ବାବୁଙ୍କ ସହ ରାତି ବିତାଇଲେ ୫ ହଜାର: ସୁରେଶଙ୍କ ବିରୋଧରେ ପୀଡ଼ିତାଙ୍କ ସଂଗିନ‌ ଅଭିଯୋଗ

ବାବୁଙ୍କ ସହ ରାତି ବିତାଇଲେ ୫ ହଜାର

ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍‌ ବିରୋଧରେ ଭିଜିଲାନ୍ସକୁ ଲେଖିବ ସଂସ୍ଥା

ଭୁବନେଶ୍ବର : ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲାରେ ନୂଆନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଫେରାର ଥିବା ଅଭିଯୁକ୍ତ ସମ୍ପାଦକ ସୁରେଶ ବେହେରାଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ବାବୁଙ୍କ ସହ ରାତି ବିତାଇଲେ ୫ ହଜାର ଟଙ୍କା ମିଳିବ ବୋଲି ସୁରେଶ ଓ ସମ୍ପୃକ୍ତ ଲେଡି ଇନ୍‌ଷ୍ଟ୍ରକ୍ଟର ବାଧ୍ୟ କରୁଥିବା ଆଜି ଅ‌ାଉ ଜଣେ ପୀଡ଼ିତା ଅଭିଯୋଗ କରିଛନ୍ତି। ପୂର୍ବରୁ ଚାପରେ ଓ ଭୟରେ ଥିବା ପୀଡ଼ିତା ଏବେ ସୁରେଶ ଫେରାର ହେବା ପରେ ମୁହଁ ଖୋଲିଛନ୍ତି। ଏ ନେଇ ସେ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବ‌ା‌ ପରେ ଏହି ଯୌନ ନିର୍ଯାତନା ମାମଲା ଅଧିକ ଗମ୍ଭୀର ହୋଇଛି। ସେହିଭଳି ଭିନ୍ନକ୍ଷମଙ୍କ ଉନ୍ନତି ପାଇଁ ଆସିଥିବା ସଂସ୍ଥାରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍‌ ହୋଇଛି। ଏଣୁ ଏ ନେଇ ମାମଲା ଭିଜିଲାନ୍ସକୁ ଦିଆଯିବାକୁ ଯୋଜନା ହେଉଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ସୁରେଶ ଫେରାର ହେବା ପରେ ନୂଆ ପରିଚାଳନା କମିଟି ଗଠନ ଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଉପର ମହଲରୁ ଅଫିସରମାନେ ଅଡିଟ୍‌ କରିବାକୁ ଆସନ୍ତି। ସେମାନଙ୍କୁ ଖୁସି କରିବାକୁ ଯୁବତୀ ଭେଟି ଦିଆଯାଏ। ରାତିକ ପାଇଁ ୫ ହଜାର ଟଙ୍କା ଦେବାକୁ ସେମାନେ ପ୍ରତିଶୃତି ଦିଅନ୍ତି। ଯିଏ ରାଜି ହେଲା ଟଙ୍କା ପାଏ, ଅଫିସରଙ୍କୁ ଖୁସି କରାଏ। ଆଉ ଯିଏ ନିଜ ଇଜ୍ଜତ ବିକିବାକୁ ମାନେନି, ତାକୁ ବାହାର କରି ଦିଆଯାଏ। ଅଭିଯୋଗ କରିଥିବା ପୀଡ଼ିତା ମଧ୍ୟ ଦିବ୍ୟାଙ୍ଗ। ସେ ଏଠାରେ ଟ୍ରେନିଂ ନେଉଥିଲେ। ଟ୍ରେନିଂ ବେ‌ଳେ ଜଣେ ସରକାରୀ ବାବୁ ଯାଞ୍ଚ କରିବାକୁ ଆସିଥିଲେ। ତାଙ୍କ ସହ ରାତି ବିତାଇବାକୁ ସୁରେଶ ଓ ତାଙ୍କ ସହଯୋଗୀ ଲେଡି ଇନ୍‌ଷ୍ଟ୍ରକ୍ଟର ବାଧ୍ୟ କରିଥିଲେ। ସେ ରାଜି ନ ହେବାରୁ ତାଙ୍କୁ ଦରମା ନ ଦେଇ ବିଦା କରି ଦେଇଥିଲେ। ଏ ନେଇ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଅନୁଷ୍ଠାନ ଭିତରେ ତାଙ୍କୁ ସହଯୋଗ କରୁଥିବା ମହିଳା ଜଣକ ହେଉଛନ୍ତି ଟେଲରିଂ ଇନ୍‌ଷ୍ଟ୍ରକ୍ଟର। ସମ୍ପାଦକ‌ ସୁରେଶ ବେହେରାଙ୍କର ଅନ୍ୟତମ ପ୍ରମୁଖ ସହଯୋଗୀ ଏହି ମହିଳା ଟେଲରିଂ ଇନ୍‌ଷ୍ଟ୍ରକ୍ଟର ମଧ୍ୟ ଫେରାର ଅଛନ୍ତି। ଅଧିକ ତଥ୍ୟ ପାଇଁ ଏୟାରପୋର୍ଟ ଥାନା ପୁଲିସ ଯୋଗାଯୋଗ କରିବାକୁ ଚାହିବା ବେଳେ ତାଙ୍କ ପତ୍ତା ମିଳୁନି। କୋଭିଡ୍‌ ସମୟରେ ଏଠାରୁ ସମସ୍ତଙ୍କୁ ତଡ଼ି ଦିଆଯାଇଥିବା ବେଳେ କେବଳ ତାଙ୍କୁ ହିଁ ଏଠାରେ ରଖା ଯାଇଥିଲା। ପୁରୁଣା କର୍ମଚାରୀଙ୍କୁ ଏଠାରୁ ହଟାଇବାରେ ସୁରେଶଙ୍କୁ ସେ ସହାୟତା କରୁଥିବା ଅଭିଯୋଗ ରହିଥିଲା।

Share Now:

Kalinga News Beuro

Next Post

ସେନାଦ୍ୱାରା ମିଆଁମାର୍‌ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚିୟି ଅଟକ

Mon Feb 1 , 2021
ନେପିୟିତ: ମିଆଁମାର୍‌ ସେନା ପାହାନ୍ତିଆ ଚଢ଼ାଉ କରି ମିଆଁମାର୍‌ର ନେତ୍ରୀ ଅଙ୍ଗ୍‌ ସାନ୍‌ ଚିୟି ଏବଂ ଶାସକ ଦଳର ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଅଟକ ରଖିଥିବା କଥା ସୋମବାର ଦିନ ଶାସକ ‘ନ୍ୟାସ୍‌ନାଲ୍‌ ଲିଗ୍‌ ଅଫ୍‌ ଡିମୋକ୍ରାସି’ର (ଏନ୍‌ଏଲ୍‌ଡି) ଜଣେ ମୁଖପାତ୍ର କହିଛନ୍ତି। ବେସାମରିକ ସରକାର ଏବଂ ଶକ୍ତିଶାଳୀ ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର କିଛି ଦିନ ପରେ ଏ ଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଗତ […]
ମିଆଁମାର୍‌ର ନେତ୍ରୀ ଅଙ୍ଗ୍‌ ସାନ୍‌ ଚିୟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial