ନୂଆଦିଲ୍ଲୀ : ଚୀନର ପ୍ରଭାବକୁ ହ୍ରାସ କରିବାକୁ ଭାରତ ନିଜର ପଡ଼ୋଶୀ ଦେଶ ମିଆଁମାର ସେନାକୁ ଶକ୍ତିଶାଳୀ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛି। ମିଆଁମାର ନୌସେନାକୁ ଭାରତ ପକ୍ଷରୁ ଏକ କିଲୋ କ୍ଲାସ ବୁଡ଼ାଜାହାଜ ଆଇଏନଏସ୍ ସିନ୍ଧୁବୀର ପ୍ରଦାନ କରାଯିବ। ଏସମ୍ପର୍କରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଭାରତ ମହାସାଗରରେ ଚୀନର ଗତିବିଧି ବଢୁଥିବାରୁ ଏହି ବୁଡ଼ାଜାହାଜର ଉପଯୋଗ କରି ମିଆଁମାର ନିଜର ଉପକୂଳର ସୁରକ୍ଷା କରିପାରିବ। ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବଢାଇବାକୁ ଚଳିତ ମାସ ଆରମ୍ଭରେ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରୱାଣେ ଓ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା ମିଆଁମାର ଗସ୍ତରେ ଯାଇଥିଲେ। ଏହି ଗସ୍ତ ଅବସରରେ ମିଆଁମାର ସେନାକୁ ଆର୍ଟିଲାରି ଗନ, ବୁଲେଟପୃଫ ଜାକେଟ୍, ଟ୍ୟାଙ୍କ ଆଦି ପ୍ରଦାନ ପାଇଁ ଭାରତ ରାଜି ହୋଇଥିଲା। ଦକ୍ଷିଣ-ପୂର୍ବ ଏସିଆରେ ଚୀନର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବର ମୁକାବିଲା କରିବାକୁ ଭାରତ ଉଦ୍ୟମ ଆରମ୍ଭ କରିଛି। ଚୀନ ସହିତ ସୀମା ବିବାଦ ଥିବା ଦେଶମାନଙ୍କୁ ଭାରତ ସାମରିକ ସହାୟତା ଯୋଗାଉଛି। ଗତ କିଛି ବର୍ଷ ହେଲା ଇଣ୍ଡୋନେସିଆ ଓ ଥାଇଲାଣ୍ଡ ସହ ଭାରତ ନିଜର ସାମରିକ ସମ୍ପର୍କକୁ ସୁଦୃଢ କରିଛି। ଇଣ୍ଡୋନେସିଆକୁ ଭାରତ କେତେକ ଯୁଦ୍ଧ ଜାହାଜ, ବ୍ରହ୍ମୋସ ମିସାଇଲ, ଆକାଶ ମିସାଇଲ ସିଷ୍ଟମ ପ୍ରଦାନ କରିବାକୁ ଯୋଜନା କରୁଛି। ଭାରତଠାରୁ ଏସବୁ ଅସ୍ତ୍ରଶସ୍ତ୍ର କିଣିବାକୁ ଇଣ୍ଡୋନେସିଆ ଆଗ୍ରହ ପ୍ରକାଶ କରିଛି।
ଚୀନ ଉପରେ ଆଖି : ମିଆଁମାରକୁ ବୁଡ଼ାଜାହାଜ ପ୍ରଦାନ କରିବ ଭାରତ

Share Now: