ପ୍ରଥମ ଥର ସଚିବାଳୟ ବାହାରେ କ୍ୟାବିନେଟ୍‌

ଭୁବନେଶ୍ୱର: ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ସଚିବାଳୟ କ୍ୟାବିନେଟ୍‌ ପ୍ରକୋଷ୍ଠ ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ପୁରୀ ସର୍କିଟ ହାଉସରେ ପୂର୍ବାହ୍ନ ୧୧ଟାରେ ଏହି ବୈଠକରେ ଯୋଗଦେବେ। ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ବୈଠକ ଡକାଯାଉଥିବାରୁ ସ୍ୱାଭାବିକ ଭାବେ ଏହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ଆଗୁଆ ନିର୍ବାଚନକୁ ଲକ୍ଷ୍ୟ ରଖି ନବୀନ ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ଅଥବା ଲୋକପ୍ରିୟ ନିଷ୍ପତ୍ତି ଘୋଷଣା କରିପାରନ୍ତି। ଉଲ୍ଲେଖଯୋଗ୍ୟ, ଏକଦା ପୁରୀ ସ୍ୱର୍ଗଦ୍ୱାରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଚିତାଭସ୍ମ ଭିତରୁ ହିଁ ବିଜେଡିର ଜନ୍ମ ଜାତକ ଲେଖା ଆରମ୍ଭ ହୋଇଥିଲା। ଏହା ଏତେ ଶୁଭ ସାବ୍ୟସ୍ତ ହୋଇଛି ଯେ ଜନ୍ମ ହେବା ପରଠାରୁ ଦଳ କ୍ଷମତା ଭିତରେ ରହିଛି ଓ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ। ଦୀର୍ଘ ୨୦ ବର୍ଷ ପରେ ସବୁଠାରୁ କଠିନ ପରୀକ୍ଷାର ପ୍ରସ୍ତୁତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀକୁ ବାଛିଛନ୍ତି। ଯେଉଁଠି ସେ ବିଜେଡି ଜନ୍ମଦିନ ପାଳନ କରିବା ଛଳରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ଲାଗି ଶଙ୍ଖ ଫୁଙ୍କିବେ। ଏଥିପାଇଁ ଆସନ୍ତାକାଲି ପୁରୀରେ ଦଳ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପାଖାପାଖି ୩୦ ହଜାର କର୍ମୀ ଏହି ସମାବେଶରେ ଯୋଗଦେବେ। କାର୍ଯ୍ୟସୂଚୀ ଅନୁସାରେ, ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିବେ ଓ ପରେ ସ୍ୱର୍ଗଦ୍ୱାରସ୍ଥିତ ବିଜୁ ବାବୁଙ୍କ ସମାଧି ସ୍ଥଳକୁ ଯାଇ ଆଶୀର୍ବାଦ ନେବେ। ସେଠାରୁ ସର୍କିଟ୍‌ ହାଉସ ଯାଇ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଯୋଗଦେଇ ପାରନ୍ତି। ଏହା ପରେ ସେ ତାଳବଣିଆସ୍ଥିତ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ସାଢେ ୧୨ଟାରୁ ୧ଟା ମଧ୍ୟରେ ନବୀନ ଜନ୍ମଦିବସର ଚିନ୍ତନ ରଖିବେ ଓ ଆସନ୍ତା ନିର୍ବାଚନ ପାଇଁ ଶଙ୍ଖକ୍ଷେତ୍ରରୁ ଶଙ୍ଖ ଫୁଙ୍କିବେ। ଦଳର ତୁଙ୍ଗ ନେତାଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତି ଓ ବିକାଶ ଏଜେଣ୍ଡାକୁ ଆଶ୍ରା କରି ବିଜେଡି ଯାତ୍ରା ଆରମ୍ଭ କରିବ। ପୂର୍ବରୁ ବିଜେପି ଶ୍ରୀକ୍ଷେତ୍ରରୁ ହିଁ ଓଡ଼ିଶା ରାଜନୀତିର ନବକଳେବର ହେବ ବୋଲି ଆହ୍ଵାନ ଦେଇଥିଲା।

Share Now:

Kalinga News Beuro

Leave a Reply

Next Post

ପୁଣି ଲଘୁଚାପ, ୩୦ରୁ ବର୍ଷା!

Tue Dec 26 , 2017
ଭୁବନେଶ୍ୱର: ଉପକୂଳବର୍ତୀ ଚାଷୀଙ୍କ ପାଇଁ ଆଉ ଗୋଟିଏ ବିପର୍ଯ୍ୟୟ ଘନେଇ ଆସୁଛି। ଯଦି ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସତ ହୁଏ, ତେବେ ଆସନ୍ତା ୩୦ ତାରିଖରୁ ତିନିଦିନ ଧରି ହେବାକୁ ଥିବା ଲଘୁଚାପ ବର୍ଷା ଉପକୂଳ ଚାଷୀଙ୍କ ବିଲରେ ଅମଳ ଅପେକ୍ଷାରେ ଥିବା ଧାନ ଫସଲକୁ ଉଜାଡ଼ି ଦେବା ନିଶ୍ଚିତ। ନୂଆବର୍ଷ ୨୦୧୮ର ରଙ୍ଗ ବି ଫିକା ପଡ଼ିବ। ପହିଲି ଦିନରୁ ଉପକୂଳବାସୀ ବର୍ଷାରେ ଜଡ଼ସଡ଼ ହେବାର ଡର ରହିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial