ପୁରୁଣା ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ରାଜ୍ୟ ସରକାର ମିଶି ଶିଶୁପାଳଗଡ଼ର ହୃତ ଗୌରବ ଫେରାଇବା ଉଦ୍ୟମ କରିଥିଲେ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ଏଏସ୍ଆଇ ଅଧିକାରୀଙ୍କ ମଧ୍ୟରେ ଠିକ୍ ବର୍ଷକ ପୂର୍ବରୁ ଆଲୋଚନା ହୋଇଥିଲା। ଏମିତିକି ସର୍ଭେ କାମ ମଧ୍ୟ ସରିଥିଲା। ମାତ୍ର ପୁନରୁଦ୍ଧାର ସେମିତି ଫାଇଲ୍ରେ ବନ୍ଦ ହୋଇ ରହିଲା। ଏନେଇ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଶିଶୁପାଳଗଡ଼ର ବର୍ତ୍ତମାନ ସ୍ଥିତି ଜାଣିବାକୁ କୋର୍ଟ ସରକାରଙ୍କୁ ଜବାବ ମାଗିଛନ୍ତି। ଗଡ଼ର ସମୁଦାୟ ଜମିରୁ କେତେ ଜବରଦଖଲ ହୋଇଛି, ସେନେଇ ଫଟୋ ସହ ସ୍ଥିତି ସଂକ୍ରାନ୍ତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ଏଏସ୍ଆଇ ଓ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ ହେବ ବୋଲି ଧାର୍ଯ୍ୟ ହୋଇଛି। ଏବେ ଏଏସ୍ଆଇ ହାଇକୋର୍ଟକୁ କି ଉତ୍ତର ଦେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ବର୍ଷକ ପୂର୍ବରୁ ଏଏସ୍ଆଇ ଏଠାରେ ସର୍ଭେ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ପାରିନାହିଁ। ଜବରଦଖଲ ଉଚ୍ଛେଦ କରିପାରିନାହିଁ କି ସଂରକ୍ଷଣ କାର୍ଯ୍ୟ ଆଗେଇ ପାରିନାହିଁ। ଗତ ବର୍ଷ ଫେବୃଆରୀରେ ମଣ୍ଡଳ ଅଧୀକ୍ଷଣଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଶିଶୁପାଳଗଡ଼ ଅଞ୍ଚଳ ବୁଲି ଦେଖିଥିଲେ। ଅନେକ ଘରୋଇ ଜମିରେ ପ୍ରାଚୀନ କୀର୍ତ୍ତିରାଜି ସବୁ ରହିଥିବା ଜାଣିବାକୁ ପାଇଥିଲେ। ସବିଶେଷ ରିପୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିଲା। ତେବେ ସେଇଠି କାମ ଅଟକିଗଲା। ସୂଚନାଯୋଗ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଶିଶୁପାଳଗଡ଼ର ୪୭୫ ଏକର ଜମିକୁ ନିଷିଦ୍ଧାଞ୍ଚଳ ଭାବେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏଥିରେ ଥିବା କିଛି ଜମିର ରେକର୍ଡପତ୍ରକୁ ନେଇ ଏଏସ୍ଆଇ କର୍ତ୍ତୃପକ୍ଷ ଅସହାୟ ହୋଇ ପଡ଼ିଛନ୍ତି। ସେହିଭଳି ବହୁ ପରିମାଣର ସରକାରୀ ଜମି ଚଞ୍ଚକତା ପୂର୍ବକ ଘରୋଇ ଖାତାକୁ ଯାଇଥିବା ପ୍ରମାଣ ମିଳିଛି। ସେଥିରେ ବହୁ ପ୍ରାଚୀନ କୀର୍ତ୍ତିରାଜି ଭରି ରହିଛି। ସେଗୁଡ଼ିକୁ କିଭଳି ପୁନରୁଦ୍ଧାର କରାଯିବ, ତାହାର ନୀଳ ନକ୍ସା ପ୍ରସ୍ତୁତ ହୋଇ ପାରିନାହିଁ। ଏ ସମ୍ପର୍କରେ ଓଡ଼ିଶା ମଣ୍ଡଳ ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି ଯେ ଶିଶୁପାଳଗଡ଼ର ଐତିହ୍ୟ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଆରମ୍ଭ ହୋଇଛି।
ଶିଶୁପାଳଗଡ଼ ପୁନରୁଦ୍ଧାର ସର୍ଭେକୁ ବର୍ଷେ : ହାଇକୋର୍ଟରେ କି ଜବାବ ରଖିବ ଏଏସ୍ଆଇ?

Share Now: