ହାଥରସ: ହାଥରସ ଗଣଦୁଷ୍କର୍ମ ଘଟଣାର ଚାରି ଅଭିଯୁକ୍ତଙ୍କ ମାମଲା ପରିଚାଳନା କରିବେ ବୋଲି ଶନିବାର ଦିନ ହାଥରସରେ ପହଞ୍ଚିଥିବା ନିର୍ଭୟା ଦୋଷୀଙ୍କ ନିର୍ଲଜ ଓକିଲ ଏ.ପି. ସିଂହ ଘୋଷଣା କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭାର ସଦସ୍ୟ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନବେନ୍ଦ୍ର ସିଂହଙ୍କ ସହ ଶ୍ରୀ ସିଂହ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଅଭିଯୁକ୍ତଙ୍କ ପରିବାରର ସଦସ୍ୟମାନଙ୍କୁ ଭେଟିଥିଲେ। ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଚାରିଜଣଙ୍କ ମାମଲା ଲଢ଼ିବାକୁ ଉଚ୍ଚ ଜାତି ସଙ୍ଗଠନ ‘ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା’ ପୂର୍ବରୁ ଏ.ପି. ସିଂହଙ୍କୁ ଭେଟିଥିଲା। ‘ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା’ର ଜାତୀୟ ଅଧ୍ୟକ୍ଷ ରାଜା ମାନବେନ୍ଦ୍ର ସିଂହ ଏହା ସ୍ଥିର କରିଥିଲେ। ଉଲ୍ଲେଖ କରାଯାଇପାରେ ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ଘଟଣାର ରାଜନୀତିକରଣ ଦ୍ବାରା ଜାତିଆଣା ଦଙ୍ଗା କରିବା ଲାଗି ରାଜ୍ୟରେ ଷଡ଼ଯନ୍ତ୍ର ଚାଲିଛି। ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କ ସୁରକ୍ଷା ବିଷୟରେ ସୁନିଶ୍ଚିତ ହେବାକୁ ଗତକାଲି ଠାରୁ ତାଙ୍କ ଘର ବାହାରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଅନ୍ୟୂନ ୬୦ ଜଣ ନିରାପତ୍ତା କର୍ମଚାରୀ ମୁତୟନ କରାଯିବା ସହ ଆଠଟି ସିସିଟିଭି କ୍ୟାମେରା ଲଗାଯାଇଛି।
ହାଥରସ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ମାମଲା ପରିଚାଳନା କରିବେ ନିର୍ଲଜ ଓକିଲ ଏ.ପି. ସିଂହ

Share Now: