ବିପଦ ସଙ୍କେତ ଟପିଲା କୁଶଭଦ୍ରା : ବୁଡ଼ିଲା ମଠ, ମନ୍ଦିର

ବିପଦ ସଙ୍କେତ ଟପିଲା କୁଶଭଦ୍ରା

ବିଦ୍ୟାଳୟ ଓ କ୍ଲବ ଘରେ ୨ ଶହ ପରିବାର

ବାଲିଅନ୍ତା : ଭାର୍ଗବୀ, କୁଆଖାଇ ଓ କୁଶଭଦ୍ରା ନଦୀରେ ବନ୍ୟା ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ବାଲିଅନ୍ତା କେନାଲ ସବ୍‌ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାଲିଅନ୍ତାସ୍ଥିତ ମହାତ୍ମା ସେତୁ ନିକଟରେ କୁଶଭଦ୍ରା ବନ୍ୟାପାଣି ବିପଦ ସଙ୍କେତ ଡେଇଁସାରିଛି। କିନ୍ତୁ କୌଣସି ସ୍ଥାନରେ ବନ୍ୟାଜଳ ବନ୍ଧବାଡ଼ ଭାଙ୍ଗିନାହିଁ। ସେହିପରି ଭାର୍ଗବୀ ଓ କୁଆଖାଇ ନଦୀରେ ବନ୍ୟାଜଳ କୂଳ ଲଙ୍ଘିବା ସ୍ଥିତିରେ ପହଞ୍ଚିଥିବା ଜଣାପଡ଼ିଛି। ହୀରାକୁଦର ବନ୍ୟାଜଳ ଆଜି ରାତି ପ୍ରାୟ ୯ଟା ସୁଦ୍ଧା ପହଞ୍ଚିବା ପରେ ଏହି ୩ ନଦୀ କୂଳ ଲଙ୍ଗିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଉପରୋକ୍ତ ୩ ନଦୀର ପଠାରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ତେଣୁ ନଦୀ ପଠାକୁ ଲାଗି ରହିଥିବା ମଠ, ମନ୍ଦିର ଓ ଦେବାଳୟ ସବୁ ପାଣିରେ ବୁଡ଼ି ରହିଛି। ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର ପାଣି ଘେରରେ ରହିଛି। ସେହିପରି ବାଳକାଟି ରଥିଜେମାସ୍ଥିତ ଅଜାଣେଶ୍ବର ମହାଦେବ ମନ୍ଦିର ଓ ମା’ ଭଗବତୀ ମନ୍ଦିର ଓ ଚଢ଼େଇବରସ୍ଥିତ ଗ୍ରାମଦେବତୀ ବ୍ରାହ୍ମଣୀ ଠାକୁରାଣୀଙ୍କ ପୀଠରେ ବନ୍ୟା ଜଳ ପଶି ଯାଇଛି। ନଦୀପଠା ବୁଡ଼ିଯିବା ପରେ ଝୁମ୍ପୁଡ଼ିରେ ରହୁଥିବା ୨୦୦ରୁ ଅଧିକ ଇଟାଭାଟି ଶ୍ରମିକ ଏବେ ହୀରାପୁର ଉଚ୍ଚ ପ୍ରାଥମିକ ସ୍କୁଲ, କୋଠଘର ଓ ମନ୍ଦିର ବେଢ଼ାକୁ ସଂଧ୍ୟାରେ ସ୍ଥାନାନ୍ତରିତ ହୋଇଛନ୍ତି। କିନ୍ତୁ ଇଟାଭାଟି ମାଲିକମାନେ ସେମାନଙ୍କୁ ଶୁଖିଲା କି ରନ୍ଧାଖାଦ୍ୟ ଓ ରାସନ ସାମଗ୍ରୀ ଯୋଗାଇନଥିବା ଖବର ମିଳିଛି। ଏଭଳି ପରିସ୍ଥିତିରେ ବାହାରୁ ଆସିଥିବା ଶ୍ରମିକମାନେ ହୀନସ୍ତା ହେଉଛନ୍ତି।

ପରିତାପର ବିଷୟ ବାଲିଅନ୍ତା ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କୁ ଶୁଖିଲା କି ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇନାହିଁ। ଖୋଲା ଆକାଶ ତଳେ ନଦୀବନ୍ଧରେ ରହୁଥିବା ବିପନ୍ନ ପରିବାରକୁ ତହସିଲ ପ୍ରଶାସନ ପକ୍ଷରୁ ପଲିଥିନ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି, ଏଡିଏମ ଖୋର୍ଦ୍ଧା ଅନୁଜ ଦାଶ ପଟ୍ଟନାୟକ, ଭୁବନେଶ୍ବର ଏଡିଏମ ପ୍ରଫୁଲ କୁମାର ସ୍ବାଇଁ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବିଡିଓ ଆଦିକନ୍ଦ ବେହେରା ଓ ତହସିଲଦାର ସୁଜାତା ମହାରଣା ପ୍ରମୁଖ ପୁରୋହିତପୁର ପଞ୍ଚାୟତ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ସରପଞ୍ଚ କବିତା ମାଝୀଙ୍କୁ ତଳିଆ ଅଞ୍ଚଳ ନଅବାଟି ଗ୍ରାମରେ ଭାର୍ଗବୀ ପାଣି ପଶୁଥିବାରୁ ସେଠାରେ ରହୁଥିବା ୨୨ଟି ପରିବାରର ୧୫୦ ଜଣ ଳୋକଙ୍କୁ ଗାଁ ସ୍କୁଲ ଘରକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାତିରେ ଗାଁ ଭିତରେ ପାଣି ପଶିଯିବାରୁ ସଂପୃକ୍ତ ପରିବାର ସ୍କୁଲ ଘରେ ଆଶ୍ରୟ ନେଇଥିବା ସୂଚନା ମଳିଛି।

Share Now:

Kalinga News Beuro

Next Post

ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ: ଜେଇଇ-ନିଟରେ ପରୀକ୍ଷାର୍ଥୀମାନଙ୍କୁ ସହଯୋଗ କରନ୍ତୁ

Sun Aug 30 , 2020
ଭୁବନେଶ୍ୱର: ବିଜୁ ଜନତା ଦଳ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇଛନ୍ତି। କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ୱରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ରାଜ୍ୟ ଓଡ଼ିଶା ମଧ୍ୟ କରୋନାର କଡ଼ା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆନ୍ୟମାନଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ […]
ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial