ଜଳୁଛି ଭୁଆସୁଣୀ ଡମ୍ପିଂୟାର୍ଡ : ଧୂଆଁରେ ଆଉଟୁପାଉଟୁ ହେଉଛନ୍ତି ଲୋକେ

ଜଳୁଛି ଭୁଆସୁଣୀ ଡମ୍ପିଂୟାର୍ଡ

ଭୁବନେଶ୍ୱର : ଚେତିଲାନି ପ୍ରଶାସନ। ବାରମ୍ବାର ସତର୍କ ସତ୍ତ୍ବେ ରାଜଧାନୀ ଉପକଣ୍ଠ ଭୁଆସୁଣୀ ଡମ୍ପିଂୟାର୍ଡରେ ପଡ଼ୁଛି ରାଜଧାନୀର ଅଳିଆ। ପାଖାପାଖି ୧୨ ବର୍ଷ ଧରି ଏହି ଡମ୍ପିଂୟାର୍ଡ ସମସ୍ୟା ରହିଥିଲେ ହେଁ ପ୍ରଶାସନିକ ଉଦାସୀନତା କାରଣରୁ ସମାଧାନ କରାଯାଉ ନାହିଁ। ଯେଉଁଥିପାଇଁ ଡମ୍ପିଂୟାର୍ଡରେ ବାରମ୍ବାର ନିଆଁ ଲାଗି ‌ରାଜଧାନୀ ପ୍ରତି ବିପଦ ସୃଷ୍ଟି କରୁଛି। ହଜାର ହଜାର ଲୋକେ ପ୍ରଭାବିତ ହେଉଛନ୍ତି। ବିଶେଷକରି ଖରା ଦିନେ ଏଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଡମ୍ପିଂୟାର୍ଡ ନିଆଁ ଦାରୁଠେଙ୍ଗ ସମେତ ନିକଟବର୍ତୀ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇଲାଣି। ଗତ ସପ୍ତାହରେ ନିଆଁ ଲାଗିଥିବା ବେଳେ ଆଜି ପୁଣି ଭୟଙ୍କର ଭାବେ ଏହା ହୁତ୍‌ହୁତ୍‌ ହୋଇ ଜଳୁଛି। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି। ମାତ୍ର ନିଆଁର ପ୍ରକୋପ ଅଣାୟତ୍ତ ହେବାରେ ଲାଗିଛି। ରାତି ସୁଦ୍ଧା ନିଆଁ ଲିଭିନଥିବାବେଳେ ରାତି ଯେତେ ବଢ଼ୁଛି ନିଆଁ ସେତେ ମାଡ଼ିମାଡ଼ି ଯାଉଛି। ଭୁଆସୁଣୀରେ ନିୟମିତ ଅଳିଆ ପକାଇବା ବନ୍ଦ ହେବା ପରେ ହିଁ ବାୟୋମାଇନିଂ ପ୍ରକଳ୍ପ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ବିଏମ୍‌ସି ଅଳିଆ ପକାଇବା ବନ୍ଦ କରୁନି। ଫଳରେ ପ୍ରତିଦିନ ଟନ୍ ଟନ୍ ଅବାର୍ଜନା ଏଠାରେ ପଡ଼ୁଛି। ବହୁ ଦହନଶୀଳ ଓ ବିଷାକ୍ତ ଆବାର୍ଜନା ପଡ଼ୁଥିବାବେଳେ ଏଠାକୁ ଜରି ଗୋଟାଳିମାନେ ଅବାଧ ପ୍ରବେଶ କରୁଛନ୍ତି। ଯେଉଁଥିପାଇଁ ଏଠାରେ ବାରମ୍ବାର ନିଆଁ ଲାଗୁଛି। ବିଏମ୍‌ସି କର୍ତ୍ତୃପକ୍ଷ ଏହା ଜାଣିକି ବି ପଦକ୍ଷେପ ନେଉନଥିବାରୁ ଦାରୁଠେଙ୍ଗ ଏବଂ ନିକଟବର୍ତ୍ତୀ ଗାଁର ଲୋକଙ୍କ ଜୀବନ ଦୁର୍ବିସହ ହୋଇଗଲାଣି। ଭୁଆସୁଣୀ ଡମ୍ପିଂୟାର୍ଡକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରୁଥିବାବେଳେ ବିଏମ୍‌ସି କେବଳ ମିଛ ପ୍ରତିଶ୍ରୁତି ଦେଇ ଆସୁଛି। ରାଜଧାନୀରେ ୪୩ଟି ଏମ୍‌ସିସି ନିର୍ମାଣ କରି ସମସ୍ତ ଆବର୍ଜନା ପକାଇବାକୁ ୪ବର୍ଷ ତଳେ ଯୋଜନା ହୋଇଥିଲେ ବି ଏପର୍ଯ୍ୟନ୍ତ ପ୍ରାୟ ୨୫ଟି ଏମ୍‌ସିସି କାର୍ଯ୍ୟକ୍ଷମ ହୋଇପାରିଛି। ଅଧାରୁ ଅଧିକ ଏମ୍‌ସିସିରେ ଧାର୍ଯ୍ୟ କ୍ଷମତା ଅନୁଯାୟୀ ଆବର୍ଜନା ପ୍ରକ୍ରିୟାକରଣ ହେଉନଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ ଆବର୍ଜନା ଗଦା କରୁଛନ୍ତି। ଯାହାକୁ ପୁଣି ଭୁଆସୁଣୀରେ ପକାଯାଉଛି। ବିନା ପୃଥକୀକରଣରେ ଟନ୍‌ ଟନ୍ ଆବର୍ଜନା ଭୁଆସୁଣୀରେ ପଡ଼ୁଛି। ଆଉ ଯେଉଁ ଉଦ୍ଦେଶ୍ୟ ନେଇ ବାୟୋମାଇନିଂ ପ୍ରକଳ୍ପ ହେଉଛି ତାହା କେବେ ସାଧିତ ହେବ ସେନେଇ ବିଏମ୍‌ସି ପାଖରେ ଉତ୍ତର ନାହିଁ। ଭୁଆସୁଣୀ ଡମ୍ପିଂୟାର୍ଡରେ ଏବେ ପ୍ରାୟ ୧୬ଲକ୍ଷ ମେଟ୍ରିକ୍‌ ଟନ୍ ଆବର୍ଜନା ଗଦା ହୋଇଥିବାବେଳେ ଏହାର ପ୍ରକ୍ରିୟାକରଣ ପାଇଁ ପ୍ରାୟ ୪ବର୍ଷ ଲାଗିବ ବୋଲି ଦୁଇ ବର୍ଷ ତଳେ ଆକଳନ ହୋଇଥିଲା। କିନ୍ତୁ ବିଏମ୍‌ସି ଏବେ ଦୈନିକ ଶହ ଶହ ଟନ୍ ଆବର୍ଜନା ଗଦାଇ ଚାଲିଥିବାରୁ ଏହି ପ୍ରକଳ୍ପ ଆରମ୍ଭ ହେଲେ କେବେ ସରିବ ସେନେଇ ପ୍ରଶ୍ନ ଉଠିଲାଣି। ଏପରିକି ନିକଟରେ ଦାରୁଠେଙ୍ଗ ଗ୍ରାମବାସୀ ବିଏମ୍‌ସି କମିସନରଙ୍କୁ ଭେଟି ଭୁଆସୁଣୀରେ ଅଳିଆ ନପକାଇବାକୁ ଅନୁରୋଧ କରିଥିଲେ। କମିସନର କିନ୍ତୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଫେରାଇ ଦେଲେ। ଯାହାର ଦଶା ଏବେ ଗ୍ରାମବାସୀ ଭୋଗୁଛନ୍ତି। ଏପରିକି ଭୁଆସୁଣୀରେ ଅଳିଆ ପଡ଼ିବା ବନ୍ଦ ନହେଲେ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ କରାଇଦେବେନି ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଖାତିର ନକରି ଅଳିଆ ପକାଉଛନ୍ତି। ଯାହା ଏବେ ସଂଘାତିକ ରୂପ ନେଉଛି। ଦୀର୍ଘ ବର୍ଷ ହେଲା ବିଏମ୍‌ସିର ଅଧିକାରୀମାନେ ମନମାନି ଚଳାଇଥିବାବେଳେ ବିଏମ୍‌ସିର ନବନିର୍ବାଚିତ ପ୍ରତିନିଧି ଏହାର ସମାଧାନର ବାଟ ବାହାର କରିବେ ବୋଲି ଦାରୁଠେଙ୍ଗ ଗ୍ରାମବାସୀ ଆଶା ରଖିଛନ୍ତି। ବିଏମ୍‌ସିର ନୂଆ ମେୟର ଏବଂ ନୂଆ ପରିଷଦ ଭୁଆସୁଣୀ ସମସ୍ୟାର ସମାଧାନ ପାଇଁ କେବେ କ’ଣ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କଲା ଓସିପିଏଲ୍

Thu Mar 31 , 2022
ଭୁବନେଶ୍ୱର: ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି। ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ୍‌ ମୁଖ୍ୟ ଶାସନ […]
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କଲା ଓସିପିଏଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial