ନୂଆଦିଲ୍ଲୀ: ‘ଜିଏସ୍ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍ ଉତ୍କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍ଏକ୍ସ୍’ର ରକେଟ୍ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍’ କହିଛି। ଚଳିତ ବର୍ଷ ମଧ୍ୟ ଭାଗ ବେଳକୁ ଘରୋଇ ମହାକାଶ ଏଜେନ୍ସି ‘ସ୍ପେସ୍ଏକ୍ସ୍’ର ‘ଫାଲ୍କନ୍-୯’ ରକେଟ୍ରେ ଉପରୋକ୍ତ ଯୋଗାଯୋଗ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ। ଟେଲିକମ୍ ବ୍ୟବହାରକାରୀଙ୍କୁ ଅତ୍ୟନ୍ତ ଦ୍ରୁତ ଇଣ୍ଟର୍ନେଟ୍ ସେବା ଯୋଗାଇବାକୁ ସମର୍ଥ ‘ଜିଏସ୍ଏଟି-୨୦’ର ଓଜନ ପ୍ରାୟ ୪,୭୦୦ ପାଉଣ୍ଡ୍। ଏହା ‘ଇସ୍ରୋ’ର ସବୁଠୁ ଶକ୍ତିଶାଳୀ ରକେଟ୍ ‘ଏଲ୍ଭିଏମ୍-୩’ର ଉତ୍କ୍ଷେପଣ କ୍ଷମତାଠାରୁ ଯଥେଷ୍ଟ ଭାରୀ। ୪୦୦୦ କିଲୋଗ୍ରାମ୍ରୁ ଅଧିକ ଓଜନିଆ ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ ନିମନ୍ତେ ଭାରତ ୟୁରୋପୀୟ ଉତ୍କ୍ଷେପଣକାରୀ ସେବା ‘ଏରିଅନ୍ସ୍ପେସ୍’ ଉପରେ ନିର୍ଭର କରି ଆସୁଛି। କିନ୍ତୁ, ‘ଏରିଅନ୍ସ୍ପେସ୍’ର ଭାରୀ ସାଟେଲାଇଟ୍ ଉତ୍କ୍ଷେପଣକାରୀ ରକେଟ୍ ‘ଏରିଅନ୍-୫’ ଗତବର୍ଷ ଜୁଲାଇ ମାସରେ ଅବସର ଗ୍ରହଣ କରିଛି ଏବଂ ତା’ ସ୍ଥାନରେ ‘ଏରିଅନ୍-୬’ ଏପର୍ଯ୍ୟନ୍ତ ପ୍ରସ୍ତୁତି କରାଯାଇ ନାହିଁ।
ତେଣୁ, ‘ଜିଏସ୍ଏଟି-୨୦’କୁ ‘ଫାଲ୍କନ୍-୯’ଦ୍ୱାରା ଉତ୍କ୍ଷେପଣ କରିବା ଲାଗି ‘ନିୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍’ ଓ ‘ସ୍ପେସ୍ଏକ୍ସ୍’ ମଧ୍ୟରେ ‘ଉତ୍କ୍ଷେପଣ ସେବା ରାଜିନାମା’ ସ୍ୱାକ୍ଷରିତ ହୋଇଥିବା କଥା ‘ନିୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍’ କହିଛି। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ‘ହାଇସ୍ପିଡ୍ କନେକ୍ଟିଭିଟି’ ମଧ୍ୟରେ ରହୁଥିବା ବ୍ୟବଧାନକୁ ସଂଯୋଗ କରିବା ସହିତ ଏହା ‘ଇନ୍-ଫ୍ଲାଇଟ୍ ଇଣ୍ଟର୍ନେଟ୍’ ସେବା ମଧ୍ୟ ଯୋଗାଇବ। ପ୍ରଥମେ ଏହାକୁ ୨୦୧୮ ଓ ତା’ପରେ ୨୦୨୦ରେ ଉତ୍କ୍ଷେପଣ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଥିଲା।
ପ୍ରଥମ ଥର ପାଇଁ ‘ସ୍ପେସ୍ଏକ୍ସ୍’ ରକେଟ୍ରେ ‘ଜିଏସ୍ଏଟି-୨୦’ ଉତ୍କ୍ଷେପଣ କରିବ ଭାରତ

Share Now: