କେରଳରେ ପ୍ରବଳ ବର୍ଷା ପରେ ଇଡ଼ୁକ୍କି ଜିଲ୍ଲାରେ ଭୂସ୍ଖଳନ, ୧୭ ମୃତ

କେରଳରେ ଭୂସ୍ଖଳନ

ଥିରୁଅନନ୍ତପୁରମ୍ : କେରଳରେ ପ୍ରବଳ ବର୍ଷା ପରେ ଇଡ଼ୁକ୍କି ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି ଏବଂ ଏଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ସେମାନେ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଉଛି। ଭୂସ୍ଖଳନ ଯୋଗୁଁ ୨୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ଆଜି ଭୋର୍‌ ସମୟରେ ଏହି ଭୟଙ୍କର ବିପର୍ଯ୍ୟୟ ଘଟିଛି। ଇଡ଼ୁକ୍କିର ରାଜମଲାଇ ଅଞ୍ଚଳରେ ଟି ଇଷ୍ଟେଟ୍‌ କର୍ମଚାରୀଙ୍କର ଏକ ବସତି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏଠାରେ ପ୍ରାୟ ୮୪ ଜଣ ରହୁଥିଲେ। ଏହା ମୁନ୍ନାର୍‌ ହିଲ୍‌ ରିସୋର୍ଟ୍‌ଠାରୁ ପ୍ର‌ାୟ ୨୫ କିମି ଦୂର। ଭୂ୍ସ୍ଖଳନ ସମୟରେ ଅଧିକାଂଶ ଲୋକ ଶୋଇଥିଲେ ଏବଂ ସେମାନେ ନିଜ ଜୀବନ ବଞ୍ଚାଇ ପାରିନାହାନ୍ତି। ଜିଲ୍ଲାପାଳ ଏଚ୍‌ ଦିନେଶାନ୍‌ଙ୍କ କହିବା ଅନୁଯାୟୀ ଜଣେ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ସହ ଏରାଭିକୁଲମ୍‌ ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକ‌ାର୍ଯ୍ୟରେ ବାଧା ଉପୁଜିଛି। ଦିନେଶାନ୍‌ଙ୍କ ଅନୁଯାୟୀ ୧୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠିରୁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ଇଡ଼ୁକ୍କି ଜିଲ୍ଲାରେ ଲଗାତାର ୩ ଦିନ ଧରି ପ୍ରବଳ ବର୍ଷା ହେଉଥିଲା। ବିଦ୍ୟୁତ୍‌‌ ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇ ଯାଇଥିଲା। ଅଞ୍ଚଳକୁ ସଂଯୋଗ କରୁଥିବା ଏକ ପୋଲ ପ୍ରବଳ ବର୍ଷା ଯୋଗୁଁ ଗତକାଲି ଧୋଇ ହୋଇ ଯାଇଛି। ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଏନ୍‌ଡିଆରଏଫ୍‌ ଟିମ୍‌ ସହ ରାଜ୍ୟ ଅଗ୍ନିସେବା ବିଭାଗର ୫୦ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ‌୍ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି ବୋଲି କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ବାୟୁସେନା ହେଲିକପ୍ଟରର ସହଯୋଗ ଲୋଡ଼ାଯାଇଛି। ଥ୍ରିସୁର୍‌ରୁ ମଧ୍ୟ ଅନ୍ୟ ଏକ ଟିମ୍‌ , ପୁଲିସ ଏବଂ ବନ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ବନ୍ୟା ସଙ୍କଟ ବଢ଼ୁଥିବାରୁ ଆସନ୍ତାକାଲି ପାଇଁ ଇଡ଼ୁକ୍କି, ଥ୍ରିସୁର,ୱାୟନାଡ଼, ପଲକ୍କଡ଼ ଜିଲ୍ଲାରେ ରେଡ୍‌ ଆଲର୍ଟ‌୍ ଜାରି ହୋଇଛି।

Share Now:

Kalinga News Beuro

Next Post

ଦିନିକିଆ ଆକ୍ରାନ୍ତରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା: କରୋନାରେ ଆଜି ସବୁ କ୍ଷେତ୍ରରେ ନୂଆ ରେକର୍ଡ

Sat Aug 8 , 2020
ନମୁନା: ୧୬,୦୫୫ , ଆକ୍ରାନ୍ତ: ୧,୮୩୩, କୋଭିଡ୍‌ ମୃତ୍ୟୁ: ୧୨, ସୁସ୍ଥ: ୧,୮୧୦ ଭୁବନେଶ୍ବର : ରାଜ୍ୟରେ କରୋନା ଆଜି ସବୁ କ୍ଷେତ୍ରରେ ନୂଆ ରେକର୍ଡ କରିଛି। ଦିନିକିଆ ନମୁନା ପରୀକ୍ଷା, ଆକ୍ରାନ୍ତ, ମୃତ୍ୟୁ ଓ ସୁସ୍ଥ ସଂଖ୍ୟାକୁ ପୂର୍ବାପେକ୍ଷା ପଛରେ ପକାଇ ଦେଇଛି। ଗତ ୨୪ ଘଣ୍ଟାରେ ୧୬୦୫୫ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବ‌େଳେ ୧୮୩୩ଜଣ ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି ଏବଂ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ […]
ଦିନକରେ ସବୁ ରେକର୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial