ଡ଼ିଏଭି ଛାତ୍ରୀ ମୃତ୍ୟୁ ମାମଲା: ରୁଜୁହେଲା ସଂଗୀନ ମାମଲା

ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ୟୁନିଟ୍‌-୮ ଡିଏଭି ବିଜିନେସ୍‌ ସ୍କୁଲ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ତାନିଆ ବାନାର୍ଜୀଙ୍କ ଆତ୍ମହତ୍ୟା ଘଟଣାକୁ କ୍ୟାପିଟାଲ ଥାନା ପୁଲିସ ଗୁରୁତ୍ୱର ସହ ନେଇଛି। ହଷ୍ଟେଲରେ ସହପାଠିନୀମାନଙ୍କ କସ୍‌ମେଟିକ୍ସ ଚୋରିକୁ ନେଇ ତାନିଆ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବା ବେଳେ ତାନିଆଙ୍କ ଆତ୍ମହତ୍ୟା ପାଇଁ ସ୍କୁଲ୍‌ କର୍ତୃପକ୍ଷ ଓ କେତେଜଣ ସହପାଠିନୀ ଦାୟୀ ବୋଲି ତାନିଆଙ୍କ ମା’ କେୟା ବାନାର୍ଜୀ ଅଭିଯୋଗ କରିବା ପରେ କ୍ୟାପିଟାଲ ଥାନା ପୁଲିସ ସଂଗିନ୍‌ ମାମଲା ରୁଜୁ କରିଛି। ସ୍କୁଲ କର୍ତୃପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରଥମେ କ୍ୟାପିଟାଲ୍‌ ଥାନାରେ କେସ୍‌ ନଂ- ୧୯୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ତାନିଆ ମା’ଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ କେସ୍‌ ନଂ-୫୨୮ରେ ଆଇପିସିର ଧାରା ୩୦୬(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଆଜି ପୁଲିସ ସିଆର୍‌ପିସିର ଧାରା ୧୬୧ରେ ସ୍କୁଲର ଅଧ୍ୟକ୍ଷ, ଓ୍ଵାଡେନ୍‌, ସୁପରିନ୍‌ଟେଣ୍ଡେଣ୍ଟ, ସିକ୍ୟୁରିଟି ଗାର୍ଡ ଏବଂ ୬ଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ତାନିଆଙ୍କ ମୃତ୍ୟୁ ନେଇ ପୁଲିସ ବିଭିନ୍ନ ଦିଗ ଉପରେ ପଚରାଉଚରା କରିବା ସହିତ ତାନିଆଙ୍କ କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି। ତାଙ୍କ ମୋବାଇଲ୍‌ରୁ ଯାଇଥିବା ବିଭିନ୍ନ କଲ୍‌ ଏବଂ ତାନିଆଙ୍କ ମୋବାଇଲ୍‌କୁ ଆସିଥିବା କଲ୍‌ଗୁଡ଼ିକର ରେକର୍ଡିଂକୁ ଯାଞ୍ଚ କରାଯାଉଛି ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସୋମବାର ରାତିରେ ହଷ୍ଟେଲ୍‌ରେ ତାନିଆଙ୍କ ୩/୪ଜଣ ସହପାଠିନୀଙ୍କ କିଛି କସ୍‌ମେଟିକ୍ସ ଚୋରି ହୋଇ ଯାଇଥିଲା। ଖୋଜାଖେଜି ପରେ ସହପାଠିନୀମାନେ କୁଆଡ଼େ ତାନିଆଙ୍କଠାରୁ ଏହି କସ୍‌ମେଟିକ୍ସ ପାଇଥିଲେ। ଯାହକୁ ନେଇ ତାନିଆ ଅପମାନିତ ଅନୁଭବ କରିଥିଲେ। ସେ ସେମିତି କିଛି କରି ନାହାନ୍ତି ବୋଲି କହିଲେ ବି ଅନ୍ୟମାନେ ମାନି ନ ଥିଲେ। ଯାହାକୁ ନେଇ ତାନିଆ ଓ ସହପାଠିନୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଭଳି ପାଟିତୁଣ୍ଡ ଯୋଗୁଁ ତାନିଆଙ୍କ ରୁମ୍‌ମେଟ୍‌ ମଧ୍ୟ ଅନ୍ୟ ଏକ ରୁମ୍‌କୁ ଯାଇ ସେଠାରେ ପଢ଼ାପଢ଼ି କରିବା ସହ ଶୋଇ ପଡ଼ିଥିଲେ। ଆଉ ରାତିରେ ରୁମ୍‌ରେ ଏକୁଟିଆ ଥିବା ତାନିଆ ନିଜ ଓଢ଼ଣିରେ ଫ୍ୟାନ୍‌ରେ ଫାଶୀ ଟାଙ୍ଗି ଆତ୍ମହତ୍ୟା କରିଥିଲେ। ମା’ କେୟାଙ୍କ କହିବା ଅନୁଯାୟୀ ରାତିରେ ତାନିଆଙ୍କ ପାଖରେ କେହି ନ ରହିବାରୁ ସେ ଆତ୍ମହତ୍ୟା କରିବା ପାଇଁ ସୁଯୋଗ ପାଇଲା। ତେଣୁ ଏଥିପାଇଁ ସ୍କୁଲ କର୍ତୃପକ୍ଷ ଓ ତାନିଆଙ୍କ ସହପାଠିନୀ ଦାୟୀ ବୋଲି ବୋଲି କେୟା କହିଛନ୍ତି ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

୫୯ ଖେଳାଳିଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

Thu Nov 30 , 2017
ଭୁବନେଶ୍ୱର: ବୁଧବାର ସଂଧ୍ୟାର ବିଶ୍ୱକପ୍‌ ଅବଗଣନା ତଥା ହକି ବିଶ୍ୱ ଲିଗର ଲୋଗୋ ଉନ୍ମୋଚନ ଉତ୍ସବ ଅବସରରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ରାଜ୍ୟକୁ ଗୌରବାନ୍ଵିତ କରିଥିବା ୫୯ ଜଣ କୃତି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୬ ଲକ୍ଷ ୭୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଯାହାର ସିଂହଭାଗ ହକି ଖେଳାଳିଙ୍କ ହାତକୁ ଯାଇଥିଲା। ଏସିଆ କପରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial