ମା’କୁ ଭୁଲି ବନ କର୍ମଚାରୀଙ୍କ ସହ ଆତ୍ମୀୟତା ବଢ଼ାଉଛି ଛୁଆହାତୀ

ଛୁଆହାତୀ

ଲାକ୍ଟୋଜେନ୍‌, ପାଚିଲା କଦଳୀ ଖାଇଲା, ଖୁବଶୀଘ୍ର କପିଳାସ ଚିଡ଼ିଆଖାନା ପଠାଯିବ

ବ୍ରହ୍ମପୁର : ସୁରଳ ଚିଙ୍ଗୁଡ଼ି ଘେରିରୁ ମତ୍ସ୍ୟଜୀବୀ ଯୁବକଙ୍କ ଦ୍ବାରା ଉଦ୍ଧାର ପରେ ହାତୀପଲ ଗୋଠଛଡ଼ା କରିଥିବା ଛୁଆହାତୀ ଏବେ ବନ ବିଭାଗ ହେପାଜତରେ ରହିଛି। ମଣିଷ ସ୍ପର୍ଶ କରିବାରୁ ହାତୀପଲ ତାକୁ ଗ୍ରହଣ କଲେ ନାହିଁ, ଶେଷରେ ଛାଡ଼ି ପଳାଇଲେ। ଏବେ ତାକୁ ବ୍ରହ୍ମପୁର ବନାଞ୍ଚଳ ଅର୍ନ୍ତଗତ ଟମଣା ସେକ୍ସନ୍‌ କାର୍ଯ୍ୟାଳୟରେ ରଖାଯାଇ ଯତ୍ନ ନିଆଯାଉଛି। ମା’ କୋଳ ଓ ଜଙ୍ଗଲ ଛାଡ଼ି ଛୁଆହାତୀଟି ଚାରିକାନ୍ଥ ଭିତରେ ରହିଥିଲେ ମଧ୍ୟ ବନ କର୍ମଚାରୀଙ୍କ ସ୍ନେହ, ଶ୍ରଦ୍ଧା ପାଇ ଧୀରେ ଧୀରେ ମା’କୁ ଭୁଲି ଯତ୍ନ ନେଉଥିବା ବନ କର୍ମଚାରୀଙ୍କ ସହ ଆତ୍ମୀୟତା ବଢ଼ାଉଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ଘଡ଼ିଏ ନ ଦେଖିଲେ ରଡ଼ି ଛାଡୁଛି, ପାଖରେ ଥିଲେ ଖୁସି ରହୁଛି। ଛୁଆହାତୀକୁ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ନିର୍ଦ୍ଦେଶ କ୍ରମେ ଖୁବଶୀଘ୍ର କପିଳାସ ଚିଡ଼ିଆଖାନାକୁ ପଠାଯିବ ବୋଲି ଡିଏଫ୍‌ଓ ଅମ୍ଳାନ କୁମାର ନାୟକ ସୂଚନା ଦେଇଛନ୍ତି। ଦୁଇଟି ଦନ୍ତା, ୧୨ଟି ମାଈ ହତୀ ସହ ଯାଇଥିବା ଛୁଆହାତୀଟି ଗତକାଲି ସୁରଳ ନିକଟବର୍ତ୍ତ କଇଠା ଗ୍ରାମର ଚିଙ୍ଗୁଡ଼ି ଘେରିରେ ଫସି ଯାଇଥିଲା। ହାତୀପଲ ଘେରିରୁ ବାହାରି ଯାଇଥିବା ବେଳେ ଛୁଆହାତୀଟି ବାହାରି ପାରି ନଥିଲା। ମତ୍ସ୍ୟଜୀବୀ ଯୁବକମାନେ ତା’କୁ ଉଦ୍ଧାର କରିଥିଲେ। କିନ୍ତୁ ମଣିଷ ଛୁଆଁ ହୋଇଯିବାରୁ ହାତୀପଲଙ୍କ ପାଇଁ ସେ ଅଛୁଆଁ ପାଲଟି ଯାଇଥିଲା। ହାତୀପଲ ତା’କୁ ଦଳରେ ପୂରାଇ ନ ଥିଲେ। ଛୁଆହାତୀଟି ପାଖକୁ ଆସିଲେ ପଲରେ ଥିବା ଗୋଟିଏ ଦନ୍ତା ତା’କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେବା ସହ ଘଉଡ଼ାଉ ଦେଉଥିଲା। ରାତିରେ ହାତୀପଲ ଛୁଆହାତୀକୁ ଛାଡ଼ି ପଳାଇଲା ପରେ ବନବିଭାଗ କର୍ମଚାରୀ ତାକୁ ଟମଣା ସେକ୍ସନ କାର୍ଯ୍ୟାଳୟରେ ରଖିଥିଲେ। ଛୁଆହାତୀର ଡାହାଣ ପାର୍ଶ୍ୱ ଶରୀର ଓ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ଗତକାଲି କୁକୁଡ଼ାଖଣ୍ଡି ପ୍ରାଣୀ ଚିକିତ୍ସକ ଆସି ତାର ଦୁଇ ଥର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଛୁଆହାତୀର ବୟସ ୬ରୁ ୯ମାସ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ହାତୀକୁ ଲାକ୍ଟୋଜେନ୍‌ ଗୋଳାଇ ପିଇବାକୁ ଦିଆଯାଉଛି ଓ ପାଚିଲା କଦଳୀ ଖାଇବାକୁ ଦିଆଯାଉଛି। ୭ଜଣ କର୍ମଚାରୀ ଛୁଆହାତୀକୁ ପାଳି କରି ଜଗି ରହିଛନ୍ତି ଏବଂ ଯତ୍ନ ନେଉଛନ୍ତି। ଗତକାଲିଠାରୁ ଛୁଆହାତୀଟି ଫରେଷ୍ଟର୍‌ ସନ୍ତୋଷ ସାହୁଙ୍କ ସହ ଖୁବ୍‌ ଆତ୍ମୀୟତା ବଢ଼ାଇଛି। ଅନ୍ୟପକ୍ଷରେ ୧୪ ଟିକିଆ ହାତୀପଲ ଚିକିଟି ବ୍ଲକ ହିଞ୍ଜଳି ବିଟ୍‌ ଅର୍ନ୍ତଗତ ଭୁଷାପଦରଠାରେ ରହିଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

Share Now:

Kalinga News Beuro

Next Post

ରଣନୀତି ଜାରି କଲେ ସରକାର: ୨ରେ ଦେଶବ୍ୟାପୀ କୋଭିଡ୍‌ ଟିକାର ଡ୍ରାଏରନ୍‌

Fri Jan 1 , 2021
ଲୋକଙ୍କ ସହ ସଂପର୍କ ସ୍ଥାପନ ପାଇଁ ବ୍ୟାପକ ଯୋଜନା ନୂଆଦିଲ୍ଲୀ : ୪ ରାଜ୍ୟରେ କୋଭିଡ୍‌ ଟିକାର ଡ୍ରାଏରନ୍ କାର୍ଯ୍ୟକ୍ରମ ସଫଳତ‌ାର ସହ ସମ୍ପନ୍ନ ହେବାପରେ ଆଗାମୀ ଜାନୁଆରି ୨ ତାରିଖରେ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍‌ ଟିକାର ଡ୍ରାଏରନ୍‌ ହେବ। ସବୁ ରାଜ୍ୟ ରାଜଧାନୀର ୩ଟି ସ୍ବତନ୍ତ୍ର କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ହେବ। ମହାରାଷ୍ଟ୍ର ଏବଂ କେରଳ ପରି ରାଜ୍ୟଗୁଡ଼ିକରେ ରାଜଧାନୀ ସହ ଅନ୍ୟ […]
୨ରେ ଦେଶବ୍ୟାପୀ କୋଭିଡ୍‌ ଟିକାର ଡ୍ରାଏରନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial