କଳାହାଣ୍ଡି: ୫ ମାସରେ ମଲେଣି ୯ ହାତୀ, ହାତ ବାନ୍ଧି ବସିଛି ବନବିଭାଗ

୫ ମାସରେ ମଲେଣି ୯ ହାତୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ପାଞ୍ଚମାସରେ ୯ଟି ହାତୀ ପ୍ରାଣ ହରାଇବା ପରେ ଜାତୀୟ ସ୍ତରରେ ବନ୍ୟପ୍ରାଣୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନବିଭାଗ ପକ୍ଷରୁ ଏନେଇ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ହାତୀ ମଡ଼କ ସମୟରେ ଟ୍ରାକିଂ କ୍ୟାମେରା କଢ଼ାଯିବା ଓ ସମ୍ପୃକ୍ତ ଅଧିକାରୀ ସେହି ସମୟରେ ହିଁ ଦାୟିତ୍ବ ନେବା ଘଟଣା ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି କରିଛି। କଳାହାଣ୍ଡି ଜିଲ୍ଲାରେ ହାତୀ କରିଡ଼ର ଅସୁରକ୍ଷିତ ଥିବା ବେଳେ ବନବିଭାଗର ଉଦାସୀନତା ତଦନ୍ତସାପେକ୍ଷ। ପ୍ରକାଶ ଯେ ଜିଲ୍ଲାରେ ଗତ ଫେବ୍ରୁଆରି ମାସରୁ ଏପର୍ଯ୍ୟନ୍ତ ୯ଟି ହାତୀ ପ୍ରାଣ ହରାଇଛନ୍ତି। ଏବେ ବଞ୍ଚିଥିବା ଅନ୍ୟ ହାତୀମାନେ କେତେ ସୁରକ୍ଷିତ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ନାଲାରେ ପାଣି ପିଇଥିବା ହାତୀମାନଙ୍କ ମୃତ୍ୟୁ ନେଇ କେନ୍ଦ୍ରୀୟ ଟିମ୍‌ ମଧ୍ୟ ତଦନ୍ତ କରିଥିଲା। ତଦନ୍ତ ରିପୋର୍ଟରେ ସେପ୍ଟିସେମିଆ ରୋଗରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ବନବିଭାଗ ଏହା ରୋଗଜନିତ ମୃତ୍ୟୁ ବୋଲି ଅତି ହାଲୁକା ଭାବରେ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। କର୍ଲାପାଟ ଅଭୟାରଣ୍ୟରେ ୨୦୦୬-୦୭ ମସିହାରେ ହାତୀ ମଡ଼କରେ ପ୍ରାୟ ୧୨ଟି ହାତୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ୨୧ ଜଣଙ୍କୁ ଗିରଫ କରି ବନବିଭାଗ କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନର ରେଞ୍ଜର ସେତେବେଳେ ଏଠାରେ ଫରେଷ୍ଟର ଭାବରେ ଅବସ୍ଥାପିତ ହୋଇଥିଲେ। ସେତେବେଳେ ହାତୀ ଶିକାରୀଙ୍କ ପର୍ଦ୍ଦାଫାସ ହୋଇଥିଲା। ବର୍ତ୍ତମାନ ସେହି ଫରେଷ୍ଟର ଏବେ ରେଞ୍ଜର ଥିବା ବେଳେ ପୁଣି ସେହି ଅଞ୍ଚଳରେ ୯ଟି ହାତୀ ମୃତ୍ୟୁବରଣ କରିଥିବା ଘଟଣା ସଂଯୋଗ ନା ଷଡ଼୍‌ଯନ୍ତ୍ର ବୋଲି ସାଧାରଣରେ ଭୃକୁଞ୍ଚନ ଦେଖାଦେଇଛି। ସମ୍ପୃକ୍ତ କର୍ମଚାରୀଙ୍କ ସମୟରେ ହିଁ ଏହି ଅଞ୍ଚଳରେ ହାତୀମଡ଼କ ହେଉଥିବା ଘଟଣା ବନ୍ୟପ୍ରାଣୀ‌ପ୍ରେମୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ବନବିଭାଗ ପକ୍ଷରୁ ବହୁ ବିଳମ୍ବରେ ହାତୀର ମୃତଦେହ ଠାବ ହେଉଥିବା ଯୋଗୁଁ ଶବ ବ୍ୟବଚ୍ଛେଦ ବେଳେ ପ୍ରାଣୀ ସମ୍ପଦ ବିଭାଗ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଛି। ବିଟ୍‌ଗୁଡ଼ିକରେ ବନବିଭାଗ କର୍ମଚାରୀମାନେ ରହୁ ନଥିବା ଯୋଗୁଁ ହାତୀମଡ଼କ ଯୋଗୁଁ ତୁରନ୍ତ ଖବର ପାଇ ପାରୁ ନଥିବା ଅଭିଯୋଗ ହେଉଛି। ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ତିନିଜଣ କର୍ମଚାରୀଙ୍କୁ କେବଳ କାରଣଦର୍ଶାଅ ନୋଟିସ ଦେଇ ହାତବାନ୍ଧି ବସିଛି। ଅନ୍ୟପକ୍ଷରେ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ଘଟଣାରେ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କୁ ନିଲମ୍ବନ କରାଯାଇଛି। ବନବିଭାଗର ଘଣ୍ଟଘୋଡ଼ା ନୀତି ଯୋଗୁଁ ହାତୀମଡ଼କ ବୃଦ୍ଧି ପାଇବାରେ ଲାଗିଛି। କର୍ଲାପାଟ ଅଭୟାରଣ୍ୟରେ ପ୍ରାୟ ୧୨ଟି ହାତୀ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ମାତ୍ର ୯ଟି ହାତୀର ମୃତଦେହ ଠାବ ହୋଇଛି। ଅନ୍ୟ ହାତୀମାନଙ୍କ ଗତିବିଧି ଓ ସ୍ଥିତି ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ସାଧାରଣରେ ଜୋର୍‌ ଧରିଛି। ହାତୀ ମୃତ୍ୟୁ ନେଇ ତଦନ୍ତ କଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ହାତୀ କରିଡ଼ରରେ ହାତୀମାନେ ସୁରକ୍ଷିତ ଥିବା ବେଳେ ବନବିଭାଗ ହାତବାନ୍ଧି ବସିବା ଘଟଣା ଅଞ୍ଚଳବାସୀ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ହାତୀମଡ଼କ ଘଟଣାରେ ବନବିଭାଗ ମୁହଁ ଖୋଲୁ ନଥିବା ଯୋଗୁଁ ବିଭାଗର ବିଶ୍ବସନୀୟତା ପଦାରେ ପଡ଼ିଛି। ହାତୀ ମୃତ୍ୟୁ ସମୟରେ ଟ୍ରାକିଂ କ୍ୟାମେରା କଢ଼ାଯିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ରାଜ୍ୟ ସରକାର ତୁରନ୍ତ ହାତୀମଡ଼କ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଇଲେ ଅସଲ କଥା ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Share Now:

Kalinga News Beuro

Next Post

ସାବରମତୀରୁ ମିଳିଲା କରୋନା ଭୂତାଣୁ

Sat Jun 19 , 2021
ଅହମଦାବାଦ : ଦେଶରେ କରୋନାର ଦ୍ବିତୀୟ ଲହର କମିବାରେ ଲାଗିଛି। କିନ୍ତୁ କରୋନାକୁ ନେଇ ନୂଆ ନୂଆ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ଗୁଜରାଟର ସାବରମତୀ ନଦୀରେ କରୋନା ଭୂତାଣୁ ମିଳିବା ଅନେକଙ୍କ ଚିନ୍ତା ବଢ଼ାଇ ଦେଇଛି। ନଦୀର ବିଭିନ୍ନ ସ୍ଥାନରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ‌ଏଥିରେ ୨୫ ପ୍ରତିଶତ ପାଣିରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। କେବଳ ସାବରମତୀ ନଦୀ ନୁହେଁ, ଅହମଦାବାଦର ଦୁଇଟି […]
ସାବରମତୀରୁ ମିଳିଲା କରୋନା ଭୂତାଣୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial