ଆଜିଠୁ କରୋନା ଟିକା : ରାଜଧାନୀର ୬ଟି ସ୍ଥାନରେ ଦିଆଯିବ ଟିକା

ଆଜିଠୁ କରୋନା ଟିକା-1

ଏମ୍‌ସକୁ ମିଶାଇ ୧୬୧ଟି କେନ୍ଦ୍ରରେ ଟିକାଦାନ

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କରୋନା ବିରୋଧରେ ଶେଷ ଲଢ଼େଇ। ଆଉ କିଛି ଘଣ୍ଟାର ଅପେକ୍ଷା ପରେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ମହୋ‌ଷୌଧି। ଦେଶର ବିଭିନ୍ନ ସହର ସମେତ ଓଡ଼ିଶାର ୧୬୧ଟି କେନ୍ଦ୍ରରେ କରୋନା ଟିକା ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାରେ କରୋନା ଟିକା ପହଞ୍ଚି ସାରିଛି। ସକାଳ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପରେ ଟିକାଦାନ ଆରମ୍ଭ ହେବ। ଭୁବନେଶ୍ବର ଓ ସୁନ୍ଦରଗଡ଼ର ଦୁଇଟି ସ୍ଥାନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଡ଼ି ହେବ। ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ଦିନ ୧୨ଟାରେ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ। ଯେଉଁମାନେ ଟିକା ନେବେ, ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମେସେଜ୍ ଦିଆଯାଇଛି। କେଉଁ ଟିକାଦାନ କେନ୍ଦ୍ରକୁ ଯିବାକୁ ହେବ, ସେ ସଂପର୍କରେ ମେସେଜ୍‌ରେ ଉଲ୍ଲେଖ ରହିଛି। ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ‌ଦୈନିକ ୧୦୦ଜଣଙ୍କୁ ଟିକା ପ୍ରଦାନ କରାଯିବ। ରାଜ୍ୟରେ ଟିକାଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଟିକା ସମସ୍ତ ଜିଲ୍ଲା ଓ କୋଲ୍ଡଚେନ୍‌ ପଏଣ୍ଟରେ ପହଞ୍ଚି ସାରିଛି। ପ୍ରଥମ ପର୍ଯ୍ୟାୟ ଟିକାଦାନ ପାଇଁ ରାଜ୍ୟରେ ପୂର୍ବରୁ ୧୬୦ଟି କେନ୍ଦ୍ର ଚିହ୍ନଟ ହୋଇଥିବା ବେଳେ ଏଥିରେ ସାମିଲ ହୋଇଛି ଏମ୍‌ସ। ଟିକାକରଣ ପାଇଁ ଟିକାଦାନ କେନ୍ଦ୍ରରେ ୫ଜଣିଆ ଦଳ ନିୟୋଜିତ ହୋଇଛନ୍ତି। ବିଭିନ୍ନ ବର୍ଗର ୧୬,୧୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ୧୮ବର୍ଷରୁ ଅଧିକ, ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତି ହୋଇଥିବା ରୋଗୀ ଓ ୧୪ ଦିନ ଭିତରେ କୌଣସି ଟିକା ନେଇଥିଲେ କରୋନା ଟିକା ନେଇପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହାସହ ସ୍ବାସ୍ଥ୍ୟକର୍ମୀ ପ୍ରଥମେ ଯେଉଁ ଟିକା ନେଇଥିବେ, ଦ୍ବିତୀୟ ଡୋଜ୍‌ରେ ସମାନ ଟିକା ନେବାକୁ ହେବ। ଏଥିରେ କୌଣସି ପ୍ରକାର ପରିବର୍ତନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୪ଲକ୍ଷ ୮ହଜାର ଡୋଜ୍‌ର ‘କୋଭିସିଲ୍ଡ’ ଓ ଭାରତ ବାଇଓଟେକ୍‌ ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍’ର ୨୦ ହଜାର ଡୋଜ୍ ପହଞ୍ଚି ସାରିଛି। କୋଭାକ୍ସିନ୍‌କୁ କେବଳ ଭୁବ‌ନେଶ୍ବରରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ବରର ୬ଟି ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯିବ। ଏଥିପାଇଁ ସଂସ୍ଥା ପକ୍ଷରୁ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସ୍କ୍ରିନିଂ ଓ ସହମତିପତ୍ର ପ୍ରଦାନ କରାଯିବ। ଯେଉଁମାନେ କୋଭାକ୍ସିନ୍ ଟିକା ନେବେ, ସେମାନଙ୍କୁ ଟିକ ନେବା ପୂର୍ବରୁ ଏହି ଫର୍ମ ପୂରଣ କରିବାକୁ ହେବ। ଏହି ଫର୍ମକୁ କୋଲ୍‌ଡ ଚେନ୍ ପଏଣ୍ଟରେ ଦାଖଲ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଦିଆଯାଇଛି। ୯ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରିବାକୁ ଲକ୍ଷ୍ୟ ରହିଛି। ସମୁଦାୟ ଭାବେ ମୋଟ ୨୬ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟ ପାଇଁ ପଞ୍ଜୀକୃତ ହୋଇଛନ୍ତି। ରାଜ୍ୟରେ ସମୁଦାୟ ୩ ଲକ୍ଷ ୩୮ ହଜାର ୭୭୭ ହିତାଧିକାରୀ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି। କରୋନା ଟିକାକରଣ ପାଇଁ ପର୍ଯ୍ୟାପ୍ତ ଆଇଇସି(ପୋଷ୍ଟର, ବ୍ୟାନର ଓ ଷ୍ଟାଣ୍ଡ) ବିକଶିତ କରାଯାଇଛି। ଏପରିକି ମୋବାଇଲ କଲର ଟ୍ୟୁନ୍‌ରେ ଓଡ଼ିଆ ଭାଷାରେ ମଧ୍ୟ କରୋନା ଟିକା ସମ୍ବନ୍ଧରେ ସଚେତନତା କରାଯିବ ବୋଲି ସୂଚନା ମିଳିଛି। ଟିକାକରଣ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ରାଜ୍ୟସ୍ତରୀୟ ମନିଟରିଂ ଦଳ ଗଠନ କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜସ୍ବ ବିଭାଗର କର୍ମଚାରୀଙ୍କ ତାଲିକା ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଦିଆଯାଇଛି। ଏଥିରେ ଜିଲ୍ଲା ସବ-ରେଜିଷ୍ଟ୍ରାର ଓ କର୍ମଚାରୀ, ଆରଟିଓ/ଏମ୍‌ଭିଆଇ ଓ କର୍ମଚାରୀ, ସିଏସ୍‌ଓ, ଏମ୍‌ଆଇ, ଯୋଗାଣ ସହାୟକ ଓ କର୍ମଚାରୀ, ଜିଲ୍ଲା ଅବକାରୀ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଏଡିଡବ୍ଲୁଓ ଓ କର୍ମଚାରୀ, ଡିଆଇପିଆରଓ ଓ ଅନ୍ୟ କର୍ମଚାରୀ, ଟିଆରଓ ଓ ପ୍ରୋବେସନର, ଏସବୁ ବିଭାଗର ଡ୍ରାଇଭର ଓ ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କ ତାଲିକା ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏସବୁ କର୍ମଚାରୀଙ୍କ ତାଲିକା କୋ-ୱିନ୍ ପୋର୍ଟାଲରେ ଅପଲୋଡ୍‌ କରିବା ଲାଗି କୁହାଯାଇଛି।

Share Now:

Kalinga News Beuro

Next Post

କଥା ରଖିଲାନି ଚାଇଲ୍ଡ ଲାଇନ

Sat Jan 16 , 2021
ବାଲିପାଟଣା : ମା’ର ମୃତ୍ୟୁ ପରେ ଗରିବ ବାପା ପାଖରୁ ୩ ଝିଅଙ୍କୁ କୋଳେଇ ନେଇଥିଲା ଚାଇଲ୍ଡ ଲାଇନ। ବଡ଼ ଝିଅ ମାମୁନି କିନ୍ତୁ ମା’ର ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ବାପା ପାଖରେ ରହିବ ବୋଲି ସ୍ଥିର ହୋଇଥିଲା। ମା’ର ଶୁଦ୍ଧିକ୍ରିୟା ପରେ ତାକୁ ବି ଚାଇଲ୍‌ଡ ଲାଇନ କୋଳେଇ ନବ ବୋଲି ପ୍ରତିଶୃତି ଦେଇଥିଲା। ମାତ୍ର ଏହା ଭିତରେ ଦେଢ଼ ମାସ ବିତି ଯାଇଥିଲେ ବି ମାମୁନି ସେମିତି ବାପା […]
ମାମୁନିକୁ ଭୁଲିଗଲା ଚାଇଲ୍ଡ ଲାଇନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial