ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମାଟିଆସାହି ପୋଲ ନିର୍ମାଣ ଦୀର୍ଘଦିନ ହେବ ଶେଷ ହୋଇଛି। ପୋଲ ନିର୍ମାଣ ପରେ ଆପ୍ରୋଚ ରୋଡ଼ ନିର୍ମାଣ ହୋଇନଥିବାରୁ ପୋଲ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆପ୍ରୋଚ ରୋଡ଼ ନିର୍ମାଣ ପାଇଁ ବ୍ୟକ୍ତିଗତ ଜାଗା ପ୍ରତିବନ୍ଧକ ସାଜିଥିଲା। ଗତ କିଛିଦିନ ତଳେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଉପସ୍ଥିତିରେ ଜାଗାର ମାପଚୁପ କରାଇ ବ୍ୟକ୍ତିଗତ ଜାଗା ଥିବା ବ୍ୟକ୍ତିଙ୍କୁ ସରକାରୀ ଜାଗା ପ୍ରଦାନକରି ଆପ୍ରୋଚ ରୋଡ଼ ନିର୍ମାଣ କରାଯିବାକୁ ନିଷ୍ପତି ହୋଇଥିଲା। ଏହି ନିଷ୍ପତି ମୂଳେ ବ୍ୟକ୍ତିଗତ ଜାଗା ମାଲିକ ମହେଶ୍ୱର ପରିଡା ଓ ତାଙ୍କ ପରିବାର ପ୍ରଶାସନ ପ୍ରଦତ୍ତ ସରକାରୀ ଜମିରେ ଗୃହ ନିର୍ମାଣ କରୁଥିଲେ। ମାତ୍ର ସେଠାକାର କେତେକ ଗ୍ରାମବାସୀ ଏହି ଗୃହ ନିର୍ମାଣକୁ ବିରୋଧ କରିଥିବା ଅଭିଯୋଗ ହୋଇଛି। ମହେଶ୍ୱର ପରିଡା ଓ ତାଙ୍କ ପରିବାର ତହସିଲଦାରଙ୍କୁ ଦେଇଥିବା ଅଭିଯୋଗରୁ ଜଣାପଡିଛି ଯେ ପୋଲର ଆପ୍ରୋଚ ରୋଡ଼ ନିର୍ମାଣ ପାଇଁ ୦୯.୦୯.୨୦୨୦ ତାରିଖରେ ତହସିଲଦାର, ଗ୍ରାମବାସୀ ଓ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ଜାଗା ଚିହ୍ନଟ କରାଯାଇ ତାଙ୍କୁ ସରକାରୀ ଜମି ଦିଆଯାଇଥିଲା। ପରେ ମହେଶ୍ୱର ପରିଡା ସେହି ଜାଗାରେ ଗୃହ ନିର୍ମାଣ କରୁଥିଲେ।ଗୃହ ନିର୍ମାଣ ବେଳେ ସେ ଅନୁପସ୍ଥିତ ଥିଲେ। ଏହି ସମୟରେ ଗ୍ରାମର କେତେକ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାସହ ଦୁର୍ବ୍ୟବହାର କରିଥିଲେ। ମହେଶ୍ଵରଙ୍କ ପତ୍ନୀ ଭାରତୀ ପରିଡା ତିହିଡି ଥାନା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ଯେ ,ତାଙ୍କ ଗ୍ରାମର କିଛି ବ୍ୟକ୍ତି ଗୃହ ନିର୍ମାଣ ସମୟରେ ବିରୋଧ କରିବା ସହ ଗୃହ ନିର୍ମାଣ ଉପକରଣଗୁଡିକୁ ନେଇଯାଇଛନ୍ତି ଓ ନିର୍ମାଣ ଶ୍ରମିକ ମାନଙ୍କୁ ଗାଳିଗୁଲଜ କରିଛନ୍ତି। ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଥାନା ଅଧିକାରୀଙ୍କୁ ଜଣାଇଛନ୍ତି। ତେବେ ଏ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ସରକାରୀ ଜାଗା ଦିଆଯାଇଛି। ସରକାରୀ ଜାଗା ପ୍ରଦାନ ବେଳେ ବହୁ ଗ୍ରାମବାସୀଙ୍କ ମତାମତ ନିଆଯାଇଥିଲା। ସେମାନଙ୍କ ଅଭିଯୋଗ ଶୁଣିବାପରେ ବିଲକୁ ଯିବାପାଇଁ କୋଡିଏ କଡ଼ିର ଏକ ରାସ୍ତା ଦିଆଯାଇଛି। ଏଥିରେ କାହାରି କୌଣସି ଅସୁବିଧା ହେବନାହିଁ। ଯଦି କେହି ଜାଗାର ଅବରୋଧ କରେ ତାହେଲେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମାଟିଆସାହି ପୋଲ ଆପ୍ରୋଚ ରୋଡ଼ ନିର୍ମାଣ ପାଇଁ ସରକାରୀ ଜମି ପ୍ରଦାନ ପରେ ଗୃହ ନିର୍ମାଣକୁ ବିରୋଧ

Share Now: