ସେନାଦ୍ୱାରା ମିଆଁମାର୍‌ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚିୟି ଅଟକ

ମିଆଁମାର୍‌ର ନେତ୍ରୀ ଅଙ୍ଗ୍‌ ସାନ୍‌ ଚିୟି

ନେପିୟିତ: ମିଆଁମାର୍‌ ସେନା ପାହାନ୍ତିଆ ଚଢ଼ାଉ କରି ମିଆଁମାର୍‌ର ନେତ୍ରୀ ଅଙ୍ଗ୍‌ ସାନ୍‌ ଚିୟି ଏବଂ ଶାସକ ଦଳର ଅନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଅଟକ ରଖିଥିବା କଥା ସୋମବାର ଦିନ ଶାସକ ‘ନ୍ୟାସ୍‌ନାଲ୍‌ ଲିଗ୍‌ ଅଫ୍‌ ଡିମୋକ୍ରାସି’ର (ଏନ୍‌ଏଲ୍‌ଡି) ଜଣେ ମୁଖପାତ୍ର କହିଛନ୍ତି। ବେସାମରିକ ସରକାର ଏବଂ ଶକ୍ତିଶାଳୀ ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର କିଛି ଦିନ ପରେ ଏ ଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଗତ ନଭେମ୍ବର ମାସରେ ଅନୁଷ୍ଠିତ ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା କଥା ସେନା ଅଭିଯୋଗ କରିଥିଲା। ତେଣୁ, ନିର୍ବାଚନ ପରେ ସେନା ସରକାରଙ୍କ ହାତରୁ କ୍ଷମତା ଛଡ଼ାଇ ନେବାର ଆଶଙ୍କା ଉପୁଜି ଥିଲା। ‘ଏନ୍‌ଏଲ୍‌ଡି’ ମୁଖପାତ୍ର ମିଓ ନ୍ୟୁଣ୍ଟ୍‌ ଫୋନ୍‌ ଯୋଗେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି ଯେ, ପ୍ରାତଃକାଳୀନ ଚଢ଼ାଉରେ ସୁ ଚିୟି, ରାଷ୍ଟ୍ରପତି ଓ୍ଵିନ୍‌ ମିୟିଣ୍ଟ୍‌ ଏବଂ ଅନ୍ୟ ନେତାମାନଙ୍କୁ ଉଠାଇ ନିଆଯାଇଛି। ଆମ ଲୋକମାନଙ୍କୁ କହିବାକୁ ଚାହେଁ, ସେମାନେ ଅଧୈର୍ଯ୍ୟ ହୋଇ ହଠାତ୍‌ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଆଇନ ଅନୁସାରେ କାମ କରନ୍ତୁ। ଏହାଛଡ଼ା, ତାଙ୍କୁ (ମୁଖପାତ୍ର) ମଧ୍ୟ ଗିରଫ କରାଯାଇ ପାରେ ବୋଲି ସେ କହିଛନ୍ତି। ପରେ ପରେ ଆଉ ତାଙ୍କ ସହ ଯୋଗାଯୋଗ କରିବା ସମ୍ଭବପର ହୋଇନାହିଁ। ରାଜଧାନୀ ନେପିୟିତକୁ ସୋମବାର ପ୍ରତ୍ୟୁଷରୁ କୌଣସି ଫୋନ୍‌ ଲାଗୁନାହିଁ। ନଭେମ୍ବର ମାସରେ ଅନୁଷ୍ଠିତ ନିର୍ବାଚନରେ ବିପୁଳ ବିଜୟ ‘ଏନ୍‌ଏଲ୍‌ଡି’ ସୋମବାର ଦିନ ସଂସଦ ଅଧିବେଶନ ଆରମ୍ଭ କରି ଥାଆନ୍ତେ। ଏହି ନିର୍ବାଚନରେ କୌଣସି ପ୍ରକାର ଜାଲିଆତି ହୋଇ ନାହିଁ ବୋଲି ମଧ୍ୟ ନିର୍ବାଚନ କମିସନ୍‌ ପୂର୍ବରୁ କହିଥିଲା। ଫୋନ୍‌ରେ ଏ ସଂକ୍ରାନ୍ତରେ ବିବୃତି ଦେବାକୁ ସେନାର ମୁଖପାତ୍ର ମଧ୍ୟ ଅଗ୍ରାହ୍ୟ କରି ଦେଇଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ୟାଙ୍ଗୋନ୍‌ର ମୁଖ୍ୟ ନଗରୀରେ ଥିବା ସିଟି ହଲ୍‌ ବାହାରେ ସୈନିକ ମୁତୟନ ହୋଇଛନ୍ତି। ସୂଚନାଯୋଗ୍ୟ, ଗଣତନ୍ତ୍ର ନିମନ୍ତେ ସଂଗ୍ରାମ ଚଳାଇ ଦଶନ୍ଧି ଦଶନ୍ଧି ଧରି ଗୃହବନ୍ଦୀ ଥିବା ନୋବେଲ୍‌ ବିଜୟିନୀ ୭୫ ବର୍ଷୀୟ ସୁ ଚିୟି ୨୦୧୫ରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଥିଲେ। ଗଣତନ୍ତ୍ର ପାଇଁ ସଂଗ୍ରାମ ତାଙ୍କୁ ଆନ୍ତର୍ଜାତିକସ୍ତରରେ ସୁପରିଚିତ କରାଇଥିଲା।

Share Now:

Kalinga News Beuro

Next Post

ବିବାଦରେ ମୁକ୍ତିମଣ୍ଡପ ପଣ୍ଡିତସଭା : କାର୍ଯ୍ୟକାରୀ ସଭାପତିଙ୍କ ନାଁରେ ଥାନାରେ ଏତଲା

Mon Feb 1 , 2021
ପୁରୀ : ବିବାଦରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା। କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ରଙ୍କ ନାଁରେ ଆସିଛି ଆର୍ଥିକ ଅନିୟମିତତାର ସାଂଘାତିକ ଅଭିଯୋଗ। ଅନ୍ୟ କେହି ନୁହଁନ୍ତି, ମୁଣ୍ଡିମଣ୍ଡପ ପଣ୍ଡିତସଭାର ସଦସ୍ୟ ସୂର୍ଯ୍ୟନାରାୟଣ ରଥ ଆଜି ଏହି ଅଭିଯୋଗ ଆଣିଛନ୍ତି। ଏ ସଂପର୍କରେ ଶ୍ରୀ ରଥ ସିଂହଦ୍ବାର ଥାନାରେ ବି ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ରଥ ଅଭିଯୋଗ କରିଛନ୍ତି କି ୨୦୨୦ ଏପ୍ରିଲ ୩୦ରୁ ମୁକ୍ତିମଣ୍ଡପ ପଣ୍ଡିତସଭାର ନିର୍ବାଚିତ […]
ବିବାଦରେ ମୁକ୍ତିମଣ୍ଡପ ପଣ୍ଡିତସଭା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial