ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍ ଗିରଫ କରିଛି। ଇକ୍ବାଲ୍ ସିଂହ ନାମକ ଏହି ‘ମୋଷ୍ଟ୍ ଓ୍ଵାଣ୍ଟେଡ୍’ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଞ୍ଜାବର ହୋସିଆର୍ପୁରରୁ ଗିରଫ କରାଯାଇଥିଲା। ୨୦୨୧ ଜାନୁଆରି ୨୬ ତାରିଖରେ ଲାଲ୍କିଲ୍ଲାରେ ସଂଗଠିତ ହିଂସାକାଣ୍ଡରେ ଭୂମିକା ନେଇଥିବା ସିଂହଙ୍କୁ ଦିଲ୍ଲୀ ପୁଲିସ ଖୋଜୁଥିଲା। ତାଙ୍କ ଅବସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ଲାଗି ପୁଲିସ ନଗଦ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରିଥିଲା। ଜାନୁଆରି ୨୬ ତାରିଖ ହିଂସାକାଣ୍ଡ ସଂକ୍ରାନ୍ତ କେତେକ ଭିଡିଓରେ ଇକ୍ବାଲ୍ ସିଂହ ଲାଲ୍କିଲ୍ଲାରେ ପ୍ରବେଶ କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଉଥିବା ଦେଖାଯାଉଛି। ତେଣୁ, ଲାହୋରି ଫାଟକ ବାଟେ ଲାଲ୍କିଲ୍ଲା ମଧ୍ୟକୁ ଧଷେଇ ପଶିବାକୁ ସେ ଲୋକମାନଙ୍କୁ ଉସ୍କାଉଥିବା ଅଭିଯୋଗରେ ଅଭିଯୁକ୍ତ ଅଟନ୍ତି। ପଞ୍ଜାବ ଅନ୍ତର୍ଗତ ଲୁଧିଆନାର ବାସିନ୍ଦା ସିଂହ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆୟୋଜିତ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର୍ ରାଲି ହିଂସାତ୍ମକ ହେବା ପରଠାରୁ ଫେରାର ହୋଇଯାଇଥିଲେ। ହିଂସାକାଣ୍ଡ ସଂକ୍ରାନ୍ତରେ ଅଧିକ ତଥ୍ୟ ହାସଲ କରିବା ଲାଗି ପୁଲିସ ତାଙ୍କୁ ପଚରାଉଚୁରା କରିପାରେ।
ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ଘଟଣା : ଆଉ ଜଣେ ‘ମୋଷ୍ଟ୍ ଓ୍ଵାଣ୍ଟେଡ୍’ ଇକ୍ବାଲ୍ ସିଂହ ଗିରଫ

Share Now: