥିବା ରସାୟନିକ ଆକ୍ରମଣରେ ପାଖାପାଖି ୯ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତବର୍ଷ ଖାନ୍‌ ସୈଖୁନ୍‌ ସହରରେ ହୋଇଥିବା ଅନୁରୂପ ଘଟଣାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସିରିୟା ଯୁଦ୍ଧକୁ ଗତ ମାସରେ ୭ ବର୍ଷ ପୂରିଥିବା ବେଳେ ବିଗତ ୭ ବର୍ଷ ମଧ୍ୟରେ ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ପ୍ରାୟ ୧ କୋଟି ଲୋକ ବାସଚ୍ୟୁତ ହେବା ପରେ ରାଷ୍ଟ୍ରଛାଡ଼ି ପଳାୟନ କରିଛନ୍ତି। ଯୁଦ୍ଧ ବିଧ୍ୱସ୍ତ ସହରଗୁଡ଼ିକର ଅବସ୍ଥା ସାଂଘାତିକ ସ୍ଥିତିରେ ରହିଛି ଏବଂ ପୁନଃ ନିର୍ମାଣ ବର୍ତ୍ତମାନର ସ୍ଥିତିରେ ଅସମ୍ଭବ ବ୍ୟାପାର ବୋଲି କୁହାଯାଉଛି। ଏକଦା ମଧ୍ୟପ୍ରାଚ୍ୟର ସବୁଠାରୁ ଶାନ୍ତିପୂର୍ଣ୍ଣ ଓ ସୁଦୃଢ଼ ରାଷ୍ଟ୍ର ବିବେଚିତ ହେଉଥିବା ସିରିୟା ବିଗତ ୭ ବର୍ଷର ଯୁଦ୍ଧରେ ସଂପୂର୍ଣ୍ଣ ଛାରଖାର ହୋଇଯାଇଥିବା ବେଳେ ଏହି ରାଷ୍ଟ୍ରର ଭବିଷ୍ୟତ କ’ଣ ହେବ ତାହା କେହି ଆକଳନ କରିପାରୁ ନାହାନ୍ତି। ୨୦୧୧ରେ ଆରବ ବିଦ୍ରୋହ ପୃଷ୍ଠଭୂମିରେ ସିରିୟାରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଦ୍ରୋହୀମାନେ ସଶସ୍ତ୍ର ସଂଘର୍ଷ ପାଇଁ ଓହ୍ଲାଇବା ପରେ ଜଟିଳ ସ୍ଥିତି ସୃଷ୍ଟି ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ବିଏମ୍‌ସି-ଏନ୍‌ଏଚ୍‌ଏଆଇ ଟଣାଓଟରା:ରାଜଧାନୀ ବାସୀ ହନ୍ତସନ୍ତ

Mon Apr 9 , 2018
ଏଥର ପୁଣି ଭାସିବ ଜାତୀୟ ରାଜପଥ ୧୬ ଭୁବନେଶ୍ୱର: ଅସରାଏ ବର୍ଷାରେ ଜାତୀୟ ରାଜପଥ-୧୬ ଉବୁଟୁବୁ ହେଉଛି। ଏପରିକି ଆଇଗିଣିଆ ଛକରୁ ଆରମ୍ଭ କରି ପାହାଳ ପର୍ଯ୍ୟନ୍ତ ରାସ୍ତାରେ ଅଧିକାଂଶ ସ୍ଥାନରେ ଆଣ୍ଠୁଏ ଉଚ୍ଚରେ ପାଣି ଜମା ହେଉଛି। କିନ୍ତୁ ଏହାର ପ୍ରତିକାର କରାଯାଇପାରୁନି। ରାଜଧାନୀର ଜଳ ନିଷ୍କାସନ ବ୍ୟବସ୍ଥା ବିଏମ୍‌ସିର ହୋଇଥିଲେ ହେଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅବହେଳାରୁ ରାସ୍ତାରେ ପାଣି ଜମୁଥିବା ଅଭିଯୋଗ କରି ବିଏମ୍‌ସି ଏହାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial