ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ୬୪ନଂ ୱାର୍ଡସ୍ଥିତ ଯଦୁପୁର ଅଞ୍ଚଳରେ ଥିବ ଦରଘା ପୋଖରୀ ଧୀରେ ଧୀରେ ନର୍ଦ୍ଦମା ପୋଖରୀରେ ପରିଣତ ହେବାକୁ ବସିଲାଣି। ପୋଖରୀ ପାଖକୁ ଲାଗି ଯାଇଥିବା ଛୋଟ ଡ୍ରେନ୍ରେ ମାଟି ଭର୍ତ୍ତି ଓ ଡ୍ରେନ୍ର ଗତିପଥକୁ ବିଲ୍ଡର ଅବରୋଧ କରିଥିବାରୁ ଏହି ସମସ୍ୟା ଉପୁଜିଛି। ପ୍ରାୟ ଦୁଇ ହଜାରରୁ ଅଧିକ ଲୋକଙ୍କ ଜୀବନରେଖା ପାଲଟିଥିବା ଏହି ପୋଖରୀ କେବଳ ଦୂଷିତ ହୋଇନାହିଁ, ଏହା ସହିତ ପୋଖରୀର ଉନ୍ନତୀକରଣ ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କା ମଧ୍ୟ ବରବାଦ ହେବାକୁ ଯାଉଛି। ବଡ଼ କଥା ହେଉଛି ସ୍ଥାନୀୟ ୪୦ରୁ ୫୦ ପରିବାରର ଜୀବିକା ମଧ୍ୟ ବିପନ୍ନ ହୋଇଯାଇଛି। କାରଣ ଯଦୁପୁର ଗାଁ’ ଭିତର ଦେଇ ଯାଇଥିବା ଏହି ଡ୍ରେନ୍ଟି ଭୁବନେଶ୍ବରର ପ୍ରମୁଖ ନାଳ ସହ ସଂଯୁକ୍ତ ହୋଇ ନଥିବାରୁ ଡ୍ରେନ୍ର ସମସ୍ତ ଆବର୍ଜନା ଓ ପଚା ପାଣି ଲୋକଙ୍କ ଜମିରେ ପଶୁଛି। ଫଳରେ ଲୋକଙ୍କ ଫସଲ ନଷ୍ଟ ହେଉଛି। ସେହିଭଳି ଏହି ଛୋଟ ଡ୍ରେନ୍ରେ ଯଦୁପୁର ଗାଁ ସମେତ ବିଏମ୍ସିର ୬୪, ୬୫, ୬୬ ନମ୍ବର ୱାର୍ଡ ଓ ବେଗୁନିଆ ଅଞ୍ଚଳର ନର୍ଦ୍ଦମା ପାଣି ମଧ୍ୟ ଯାଉଛି। ବଢ଼ୁଥିବା ଜନସଂଖ୍ୟା ଓ ନୂତନ ଡ୍ରେନ୍ କନେକ୍ସନ ଦିଆଯାଉଥିବାରୁ ଏହି ଛୋଟ ଡ୍ରେନ୍ରେ ପାଣି ନିଷ୍କାସନ ପାଇଁ ପୁରୁଣା ଛୋଟ ଡ୍ରେନ୍ ସେତେମାତ୍ରାରେ ସକ୍ଷମ ହୋଇପାରୁନାହିଁ। ଫଳରେ ଡ୍ରେନରେ ପାଣି ଭଲରେ ନିଷ୍କାସନ ହୋଇପାରୁନାହିଁ। ତେଣୁ ନର୍ଦ୍ଦମା ପାଣି ପୋଖରୀକୁ ପଶୁଛି ବୋଲି ପୂର୍ବତନ ସ୍ଥାନୀୟ କର୍ପୋରେଟର ମୁଜାହିଦ୍ ହୁସେନ୍ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ସବ୍ଡ୍ରେନକୁ ଦୁଇ ଭାଗରେ ବିଭକ୍ତ କରାଯାଇ ପାଣି ନିଷ୍କାସିତ ପାଇଁ ପ୍ରଶସ୍ତ ବାଟ କରାଯାଇଥିଲା। ମାତ୍ର ପ୍ରାକୃତିକ ବାଟକୁ ବିଲଡର ବନ୍ଦ କରି ଦେଇଥିବାରୁ ପାଣି ଯାଇପାରୁନାହିଁ। ଫଳରେ ଲୋକଙ୍କ ଚାଷ ଜମିରେ ପାଣି ପଶୁଛି।

ଏନେଇ ବିଏମ୍ସିର ଡ୍ରେନେଜ୍ ଡିଭିଜନ୍ର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ଦାଶ କହିଛନ୍ତି, ପୋଖରୀରୁ ଦୂଷିତ ପାଣି ବାହାରିବା ପାଇଁ ଥିବା ବାଟରେ ନର୍ଦ୍ଦମା ପାଣି ପଶିବା ସମ୍ଭବ ନୁହେଁ। ଦରଘା ପୋଖରୀ ଦେଇ ଯାଇଥିବା ନାଳ ସହିତ କୌଣସି ନୂତନ କନେକ୍ସନ ଯୋଡ଼ା ଯାଇନାହିଁ। ସହରର ପ୍ରମୁଖ ନାଳ ନଂ ୯ ସହିତ ଡ୍ରେନ୍କୁ ଯୋଡ଼ିବାକୁ ହେଲେ କେତେକ ବେସରକାରୀ ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏହା ପାଇଁ ସମୟ ଲାଗିବ। ସେହିଭଳି ବିଲ୍ଡର୍ ପକ୍ଷରୁ କବ୍ଜା କରାଯାଇଥିବା ଡ୍ରେନ୍ ବିଷୟରେ କୌଣସି ଅଭିଯୋଗ ଆସିନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କର୍ପୋରେଟର କହିଛନ୍ତି ଯେ ୯ନମ୍ବର ଡ୍ରେନ୍ ସହିତ ଯଦୁପୁର ଡ୍ରେନ୍କୁ ଯୋଡ଼ିବା ଲାଗି କୌଣସି ଘରୋଇ ଜମି ଅଧିଗ୍ରହଣ କରିବାର ଆବଶ୍ୟକତା ନାହିଁ। କାରଣ ସରକାରୀ ନକ୍ସାରେ ଘରୋଇ ଜମି ନାହିଁ।
ପୋଖରୀ ବରବାଦ୍ ହେବାର ମୁଖ୍ୟ କାରଣ ହେଉଛି ଡ୍ରେନ୍। ବିଲଡର୍ ଡ୍ରେନ୍ର ବାଟ ବନ୍ଦ କରିଦେବାରୁ ପୋଖରୀ ପାଣି ନିଷ୍କାସନ ହେଉନି। ଏପରିକି ନର୍ଦ୍ଦମା ପାଣି ଆସି ପୋଖରୀରେ ମିଶୁଛି। ତେଣୁ ପ୍ରାୟ ବର୍ଷେ ହେଲା ସେଥିପାଇଁ ମୁଁ ପୋଖରୀକୁ ଗାଧେଇବାକୁ ଯାଉନାହିଁ। କାରଣ ଏହି ପାଣିରେ ବର୍ତ୍ତମାନ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ।
ସୟଦ୍ ଆବାଦ୍ ଅଲ୍ଲୀ, ସ୍ଥାନୀୟ ବାସିନ୍ଦା
ପ୍ରତିବର୍ଷ ମୁଁ ଧାନ ଚାଷ କରି ଏହି ଜମିରୁ ମୁଁ ପରିବାର ଚଳାଏ। ମାତ୍ର ପ୍ରାୟ ୪ ବର୍ଷ ହେବ ମୁଁ ଆଉ ଏଠାରେ ଧାନ ଚାଷ କରିପାରୁନାହିଁ। କାରଣ ଡ୍ରେନ୍ ପାଣି ଆସି ମୋ ଚାଷ ଜମିରେ ମାଡ଼ିଗଲା। ବହୁତ କ୍ଷତି ସହିଲି। ଥରେ ନୁହେଁ, ବାରମ୍ବାର ଏହିଭଳି କ୍ଷତି ସହିବା ପରେ ଆଉ ଚାଷ କରୁନାହିଁ। କାରଣ ଚାଷ କଲେ ଭଲ ଧାନ ହେଉନାହିଁ। ଯଦି କବ୍ଜା ହୋଇଥିବା ଡ୍ରେନ୍ର ରାସ୍ତା ମୁକ୍ତ ହୋଇଯାଆନ୍ତା ପୁଣିଥରେ ଜମିରେ ଚାଷ କରିପାରନ୍ତି।
ସେକ୍ ବାଲା, ଚାଷୀ