ରାଜଧାନୀକୁ କରୋନାର ଦ୍ବିତୀୟ ଲହରି ଭୟ: କଟକଣା ଜାରି କଲା ବିଏମ୍‌ସି

ରାଜଧାନୀରେ କରୋନା

ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ପୂରା ନିୟନ୍ତ୍ରଣକୁ ଆସିଯାଇଛି। ଏପରିକି ଗତ ସପ୍ତାହେ ହେଲା ଦୈନିକ ୫୦ରୁ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଆଗକୁ ସ୍ଥିତି ଅଣାୟତ୍ତ ହେବାର ଆ‌ଶଙ୍କା କରିଛି ବିଏମ୍‌ସି। ଭୁବନେଶ୍ବରରେ କରୋନାର ଦ୍ବିତୀୟ ଲହରି ଆସିବାର ଆଶଙ୍କା କରି ବିଏମ୍‌ସି ଏସ୍‌ଓପି ଜାରି କରିଛି। ନଭେମ୍ବର ୨୫ରୁ ରାଜଧାନୀରେ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିଛି। ଏବେ କରୋନା ନିୟନ୍ତ୍ରଣକୁ ଆସିଥିବାରୁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର କଟକଣା କୋହଳ କରିଛନ୍ତି। କିନ୍ତୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବରରେ ଯେପରି ହଠା‌ତ୍‌ ସ୍ଥିତି ବିଗିଡ଼ି ନଯିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ, କେରଳ ସମେତ ‌ଦେଶର ବିଭିନ୍ନ ରାଜ୍ୟରେ କରୋନାର ଦ୍ବିତୀୟ ଲହରି ପ୍ରାୟତଃ ଆରମ୍ଭ ହୋଇଗଲାଣି। ଶୀତ ଋତୁ ଆରମ୍ଭ ହୋଇଗଲାଣି। ୟୁରୋପୀୟ ଦେଶରେ ଶୀତ ଆରମ୍ଭ ହେବା ପରେ ଦ୍ବିତୀୟ ଲହରି ଆରମ୍ଭ ହୋଇଥିଲା। ସେଠାରେ ସବୁ କଟକଣା କୋହଳ ହୋଇଯାଇଥିବାରୁ ହଠାତ୍‌ ସ୍ଥିତି ଅଣାୟତ୍ତ ହୋଇଗଲା। ଏପରିକି କିଛି ଦେଶରେ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ପାଇଁ କଟକଣା ଲଗାଯାଇଛି। କିପରି କ’ଣ ହେବ, କେଉଁଠୁ ଅନୁମତି ନେବାକୁ ହେବ ତାହା କୁହାଯାଇଛି। ରାଜଧାନୀ ପାଇଁ ଏସ୍‌‌ଓପି ଜାରି କରିବା ନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ତିନିରୁ ଚାରି ମାସ ପରେ କରୋନାର ଦ୍ବିତୀୟ ଲହରି ଆସୁଛି। ନଭେମ୍ବର ଶେଷ ସପ୍ତାହରୁ ଜାନୁଆରି ପର୍ଯ୍ୟନ୍ତ ଭୁବନେଶ୍ବରରେ ସାଧାରଣତଃ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ। ହଠାତ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଗଲେ ସ୍ଥିତି ଅଣାୟତ୍ତ ହୋଇଯିବ। ତେଣୁ ଆମେ ବିବାହ ଉତ୍ସବ, ବିଭିନ୍ନ କାର୍ଯ୍ୟକ୍ରମ ଉପରେ କିଛି କଟକଣା ଲଗାଇଛୁ। ନଭେମ୍ବର ୨୫ରୁ ଏହି କଟକଣା ଲାଗୁ ହେବ। ହେଲେ ଡିସେମ୍ବର ୨୦ ଭିତରେ ଯଦି ରାଜ୍ୟରେ ବା ଭୁବନେଶ୍ବରରେ କରୋନାର ଦ୍ବିତୀୟ ଲହରି ନଥିବ ତେବେ ଆମେ କଟକଣା କୋହଳ କରିଦେବୁ। କିନ୍ତୁ ଆମେ କିଛି ରିସ୍କ ନେବାକୁ ଚାହୁଁନଥିବାରୁ କେବଳ ବିବାହ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରିଛୁ। ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଶଯ୍ୟା କମାଇ ଦିଆଯାଇଥିବାବେଳେ କୋଭିଡ୍‌ କେୟାର ସେଣ୍ଟରଗୁଡ଼ିକୁ ବନ୍ଦ କରିଦିଆଯାଇଛି। ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବଢ଼ିଗଲେ ରାଜଧାନୀ ସ୍ଥିତି ବିଗିଡ଼ିବାର ଆଶଙ୍କା ଅଛି।

ସୂଚନାଯୋଗ୍ୟ ଯେ, ବିଏମ୍‌ସି ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଯଦି କେହି କୌଣସି କାର୍ଯ୍ୟକ୍ରମ ବା ଉତ୍ସବ କରୁଛନ୍ତି ତେବେ ସ୍ଥାନୀୟ ଥାନା କିମ୍ବା ବିଏମ୍‌ସିରୁ ଅନୁମତି ନେବେ। ବିବାହ ଉତ୍ସବରେ ଶୋଭାଯାତ୍ରା ପୂରା ବାରଣ ରହିବ। ବର ବିନା ବାଜା, ଶୋଭାଯାତ୍ରାରେ ଯିବ। କୌଣସି ପ୍ରକାରର ଅସୁସ୍ଥ ଲୋକ ବା ଶ୍ବାସକ୍ରିୟା ଜନିତ ସମସ୍ୟା ଥିବା ଲୋକଙ୍କୁ ବିବାହସ୍ଥଳୀକୁ ବାରଣ କରାଯିବ। ଶବସତ୍କାର ସମୟରେ ଏହିଭଳି ଲୋକଙ୍କୁ ଯଥା ସମ୍ଭବ ଦୂରେଇ ରଖିବାକୁ କୁହାଯାଇଛି। ସେହିପରି ଗର୍ଭବତୀ ମହିଳା, ବୃଦ୍ଧ ଲୋକ, ୧୦ବର୍ଷରୁ କମ୍‌ ପିଲା ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଲୋକ ସାମାଜିକ, ସାଂସ୍କୃତିକ ଉତ୍ସବରୁ ନିଜକୁ ଦୂରେଇ ରଖନ୍ତୁ। ଉତ୍ସବରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପରସ୍ପର ମଧ୍ୟରେ ଯେପରି ୬ଫୁଟ ଦୂରତା ରହିବ ସେନେଇ ଧ୍ୟାନ ଦେବାକୁ ହେବ। ଏପରିକି ଖାଇବା ସ୍ଥାନରେ ବି ୬ଫୁଟ ଦୂରତାରେ ଚେୟାର ପକାଇବାକୁ କୁହାଯାଇଛି। କୌଣସି ହଲ୍‌ରେ କାର୍ଯ୍ୟକ୍ରମ‌ ହେଉଥିଲେ ଏହାର ୫୦% କ୍ଷମତା ବ୍ୟବହାର କରିହେବ। ସବୁ ସ୍ଥାନରେ ପର୍ଯ୍ୟାପ୍ତ ହାତଧୁଆ ବ୍ୟବସ୍ଥା ରହିବ। ସେହିପରି କୌଣସି ହଲ୍‌ରେ କାର୍ଯ୍ୟକ୍ରମ‌ ହେଉଥିଲେ ସେଠାରେ କେହି ପାନ କି ଗୁଟ୍‌ଖା ଖାଇପାରିବେନି କି ଛେପ ପକାଇପାରିବେନି। କେଉଁ ମଣ୍ଡପରେ କେ‌ଉଁ ଉତ୍ସବ ହେଉଛି, କେତେ ଲୋକଙ୍କ ପାଇଁ ବୁକିଂ ହୋଇଛି ତା’ର ସୂଚନା ବି କଲ୍ୟାଣ ମଣ୍ଡପ/ହୋଟେଲ/କନଭେନସନ୍ ସେଣ୍ଟର ପକ୍ଷରୁ ବିଏମ୍‌ସିକୁ ୭ଦିନ ପୂର୍ବରୁ ଦେବାକୁ ହେବ। ସବୁ ସ୍ଥାନରେ ଯେପରି କୋଭିଡ୍‌ କଟକଣା ଏବଂ ବିଏମ୍‌ସି ଏସ୍‌ଓପି ଅନୁଯାୟୀ କାର୍ଯ୍ୟକ୍ରମ ହେଉଥିବ ତାହାକୁ ବିଏମ୍‌ସିର ୫ଟି ସ୍କ୍ବାଡ୍‌ ବୁଲି ଯାଞ୍ଚ କରିବେ।
ବିଏମ୍‌ସି କର୍ତ୍ତୃପକ୍ଷ ବିବାହ ଓ ବିଭିନ୍ନ ଉତ୍ସବରେ ସର୍ବାଧିକ ୧୦୦ ଜଣ ଲୋକ ରହିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିବା ପରେ ହୋଟେଲ, କ୍ୟାଟେରିଂ ସଂସ୍ଥା ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାଙ୍କ ଚିନ୍ତା ବଢ଼ିଯାଇଛି। ସବୁଠୁ ଅଧିକ ଦ୍ବନ୍ଦରେ ପଡ଼ିଯାଇଛନ୍ତି ବର ଓ କନ୍ୟା ଘର ଲୋକ। କେବଳ ଘର ଲୋକ ଓ କିଛି କୁଣିଆଙ୍କୁ ମିଶାଇଲେ ବାହାଘରରେ ଶହେ ଲୋକ ହୋଇଯାଉଛନ୍ତି। ଯେଉଁମାନେ ସାଙ୍ଗସାଥୀ ଡାକିବାକୁ ଚାହୁଁଥିଲେ ସେମାନେ କାହାକୁ ଡାକିବେ, କାହାକୁ ଛାଡ଼ିବେ ସେ‌ନେଇ ଦ୍ବନ୍ଦରେ ପଡ଼ିଯାଇଛନ୍ତି। ବିଏମ୍‌ସିର ଗାଇଡଲାଇନ୍‌ ଆସିବା ପରେ କିଛି ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ରାଜ୍ୟ ସରକାର ବିବାହ ଉତ୍ସବରେ ୨୦୦ ଲୋକଙ୍କୁ ଅନୁମତି ଦେବା ପରେ ବହୁ ଲୋକ ୨୦୦ ଲୋକଙ୍କ ପାଇଁ ବୁକିଂ କରିଛନ୍ତି। ଡିସେମ୍ବରରୁ ବାହାଘର ଋତୁ ଆରମ୍ଭ ହେଉଥିବାବେଳେ ବହୁତ କମ୍‌ ତିଥି ଅଛି। ତେଣୁ ବହୁ ଲୋକ ତରବରିଆ ଭାବେ ବୁକିଂ କରିଛନ୍ତି। ଏବେ ବିଏମ୍‌ସି ୧୦୦ ଲୋକ ଏକାଠି ହୋଇପାରିବା ନିୟମ କରିଛି। ଏହାଦ୍ୱାରା ଆମ ବ୍ୟବସାୟ ମାନ୍ଦା ହୋଇଯିବ। ଗତ ୮ମାସ ହେଲା ଯେଉଁ ସମସ୍ୟା ଦେଇ ଗତି କରୁଛୁ ଡିସେମ୍ବରରେ ଏହା କିଛି ଭରଣା ହୋଇଥାନ୍ତା। ହେଲେ ତାହା ବି ହେବନି। ଯିଏ ୧୦୦ ଲୋକଙ୍କୁ ନେଇ ବିବାହ କରିବ ସେ କାହିଁକି ହୋଟେଲରେ ଉତ୍ସବ କରିବ ବୋଲି ଭାବିଲେଣି। ତେଣୁ ବିଏମ୍‌ସି ଏନେଇ କିଛି ଚିନ୍ତା କରିବା ଦରକାର।

Share Now:

Kalinga News Beuro

Next Post

ଆସନ୍ତା ୧୪ରୁ ପୁଣି ଫେରିବ ଶୀତ

Thu Nov 12 , 2020
ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ଆସିବ ନାହିଁ। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ତେବେ ୧୪ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ଅଧିକାଂଶ ସହରର ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ଆଞ୍ଚଳିକ […]
୧୪ରୁ ପୁଣି ଥଣ୍ଡା ଫେରିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial