୨ ବର୍ଷ ପରେ ଧରାପଡ଼ିଲା କୁଖ୍ୟାତ ହତ୍ୟାକାରୀ ପପୁ ଚେମି

୨ ବର୍ଷ ତଳର ନଣ୍ଡା ହତ୍ୟା ମାମଲା

ଭୁବନେଶ୍ବର : ୨ ବର୍ଷ ତଳେ ମଞ୍ଚେଶ୍ବର ଥାନା ରଙ୍ଗମାଟିଆରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗତକାଲି ରାତିରେ ପୁଲିସ ଗିରଫ କରିଛି। ଦୀପକ ବେହେରା ଓରଫ୍ ନଣ୍ଡା ହତ୍ୟାକାଣ୍ଡର ଏହି ମୁଖ୍ୟ ଅଭିଯୁକ୍ତ ହେଲା ଅଭିଜିତ୍‌ ଚେମି ଓରଫ୍ ପପୁ(୨୫)। ୨ ବର୍ଷ କାଳ ଲୁଚକାଳି ଖେଳିବା ପରେ ଗତକାଲି ପୁଲିସ ତାକୁ ଗିରଫ କରିବାରେ ସଫଳ ‌ହୋଇଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ ଜଣ ଗିରଫ ହୋଇସାରିଥିବା ବେଳେ ପପୁ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇରହିଥିଲା। ଜମି କିଣାବିକା ଦଲାଲ କମିସନକୁ ନେଇ ଏହି ବିବାଦ ଘଟିଥିଲା ଓ ନଣ୍ଡାର ମୁଣ୍ଡ ଗଡ଼ିଥିଲା। ସେଦିନ ଥିଲା ୨୦୧୯ ସେପ୍ଟେମ୍ବର ୧୧। ରାତି ପାଖାପାଖି ସାଢ଼େ ୮ଟା ବେଳେ ନଣ୍ଡା ରଙ୍ଗମାଟିଆ ତଳସାହି ଶିବମନ୍ଦିର ଛକରେ ଥିବା ନିଜ ଜଳଖିଆ ଦୋକାନରେ ବସିଥିଲେ। ଏହି ସମୟରେ ପପୁ ନେତୃତ୍ବରେ ୪ଟି ବାଇକ୍‌ରେ ୮ରୁ୧୦ ଯୁବକ ସେଠାରେ ପହଞ୍ଚି ନଣ୍ଡାକୁ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କୁ ଦେଖି ନଣ୍ଡା ଦୋକାନରୁ ଡେଇଁ ଖସିଯିବାକୁ ବସିଥିବା ବେଳେ ପପୁ ଗ୍ୟାଙ୍ଗ୍‌ ତାକୁ ଘେରି ଯାଇଥିଲେ। ଖଣ୍ଡା, ଚାପଡ଼, ଭୁଜାଲି ଭଳି ମାରଣାସ୍ତ୍ରରେ ନଣ୍ଡାକୁ ହାଣି ପକାଇଥିଲେ। ସେତେବେଳେ ସେଠାରେ ଗାଁର କିଛି ଲୋକ ଥିଲେ ବି ରକ୍ତମୁଖା ପପୁ ଗ୍ୟାଙ୍ଗ୍‌ ସମୁଖକୁ ଯାଇ ପ୍ରତିରୋଧ କରିବାକୁ କାହାର ଜୁ’ ପାଇଲା ନାହିଁ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନଣ୍ଡା ତଳେ ଛଟପଟ ହେଉଥିବା ବେଳେ ପପୁ ଖଣ୍ଡାରେ ତା’ପେଟକୁ ଭୁସି ଦେଇଥିଲା। ଏହା ପରେ ସେମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ପପୁ ଗ୍ୟାଙ୍ଗ୍‌ ଚାଲିଯିବା ପରେ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ନଣ୍ଡାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିଛି ସମୟ ଚିକିତ୍ସିତ ହେବା ପରେ ନଣ୍ଡା ଆଖି ବୁଜିଦେଇଥିଲା। ଏନେଇ ନଣ୍ଡାର ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁହାଯାଉଛି ପୂର୍ବରୁ ଜମି କିଣାବିକା ଦଲାଲ କମିସନକୁ ନେଇ ନଣ୍ଡା ସହ ପପୁ ଗ୍ୟାଙ୍ଗ୍‌ର ଶତ୍ରୁତା ଥିଲା। କମିସନ ନପାଇ ନଣ୍ଡା ପ୍ରଥମେ ପପୁ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ତେଣୁ ନଣ୍ଡାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପପୁ ଗ୍ୟାଙ୍ଗ୍‌ ଶପଥ ନେଇଥିଲେ।
କେଉଁଠି ଛପିଥିଲା ପପୁ
ହତ୍ୟାକାଣ୍ଡ ଘଟାଇବା ପରେ ପୁଲିସ ଗ୍ୟାଙ୍ଗ୍‌ର ୭ ଜଣଙ୍କୁ ଗିରଫ କରିଥିଲେ ବି ମୁଖିଆ ପପୁର ପତ୍ତା ପାଇନଥିଲା। କୁହାଯାଉଛି ଘଟଣା ପରେ ପପୁ ରାଜ୍ୟ ବାହାରକୁ ଚାଲିଯାଇଥିଲା। କିଛି ଦିନ ପରେ ଓଡ଼ିଶା ଫେରି ଆସି କଟକ ଅଞ୍ଚଳରେ ତା’ ଭଉଣୀ ଘରେ ଆଶ୍ରୟ ନେଇଥିଲା। ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁନଥିବାରୁ ତାକୁ ଟ୍ରାକ୍‌ କରିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ସୁରାକ୍ ପାଇ ପୁଲିସ ସତର୍କତାର ସହ ଅନେକ ଥର କଟକରେ ଚଢ଼ଉ କରିଥିଲେ ବି ପପୁକୁ ଧରିବା ସମ୍ଭବ ହୋଇନଥିଲା। ତେଣୁ ପପୁର ପରିବାର ଲୋକେ ବ୍ୟବହାର କରୁଥିବା ମୋବାଇଲ୍‌ ଫୋନ୍‌କୁ ପୁଲିସ ଟ୍ରାକ୍‌ କରିବା ଆରମ୍ଭ କରିଥିଲେ। ଏଥିରୁ ପପୁ ଗିରଫ ହେବାର ରାସ୍ତା ମିଳିଯାଇଥିଲା। ଗତକାଲି ପପୁ ଗାଁକୁ ଆସିବ ବୋଲି ପୁଲିସକୁ ସୂଚନା ମିଳିସାରିଥିଲା। ତେଣୁ ପୁଲିସ ଟିମ୍‌ ସାଦା ପୋଷାକରେ ଛକି ରହିଥିଲେ। ବିଳମ୍ବିତ ରାତିରେ ତାକୁ ଗାଁରୁ ଗିରଫ କରାଯାଇଥିଲା।

Share Now:

Kalinga News Beuro

Next Post

କୁହୁଡ଼ି ପାଇଁ ତିନିଦିନ ୟେଲୋ ୱାର୍ଣ୍ଣିଂ ଜାରି

Mon Jan 24 , 2022
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଢ଼େଙ୍କାନାଳ ଓ କେନ୍ଦୁଝର ରହିଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏତଦ ବ୍ୟତୀତ ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, […]
କୁହୁଡ଼ି ପାଇଁ ତିନିଦିନ ୟେଲୋ ୱାର୍ଣ୍ଣିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial