ଭୁବନେଶ୍ୱର: ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍‌ପ୍ଲାନିଂ ଯୋଜନା (ଟିପି ସ୍କିମ୍‌) ନେଇ ଏବେ ନୂଆ ଅଡ଼ୁଆ ସୃଷ୍ଟି ହୋଇଛି। ଟିପି ସ୍କିମ୍‌-୧ରେ ପାଇକରାପୁର ପାଇଁ ଜମି ଜନିତ ସମସ୍ତ ଅଭିଯୋଗର ଶୁଣାଣି ଶେଷ ହେବା ପରେ ରାସ୍ତା, ଜମି ଚିହ୍ନଟ ପ୍ରକ୍ରିୟା ବି ଶେଷ ହୋଇଛି। କିନ୍ତୁ ଏବେ ଜମି ମାଲିକାନା କିପରି ଦିଆଯିବ ତାହା ସମସ୍ୟା ପାଲଟିଛି। ଟିପି ସ୍କିମ୍‌ରେ ମୂଳ ଜମିର ନକ୍ସା ସଂପୂର୍ଣ୍ଣ ବଦଳି ଯାଇଥିବାବେଳେ ଏବେ ଜମି ମାଲିକଙ୍କୁ କିପରି ପଟ୍ଟା ପ୍ରଦାନ କରାଯିବ ସେନେଇ ବିଡିଏ କର୍ତ୍ତୃପକ୍ଷଙ୍କୁ ବୁଦ୍ଧି ଜୁଟୁନି। ଏପରିକି ବିଡିଏ କର୍ତ୍ତୃପକ୍ଷ ଯେତେ ଗଳାବାଟ ବାହାର କଲେ ବି ଏଥିରେ ରାଜସ୍ୱ ବିଭାଗ ନିୟମ ପ୍ରତିବନ୍ଧକ ସାଜୁଛି। ତେଣୁ ଯେଉଁ ଅହମ୍ମଦାବାଦକୁ ଦେଖି ଭୁବନେଶ୍ୱରରେ ଟିପି ସ୍କିମ୍‌ ଆରମ୍ଭ ହୋଇଥିଲା ଏବେ ସେଠାକୁ ଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟିପି ସ୍କିମ୍‌ -୧ରେ ୭୪୬.୭୦ ଏକର ଜମି ଥିବାବେଳେ ଏଥିରୁ ପାଇକରାପୁରର ୩୧୭.୯୩ଏକର ଜମିରେ ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହେବ। କିନ୍ତୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଥିରୁ ୧୪୫ଏକର ଜମିର ଉନ୍ନତୀକରଣ କରାଯାଇଛି। ମାର୍ଚ୍ଚ ୬ତାରିଖରୁ ଆରମ୍ଭ ହୋଇଥିବା ଜମି ଓ ରାସ୍ତା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପ୍ରାୟ ୬୦୦ରୁ ଅଧିକ ହିତାଧିକାରୀଙ୍କ ପାଇଁ ଜମି ଚିହ୍ନଟ କରାଯାଇଛି। ରାସ୍ତା ମଧ୍ୟ ନିର୍ମାଣ ସରିଛି। କିନ୍ତୁ ଜମି ଆବଣ୍ଟନ କଲେ ଲୋକଙ୍କୁ ଏହାର ମାଲିକାନା ପାଇଁ ପଟ୍ଟା ଦେବାକୁ ପଡ଼ିବ। ଏହା ବିଡିଏ ଜମି ହୋଇ ନଥିବାରୁ ଏଠାରେ ବିଡିଏ ଆଲଟମେଣ୍ଟ ଲେଟର ଦେଇ ହେବନି। ତେଣୁ ଏହି ରାଜସ୍ୱ ଜମିର ପଟ୍ଟା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଏହି ପଟ୍ଟା ପ୍ରସ୍ତୁତ କରିବା ଏବେ କାଠିକାର ପାଠ ହେଲାଣି।

ରାଜସ୍ୱ ଓ ବିଡିଏ ଅଧିକାରୀ ଯିବେ ଅହମ୍ମଦାବାଦ
ଏହି ଦୁଇଟି ପ୍ରକ୍ରିୟାରେ ପଟ୍ଟା ଦେବାକୁ ରାଜସ୍ୱ ବିଭାଗର ନିୟମ ଥିଲେ ହେଁ ଏହା ଟିପି ସ୍କିମ୍‌ରେ ଲାଗୁ ହୋଇପାରୁନି। ତେଣୁ ଅହମ୍ମଦାବାଦରେ ଯେପରି ଟିପି ସ୍କିମ୍‌ ହିତାଧିକାରୀଙ୍କୁ ଜମି ଆବଣ୍ଟନ ହୋଇଛି ତାହାକୁ ଅନୁଧ୍ୟାନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଖୁବ୍‌ ଶୀଘ୍ର ଅହମ୍ମଦାବାଦ ଯିବେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ୱ ବିଭାଗର ଅତରିକ୍ତ ସଚିବ, ବିଡିଏ ସେକ୍ରେଟେରି, ଡାଇରେକ୍ଟର୍‌ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସେଟେଲମେଣ୍ଟ, ରାଜସ୍ୱ ବିଭାଗ ଯୁଗ୍ମ ସଚିବ, ଭୁବନେଶ୍ୱର ଉପଜିଲ୍ଲାପାଳ, ବିଡିଏର ଟିପି ସ୍କିମ୍‌ ଦାୟିତ୍ୱରେ ଥିବା ଅଧିକାରୀମାନେ ଅହମ୍ମଦାବାଦ ଯିବେ।

ଦୁଇଟି ବିକଳ୍ପ ଫେଲ୍‌ ମାରିଲା
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟିପି ସ୍କିମ୍‌-୧ କାର୍ଯ୍ୟକାରୀ ହୋଇଥିବା ଅଞ୍ଚଳରେ ଯାହାର ପୂର୍ବରୁ ଯେଉଁଠି ଜମି ଥିଲା ଏବେ ସେଠାରେ ଆଉ ନାହିଁ। ଜମିର ନକ୍ସା ସଂପୂର୍ଣ୍ଣ ଭାବେ ବଦଳିଯାଇଛି। ତେଣୁ ରାଜସ୍ୱ ବିଭାଗର ପରାମର୍ଶ ଲୋଡ଼ା ଯାଇଥିଲା। ଏବେ ଜମି ଦେବାକୁ ହେଲେ ସେଲ୍‌ ଡିଡ୍‌ କରିବାକୁ ହେବ ନଚେତ୍‌ ସେଟେଲମେଣ୍ଟ ଯୋଜନା କରିବାକୁ ପଡ଼ିବ। ସେଲ୍‌ ଡିଡ୍‌ କଲେ ଜମି ମାଲିକଙ୍କୁ ସରକାରଙ୍କୁ ଷ୍ଟାମ୍ପ୍‌ ଡ୍ୟୁଟି ଦେବାକୁ ପଡ଼ିବ। ହେଲେ ଟିପି ସ୍କିମ୍‌ରେ ବିଡିଏ ପ୍ରତିଶ୍ରୁତି ଦେଇଛି ଯେ, ଜମି ମାଲିକଙ୍କର ଟଙ୍କା ଖର୍ଚ୍ଚ ହେବନି। କେବଳ ଯାହା ଜମିରୁ ୪୦% ଅଂଶ ରାସ୍ତା ଏବଂ ଅନ୍ୟାନ୍ୟ ଅଞ୍ଚଳ ଉନ୍ନତୀକରଣ ପାଇଁ ଯିବ। ଏବେ ଷ୍ଟାମ୍ପ୍‌ ଡ୍ୟୁଟି ପାଇଁ ଅର୍ଥ ଦେବାକୁ କହିଲେ ଲୋକ ବିରୋଧ କରିବାର ସମ୍ଭାବନା ଥିବାରୁ ଏହି ଯୋଜନା କାର୍ଯ୍ୟକାରୀ କରିବା କଷ୍ଟକର। ସେହିପରି ସେଟେଲମେଣ୍ଟ ଅନ୍ୟ ଏକ ଉପାୟ ହୋଇଥିଲେ ହେଁ ଏହା ସହଜ ହେଉନି। ସେଟେଲମେଣ୍ଟ ଗୋଟିଏ ରାଜସ୍ୱ ଗ୍ରାମରେ କରିବାର ନିୟମ ଅଛି। ହେଲେ ଟିପି ସ୍କିମ୍‌-୧ରେ ୪ଟି ରାଜସ୍ୱ ଗ୍ରାମକୁ ସାମିଲ୍‌ କରି ଜମି ଆବଣ୍ଟନ ହୋଇଛି। ଏପରିକି କେତେକ ହିତାଧିକାରୀଙ୍କୁ ଯେଉଁ ଜମି ଆବଣ୍ଟନ କରିବାକୁ ଚିହ୍ନଟ ହୋଇଛି ସେଥିରୁ କିଛି ଅଂଶ ଗୋଟିଏ ରାଜସ୍ୱ ଗ୍ରାମରେ ଥିବାବେଳେ ଆଉ କିଛି ଅନ୍ୟ ଏକ ରାଜସ୍ୱ ଗ୍ରାମରେ ରହିଛି। ଏହାଦ୍ୱାରା ସେଟେଲମେଣ୍ଟ କରିବା ସମ୍ଭବ ନୁହେଁ।

ଟିପି ସ୍କିମ୍‌-୧ରେ କେଉଁଥିପାଇଁ କେତେ ଜମି
ଟିପି ସ୍କିମ୍‌-୧ ପାଇଁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ୬୦.୦୫% ଅଞ୍ଚଳ ଆବାସିକ ଅଞ୍ଚଳ ରହିବ। ୨୭.୮୭% ଅଞ୍ଚଳ ରାସ୍ତା, ୩.୦୫% ଅଞ୍ଚଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବିକ୍ରି ହେବ, ୨.୮୭% ଜମି ପବ୍ଲିକ ଓ ସେମିପବ୍ଲିକ, ଆବାସିକ ଗୃହ ପାଇଁ ୨.୯୧% ଜମି ବିକ୍ରି ହେବ, ମୁକ୍ତ ବ୍ୟବସାୟିକ ବ୍ୟବହାର ପାଇଁ ୦.୧୭%, ଖୋଲାସ୍ଥାନ ଓ ପାର୍କ ପାଇଁ ୧.୪୧%, ଖୋଲା ସ୍ଥାନ ୦.୩୫%, ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଘର ଯୋଗାଇବା ପାଇଁ ୦.୮୪%, ସିଡିପିରେ ଥିବା ନାଳ ପାଇଁ ୦.୪୯% ଜମି ସଂରକ୍ଷିତ ରହିବ ବୋଲି ନିଷ୍ପତ୍ତି ହୋଇଛି।

ପାଇକରାପୁର ଉପରେ ଅନ୍ୟ ଅଞ୍ଚଳ ଭାଗ୍ୟ
ପାଇକରାପୁର ଟିପି ସ୍କିମ୍‌ କାର୍ଯ୍ୟକାରୀ ହେବା ପରେ ଟିପି ସ୍କିମ୍‌-୧ରେ ବାକି ଥିବା ନାରଗୋଦାରେ ୧୪୮.୪୨ଏକର, ସିଜିପୁଟରେ ୧୭୬.୨୦ଏକର, ସହଜପୁରରେ ୧୦୪.୧୭ଏକର ଅଞ୍ଚଳର ଉନ୍ନତୀକରଣ ହେବ। ଏଠାରେ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ ଓ ରାସ୍ତା ଚିହ୍ନଟ କରାଯିବ। ଟିପି ସ୍କିମ୍‌-୧ର ସମସ୍ୟା ତୁଟିଲେ ବାକି ଟିପି ସ୍କିମ୍‌ କାର୍ଯ୍ୟ ତୁରନ୍ତ ହୋଇଯିବ ବୋଲି କର୍ତୃପକ୍ଷ ଆଶା ରଖିଛନ୍ତି। ତମାଣ୍ଡୋ ଓ ବିଜିପୁର ମୌଜାର ୧୯୯ଏକର ଜମିକୁ ନେଇ ଟିପି ସ୍କିମ୍‌-୨ ହେଉଥିବାବେଳେ ଏଠାରେ ୬୦୪ଜଣ ଜମି ମାଲିକ ଅଛନ୍ତି। ସେହିପରି ଟିପି-୩ ପାଇକରାପୁର ଓ ନୂଆ ଗାଁ ମୌଜାର ୨୮୦ଏକର ଜମିକୁ ନେଇ ହେଉଥିବାବେଳେ ଏଠାରେ ୧୦୬୦ଜଣ ଜମି ମାଲିକ ଅଛନ୍ତି। ଆଉ ଟିପି-୪ ଶ୍ୟାମସୁନ୍ଦରପୁର ମୌଜାର ୩୭୧ଏକର ଜମିକୁ ନେଇ ହେଉଥିବାବେଳେ ଏବେ ସୁଦ୍ଧା ଏଠାରେ ୬୯୭ମାଲିକଙ୍କୁ ଚିହ୍ନଟ କରାଯାଇଛି। ଟିପି ସ୍କିମ୍‌ ଚୂଡ଼ାନ୍ତ ରୂପ ପାଇବା ପରେ ଟିପି ସ୍କିମ୍‌୨, ୩ ଓ ୪ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ୨୦୧୮ ଶେଷ ସୁଦ୍ଧା ୪ଟି ଯାକ ଟିପି ସ୍କିମ୍‌ ଚୂଡ଼ାନ୍ତ ରୂପ ପାଇବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

 ତରଳୁଛି ଆଣ୍ଟାର୍କଟିକା ବରଫାବୃତ୍ତ ପାହାଡ଼: ସମୁଦ୍ରରେ ଜଳସ୍ତର  ବୃଦ୍ଧି 

Thu Jun 14 , 2018
ନୂଆଦିଲ୍ଲୀ: ମାଡ଼ି ଆସୁଛି ପ୍ରାକୃତିକ ବିପତ୍ତି। ଦ୍ରୁତ ଗତିରେ ତରଳୁଛି ଆଣ୍ଟାର୍କଟିକା ବରଫାବୃତ୍ତ ପାହାଡ଼। ପୂର୍ବ ଅପେକ୍ଷା ୩ ଗୁଣା ତରଳୁଛି ଏହି ବରଫାବୃତ୍ତ ପାହାଡ଼। ୧୯୯୨ ମସିହାରୁ ଏଯାଏଁ ୩ ଟ୍ରିଲିୟନ୍‌ ଟନ୍‌ ପାହାଡ଼ ତରଳି ସାରିଲାଣି। ଆନ୍ତର୍ଜାତୀୟ ବରଫ ବିଶେଷଜ୍ଞମାନେ ଗବେଷଣା କରି ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଗତ ଶତାବ୍ଦୀର ମଧ୍ୟଭାଗରୁ ଦକ୍ଷିଣମହାଦେଶୀୟ ଅଞ୍ଚଳରେ ଏହି ପାହାଡ଼ ତରଳି ଚାଲୁଛି। ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial