ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବେକି :ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କେବେ ?

ଭୁବନେଶ୍ୱର(ଖଣ୍ଡଗିରି): ଖଣ୍ଡଗିରି ଟ୍ରାଫିକ୍‌ ଛକର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣର କଥା। ୨୦୧୭ ନଭେମ୍ବରରେ ସଏଲ୍‌ ଟେଷ୍ଟ୍‍ କାମ ଆରମ୍ଭ ହେଲା। ପିଲାର୍‌ ନିର୍ମାଣ ହେବାକୁ ଥିବା ପଏଣ୍ଟଗୁଡ଼ିକର ସଏଲ୍‌ ଟେଷ୍ଟ ସରୁ ସରୁ ନଭେମ୍ବର ବିତିଗଲା। ଲୋକେ ଧରିନେଲେ କାମ ଜୋର୍‌ଦାର୍‌ ଚାଲିଲା ଓ ଏଣିକି ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ପୂରା ଦମ୍‌ରେ ଚାଲିବ ଓ ଖୁବ୍‌ ଶୀଘ୍ର ସରିବ। କିନ୍ତୁ ସେଇଠି ଅଟକି ଗଲା ନିର୍ମାଣ କାମ। ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ଅବସ୍ଥା। ଏ ଭିତରେ ୪ ମାସ ବିତିଗଲାଣି ପଛେ, ସଏଲ୍‌ ଟେଷ୍ଟ ପରେ କାମ ଆଉ କିଛି ବି ଆଗେଇ ପାରିନାହିଁ। ନା ଠିକାଦାରଙ୍କ ଦର୍ଶନ ଅଛି ନା ଜାତୀୟ ରାଜପଥ ବିଭାଗର ତାଗିଦ୍‌ ଅଛି।

ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ତଥା ମରଣଯନ୍ତା ଭାବେ ପରିଚିତ ଏହି ଟ୍ରାଫିକ୍‌ ଛକରେ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କରାଯିବାକୁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ଏମିତିିକି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ହସ୍ତକ୍ଷେପ କରିଥିଲେ ଓ ୨୦୧୬ରେ କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କୁ ଏ ନେଇ ଅନୁରୋଧ କରିଥିଲେ। ତେବେ ଶେଷକୁ ୨୦୧୭ ମାର୍ଚ୍ଚରେ ଏହି ପ୍ରତୀକ୍ଷିତ କାମର ଟେଣ୍ଡର୍‌ ଫାଇନାଲ୍‌ ହୋଇଥିଲା। ଆର୍‌କେଡି ସଂସ୍ଥା ଏହି ନିର୍ମାଣ ଦାୟିତ୍ୱ ହାତେଇଥିଲା। ମୋଟ୍‌ ୧୪ଶହ ମିଟର ଲମ୍ବର ଏହି ବ୍ରିଜ୍‌ ନିର୍ମାଣ ଶେଷ କରିବା ପାଇଁ ପ୍ରାୟ ୨ ବର୍ଷ ଅବଧି ରଖାଯାଇଥିଲା। ଟ୍ରାଫିକ୍‌ ଛକରୁ ବରମୁଣ୍ଡା ଆଡ଼କୁ ୪ ଶହ ମିଟର ଓ ଡୁମୁଡୁମା ହାଉସିଂ ବୋର୍ଡ ଛକ ଆଡ଼କୁ ୧ କିମି ଲମ୍ବର ବ୍ରିଜ୍‌ ନିର୍ମାଣ ହେବ ବୋଲି ଡିଜାଇନ୍‌ ପ୍ରସ୍ତୁତ କରାଯାଇଥିଲା। ଏମିତିରେ ଗତ ନଭେମ୍ବର ମାସରେ କାମ ଆରମ୍ଭ ହେଲା। ପିଲାର୍‌ ପଏଣ୍ଟଗୁଡ଼ିକର ସଏଲ୍‌ ଟେଷ୍ଟ ଚାଲିଲା। ନିର୍ମାଣ କାମ ଆରମ୍ଭ ହେବାରୁ ଲୋକଙ୍କ ଭିତରେ ଉତ୍ସୁକତା ବଢ଼ି ଯାଇଥିଲା। ଜାନୁଆରି ମାସରେ ଖଣ୍ଡଗିରି କୁମ୍ଭମେଳା ପଡ଼ୁଥିବାରୁ ମେଳା ସରିବା ପରେ ପରେ ପୂରା ଦମ୍‌ରେ ଏହି ନିର୍ମାଣ କାମ ଚାଲିବ ବୋଲି ଉଭୟ ଠିକାଦାର ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଥିଲା। କୁମ୍ଭମେଳା ଚାଲିଥିବା ଭିତରେ ବି ସଏଲ୍‌ ଟେଷ୍ଟ କାମ ଚାଲୁ ରହିଥିଲା। ମୋଟାମୋଟି ଫେବ୍ରୁଆରିରୁ କାମ ଆରମ୍ଭ ହୋଇଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ଥିଲା। କିନ୍ତୁ ସଏଲ୍‌ ଟେଷ୍ଟ ପରେ ଆଉ କାହାରି ଦେଖା ଦର୍ଶନ ନାହିଁ। ଠିକାଦର ଯେମିତି ଉଭାନ୍‌ ହୋଇଯାଇଛନ୍ତି! ଫେବ୍ରୁଆରି ଯାଇ ମାର୍ଚ୍ଚ ଗଲା ପଛେ ବ୍ରିଜ୍‌ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ। ନିର୍ମାଣ କାମରେ ବିଳମ୍ବକୁ ନେଇ ନାନା କଥା ଚର୍ଚା ହେଉଛି। ଠିକାଦାର କାମ ଛାଡ଼ି ଦେଇଛନ୍ତି ବୋଲି ଲୋକଙ୍କ ଭିତରେ ଚର୍ଚା ଜୋର୍‌ ଧରିଛି। ଠିକାଦାର ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଭିତରେ କୌଣସି ଗଣ୍ଡଗୋଳିଆ ପରିସ୍ଥିତିକୁ ନେଇ ଏଭଳି ପରିସ୍ଥିତି ଉପୁଜିଛି ବୋଲି କୁହାଯାଉଛି। ଏ ନେଇ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା। ଏଣେ କାମ ବିଳମ୍ବକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ମରଣଯନ୍ତା ଏହି ଛକରେ ପୁଣି ଯଦି କିଛି ଅଘଟଣ ଘଟେ, ତେବେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ଅଠରନଳାର ପୁନରୁଦ୍ଧାର ଖୁବ ଶୀଘ୍ର: ଖର୍ଚ୍ଚ ହେବ ୨୬ କୋଟି

Mon Apr 9 , 2018
ପୁରୀ: ବିପର୍ଯ୍ୟସ୍ତ ସ୍ଥିତିରେ ପର୍ଯ୍ୟଟନ ସହର ପୁରୀ। ପ୍ରବେଶ ପଥ ଅଠରନଳା ନବକଳେବର ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ସୌନ୍ଦର୍ଯ୍ୟକରଣ ଏବଂ ମୂଷାନଈର ଖନନ କାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହାରି ଭିତରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସ୍ଥିତି ଯଥା ପୂର୍ବ ତଥା ପରଂ ହୋଇଛି। ସେପଟେ ଏହାର ପୁନରୁଦ୍ଧାର ପାଇଁ ପ୍ରାଶାସନ ପୁଣି ଥରେ ଯୋଜନା କରୁଥିବା ଜଣାପଡିଛି। ଚାରିଆଡେ କୁଢକୁଢ ଅଳିଆ ଆବର୍ଜନା ସହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial