କେବେ ସରିବ ଡୁମୁଡ଼ୁମା ସମ୍ମୁଖ ଏନ୍‌ଏଚ୍ କାମ-ଲୋକ ଆଉ କେତେ ସହିବେ?

ଖଣ୍ଡଗିରି: କସ୍‌ମୋପଲିସ୍ ଛକଠାରୁ ହୋଟେଲ ୱେଲ୍‌କମ୍‌ ପର୍ଯ୍ୟନ୍ତ ଅଣ୍ଡର ପାସ୍‌ ଓ ୟାମାହା ସୋ’ରୁମ୍‌ ଠାରୁ କସ୍‌ମୋପଲିସ୍ ଛକ ପର୍ଯ୍ୟନ୍ତ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ୨ବର୍ଷରୁ ଅଧିକ ଦିନ ହେଲା କାର୍ଯ୍ୟ ଚାଲିଥିବାରୁ ଲୋକଙ୍କୁ ନାକେଦମ ହେବାକୁ ପଡ଼ୁଛି। ସକାଳୁ ରାତିଅଧ ଯାଏ ଗାଡ଼ି ଚାଳକମାନେ ଘଣ୍ଟା ଘଣ୍ଟା ଧରି ଜାମ୍‌ରେ ନାକେଦମ୍ ହେଉଛନ୍ତି। କାମ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇ ପଡ଼ିଥିବାରୁ ସନ୍ଧ୍ୟା ସମୟରେ ଭିଡ଼ ନିୟନ୍ତ୍ରଣର ବାହାରକୁ ଚାଲିଯାଉଛି। କସ୍‌ମୋପଲିସ୍ ଓ ଡୁମୁଡୁମା‌ ପଟରୁ ବାହାରୁଥିବା ଯାନଗୁଡ଼ିକ ଭୁବନେଶ୍ୱର ଭିତରକୁ ଆସିବା ପାଇଁ ୩ କିଲୋମିଟର ବୁଲି ଶନିମନ୍ଦିର ଅଣ୍ଡରପାସ୍‌ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି। ତେଣୁ ‌ଚାଳକମାନେ ରଙ୍ଗ୍‌ରୁଟରେ ଗାଡ଼ି ନେଇ ଖଣ୍ଡଗିରି ପର୍ଯ୍ୟନ୍ତ ଯାଉଥିବାରୁ ଟ୍ରାଫିକ୍‌ ସମସ୍ୟା‌ ଉତ୍କଟ ‌ହେଉଛି। ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ସମସ୍ତ ଗାଡ଼ି ଖଣ୍ଡଗିରି ଫ୍ଲାଏ ଓଭର ରାସ୍ତା‌ ସଂକୀର୍ଣ୍ଣ ହୋଇଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଉଭୟ ପାଖରେ ବଡ଼ ବଡ଼ ଆପାର୍ଟମେଣ୍ଟ, କଲୋନି ସହିତ ଏମ୍‌ସ ଓ ଘରୋଇ ମେଡିକାଲ ଥିବାରୁ ଜାମ୍‌ ସମସ୍ୟା ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି। ଜାମ୍‌ରେ ଏହି ଅଞ୍ଚଳରେ ଜାମ୍‌ରେ ଆମ୍ବୁଲାନ୍ସ ଫସି ରହିବା ଏକ ସାଧାରଣ ଦୃଶ୍ୟ ହୋଇ ଗଲାଣି। ଏହା ଉପରକୁ ବେଳେବେଳେ ଶନି ମନ୍ଦିର ନିକଟ ଅଣ୍ଡରପାସ୍‌ ବନ୍ଦ କରା ଯାଉଛି। ଫଳରେ ହସ୍ପିଟାଲ ବୁହା ହେଉଥିବା ରୋଗୀଙ୍କ ଜୀବନ ବାଜିରେ ଲାଗୁଛି।
କାମ ପାଇଁ ଏହି ଅଞ୍ଚଳରେ କମିସନରେଟ୍‌ ପୁଲିସ ପକ୍ଷରୁ କଟକଣା ଏବେ ମଧ୍ୟ ଜାରି ରହିଛି। ଓଡ଼ିଶା ଅର୍ବାନ୍‌ ପୁଲିସ୍‌ ଆକ୍ଟ-୨୦୦୩ର ଧାରା-୨୮ ଏବଂ ପୁଲିସ କମିସନରେଟ୍‌ ଭୁବନେଶ୍ୱର-କଟକ ଟ୍ରା‌ଫିକ୍‌ ଓ ପବ୍ଲିକ୍‌ ଅର୍ଡର-୨୦୦୮ ଧାରା-୩୬ ଅନୁସାରେ ଏହି କଟକଣା ଲାଗିଛି। ବାରମ୍ବାର କଟକଣାର ଅବଧି ବୃଦ୍ଧି କରାଯାଉଥିରୁ ସାଧାରଣ ଲୋକଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି। ଦଶହରା ପର୍ଯ୍ୟନ୍ତ ଗୋଟିଏ ଅବଧି ଧାର୍ଯ୍ୟ ହୋଇଥିଲା। ସେହି ସମୟ ସୁଦ୍ଧା କାମ ନ ସରିବାରୁ ଆଉ ୩ ମାସ ଅବଧି ବଢ଼ାଯାଇଛି। ଅକ୍ଟୋବର ୩୦ରୁ ଜାନୁଆରି ୩୧ ପର୍ଯ୍ୟନ୍ତ ଏହି ରାସ୍ତାରେ କଟକଣା ଲାଗିଛି। ଭୁବନେଶ୍ୱରରୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ସମସ୍ତ ଯାନ କସ୍‌ମୋପଲିସ୍ ଛକଠାରୁ ବାମ ମୋଡ଼ ନେଇ ସର୍ଭିସ୍ ରୋଡ୍ ଦେଇ ପାତ୍ରପଡ଼ା ଭି୨ ପର୍ଯ୍ୟନ୍ତ ଯାଇ ଡାହାଣ ମୋଡ଼ ନେଇ ଜାତୀୟ ରାଜପଥ ନମ୍ବର-୧୬ରେ ଯାଉଛନ୍ତି। ସେହିପରି ଖୋର୍ଦ୍ଧାରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଜେକେ ଟାୟାର ଦୋକାନରୁ ବାମ ମୋଡ଼ ନେଇ ସର୍ଭିସ୍ ରୋଡ୍ ଦେଇ କସ୍‌ମୋପଲିସ୍ ଛକ ପର୍ଯ୍ୟନ୍ତ ଯାଇ ଡାହାଣ ମୋଡ଼ ନେଇ ଜାତୀୟ ରାଜପଥ ନମ୍ବର ୧୬କୁ ବାହାରୁଛନ୍ତି। ୯୩ ଦିନ ପାଇଁ କଟକଣା ଲାଗୁ କରାଯାଇଥିଲା। ସେଥିମଧ୍ୟରୁ ୬୦ ଦିନ ପୂରିବାକୁ ବସିଥିଲେ ମଧ୍ୟ କାମ ମନ୍ଥର ଗତିରେ ଚାଲିଥିବାରୁ କଟକଣା ବଢ଼ାଇବାକୁ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରାସ୍ତା କାମ କେବେ ସରିବ ସେନେଇ ଏନ୍ଏଚ୍ଏଆଇ ପାଖରେ ମଧ୍ୟ ଉତ୍ତର ନାହିଁ।
ସନ୍ଧ୍ୟା ସମୟରେ ଏହି ରାସ୍ତାରେ ଗାଡ଼ିଗୁଡ଼ିକ ଲମ୍ବା ଲାଇନ୍‌ରେ ଅଟକି ରହୁଥିବା ଦେଖିବାକୁ ମିଳୁଛି। ଟ୍ରାଫିକ୍‌ ନିୟମକୁ ଫୁ’ କରି ବେପରୁଆ ଭାବେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚାଳକ ରଙ୍ଗ୍‌ରୁଟ୍‌ରେ ଯା’ଆସ କରୁଛନ୍ତି। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। କିଛି ଛକରେ ଟ୍ରାଫିକ୍‌ କର୍ମଚାରୀ ମଧ୍ୟ ମୁତୟନ ହେଉ ନାହାନ୍ତି। ଟ୍ରାଫିକ୍ ନିୟମକୁ ମାନୁନଥିବା ଲୋକେ ନିଜ ପାଇଁ ତ ବିପଦକୁ ଆମନ୍ତ୍ରଣ କରୁଛନ୍ତି, ସେମାନଙ୍କ ଦ୍ୱାରା ସେହି ରାସ୍ତା ଉପରେ ନିର୍ଭର କରୁଥିବା ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ ଓ ମହିଳାମାନେ ଆତଙ୍କିତ ରହୁଛନ୍ତି। ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି ଯେ ଗ୍ରୀଷ୍ମଋତୁରେ ଓ ରାତିରେ ମୁଖ୍ୟରାସ୍ତାର କାମ କରିବା କଥା। କିନ୍ତୁ ଏଠାରେ ତାହା କରାଯାଉ ନାହିଁ। ଦିନ ରାତି କାମକରି ଯଥାସମ୍ଭବ ଶୀଘ୍ର କାମ ଶେଷ କରିବାକୁ ଉଦ୍ୟମ ହେଉଥିଲେ ଉପରୋକ୍ତ ନିୟମର ଉଲ୍ଲଂଘନ ଗ୍ରହଣୀୟ ହୁଅନ୍ତା। କିନ୍ତୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଲୋକଙ୍କ ସମସ୍ୟାକୁ ଆଦୌ ଖାତିର ନକରି ଖାମଖିଆଲି ଭାବେ ମନ୍ଥର ଗତିରେ କାମ ଚଳାଇଛି। ତେଣୁ ଲୋକେ ଦହଗଞ୍ଜ ହେଉଛନ୍ତି।

Share Now:

Kalinga News Beuro

Next Post

ଡମପଡା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ୧୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

Fri Dec 29 , 2023
କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଡମପଡା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟର ଅଭିଯୋଗ ଆସିଛି। ବାଙ୍କୀ ଥାନା ଡମପଡା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ଲକର ତାଡ଼ି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଲକର ତାଡ଼ି ପ୍ରାୟ ୧୫ ଲକ୍ଷ ଟଙ୍କା ଓ କମ୍ପୁଟର ହାର୍ଡ ଡିସ୍କ ସହିତ ଅନ୍ୟାନ୍ୟ ସାମଗ୍ରୀ ଦୁର୍ବୃତ୍ତମାନେ ନେଇଯାଇଥିବା କୁହାଯାଇଛି। ସେପଟେ ଘଟଣାସ୍ଥଳରେ ବାଙ୍କୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial