ହନ୍ତସନ୍ତ ହେଉଛନ୍ତି ନିତିଦିନିଆ ଯାତ୍ରୀ, ସ୍ବତନ୍ତ୍ର ଟ୍ରେନ୍ରେ ଅଧିକ ଅର୍ଥ ଗଣୁଛନ୍ତି
ଭୁବନେଶ୍ବର : କୋଭିଡ୍-୧୯ ପାଇଁ ସାରା ଦେଶରେ ଟ୍ରେନ୍ ସେବା ବନ୍ଦ ଥିଲା। ଟ୍ରାକ୍ରେ ଗୋଟିଏ ବି ଟ୍ରେନ୍ ଚାଲୁ ନ ଥିଲା। ତେବେ କରୋନା କଟକଣା ଭିତରେ ବି ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଥମେ ପାର୍ସଲ ଟ୍ରେନ୍ ଗଡ଼ିଲା। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେବା ପରେ ଟ୍ରାକ୍ରେ ଯାତ୍ରୀବାହୀ ଟ୍ରେନ୍ ସେବା ବି ଆରମ୍ଭ ହେଲା। ସ୍ବତନ୍ତ୍ର ଟ୍ରେନ୍ ମାଧ୍ୟମରେ ଯାତ୍ରୀମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲେ। ଇତିମଧ୍ୟରେ କରୋନା ସ୍ଥିତିରେ ଯଥେଷ୍ଟ ସୁଧାର ଆସିଲାଣି। ସଂକ୍ରମଣ କମିଗଲାଣି, କରୋନା ଭୟ ବି ଦୂରେଇଲାଣି। ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଖୋଲିଲାଣି। ସଭା, ଶୋଭାଯାତ୍ରା, ଉତ୍ସବ ପାଇଁ ଓଡ଼ିଶା ସରକାର ଅନୁମତି ଦେଇସାରିଲେଣି। ବସ୍ ସେବା ମଧ୍ୟ କେବେଠୁ ସ୍ବାଭାବିକ ହୋଇଗଲାଣି। ମାତ୍ର ରାଜ୍ୟରେ ଗଡ଼ୁନି ପାସେଞ୍ଜର ଓ ମେମୁ ଟ୍ରେନ୍। ୧୧ ମାସ ହେଲା ଏହି ଟ୍ରେନ୍ ସେବା ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ବର, ଢେଙ୍କାନାଳ ପରି ବଡ଼ ବଡ଼ ସହରର ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ପ୍ରଭାବିତ ହେଉଛନ୍ତି। ଶିକ୍ଷାନୁଷ୍ଠାନ ଖୋଲିଯାଇଥିବାରୁ ନିତିଦିନିଆ ଟ୍ରେନ୍ରେ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏବେ ନାକେଦମ ହେବାକୁ ପଡ଼ୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପାସେଞ୍ଜର/ମେମୁ ଟ୍ରେନ୍ ଚଳାଚଳ କରୁ ନଥିବାରୁ ଯାତ୍ରୀମାନେ ଏବେ ସ୍ବତନ୍ତ୍ର ଟ୍ରେନ୍ ଉପରେ ଅଧିକ ଭରସା କରୁଛନ୍ତି। ଆଉ ସ୍ବତନ୍ତ୍ର ଟ୍ରେନ୍ରେ ଟିକେଟ୍ ମୂଲ୍ୟ ବହୁତ ଅଧିକ ରହୁଛି। ଯାହାକି ସାଧାରଣ ଲୋକଙ୍କ ପକେଟ୍କୁ ବାଧୁଛି। ତା’ପରେ ବି ଆବଶ୍ୟକତା ଥିବାରୁ ସେମାନେ ଟ୍ରେନ୍ରେ ଯିବା ଆସିବା କରିବା ଲାଗି ଟିକେଟ୍ କରୁଛନ୍ତି। ହେଲେ ସ୍ବତନ୍ତ୍ର ଟ୍ରେନ୍ ପ୍ରତି ଯାତ୍ରୀଙ୍କ ଏତେ ଡିମାଣ୍ଡ ରହିଛି ଯେ ୩/୪ ଦିନ ଆଗରୁ ଟ୍ରେନ୍ରେ ସିଟ୍ ମିଳୁନି। ଦୁଇ ଦିନ ଆଗରୁ ଯାତ୍ରୀଙ୍କୁ ୱେଟିଂ(ଅପେକ୍ଷା)ରେ ରହିବାକୁ ପଡ଼ୁଛି। ଏହାବ୍ୟତୀତ ଟ୍ରେନ୍ର ସଂରକ୍ଷିତ ବଗି ସିଟ୍ ପୂର୍ଣ୍ଣ ହେବା ପରେ ଏସ୍ଏଲ୍ଆର୍(ଲଗେଜ୍ ଭ୍ୟାନ)ରେ ବି ଯାତ୍ରୀ ପରିବହନ କରାଯାଉଛି। ଯାତ୍ରୀ ଭିଡ଼କୁ ନଜରରେ ରଖି ଚେୟାର କାର୍ ସିଟ୍କୁ ସଂରକ୍ଷିତ ଟିକେଟ ଭାବେ ପରିବର୍ତ୍ତନ କରାଯାଇଛି। ଟ୍ରେନରେ ସାଧାରଣ ବର୍ଗଙ୍କ ପାଇଁ କୌଣସି ସିଟ୍ ନ ରହିବାରୁ ଯାତ୍ରୀମାନେ ଅଧିକ ଅର୍ଥ ଦେଇ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ରେଳବାଇର ଲାଭ ହେଉଥିବା ବେଳେ ମାସିକିଆ ଟିକେଟ କରି ଦୈନିକ ଯାତ୍ରା କରୁଥିବା ରାଜ୍ୟର ୧୮ହଜାରରୁ ଅଧିକ ଯାତ୍ରୀ ଖର୍ଚ୍ଚାନ୍ତ ହେଉଛନ୍ତି। ହଇରାଣ ହେଉଥିଲେ ମଧ୍ୟ ଟ୍ରେନ୍ ଚଳାଚଳ କରିବାକୁ କିଏ ରୋକିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଉଦାହରଣ ସ୍ବରୂପ, ଅନୁଗୁଳ-ଭୁବନେଶ୍ବର ମଧ୍ୟରେ ଦୈନିକ ୨ରୁ ୩ ହଜାର ଯାତ୍ରୀ ଟ୍ରେନରେ ଯାତ୍ରା କରିଥାନ୍ତି। ସେମାନେ ଅନୁଗୁଳ-ପୁରୀ ମେମୁ, ତାଳଚେର-ପୁରୀ ମେମୁ ଓ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଉପରେ ନିର୍ଭରଶୀଳ। ତେବେ ଏହି ଟ୍ରେନଗୁଡ଼ିକ ଚଳାଚଳ କରୁ ନ ଥିବାରୁ ଅନେକ ଯାତ୍ରୀ କାର ଭଡ଼ା କରି ଯିବା ଆସିବା କରୁଛନ୍ତି। ଆଉ କିଛି ଜଣ ବାଇକ୍ରେ ଯାତ୍ରା କରୁଛନ୍ତି। ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁଁ ସେମାନଙ୍କ ଦୈନଦିନ ଯାତ୍ରା ଅତ୍ୟନ୍ତ ମହଙ୍ଗା ହେଉଥିବା ଅଭିଯୋଗ ହୋଇଛି। ସେହିପରି ସମଲେଶ୍ବରୀ ଏକ୍ସପ୍ରେସ୍, ଇସ୍ପାତ୍ ଏକ୍ସପ୍ରେସ୍ ପରି କେତେକ ଟ୍ରେନ୍ ଉପରେ ନିର୍ଭର କରୁଥିବା ଅନେକ ଯାତ୍ରୀ ଅସୁବିଧା ଭୋଗୁଛନ୍ତି। ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାସେଞ୍ଜର/ମେମୁ ଟ୍ରେନ୍ ଚଳାଚଳ କରିବାକୁ ଦୁଇ ମାସ ହେଲା ଦାବି ହେଉଥିଲେ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଗୁରୁତ୍ବ ଦିଆଯାଉ ନାହିଁ। ଅନୁଗୁଳ ରୁଟ୍ରେ ବନ୍ଦ ଥିବା କିଛି ପାସେଞ୍ଜର ଟ୍ରେନ ଚଳାଇବାକୁ ଢେଙ୍କାନାଳ ଅନୁଗୁଳ ଟ୍ରେନ ପାସେଞ୍ଜର ସୋସିଏସନ(ଡିଏଟିପିଏ)ର ଏକ ପ୍ରତିନିଧିଦଳ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଇନାହିଁ। ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ମଧ୍ୟ ଏସମ୍ପର୍କରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିସାରିଛନ୍ତି। ତା’ପରେ ବି କେବଳ ପ୍ରତିଶୃତି ମିଳିଛି, କୌଣସି ପଦକ୍ଷେପ ନିଆଯାଇ ନାହିଁ। ଡିଏଟିପିଏ ଉପଦେଷ୍ଟା ଏସ୍ ମହାନ୍ତିଙ୍କ କହିବାନୁଯାୟୀ ଯେତେବେଳେ ବସ୍, ବିମାନ, କାର, ଟ୍ୟାକ୍ସି, ଅଟୋରିକ୍ସା ଆଦି ସ୍ବାଭାବିକ ଭାବେ ଚାଲିଛି। ଯାତ୍ରୀମାନେ ଯିବା ଆସିବା କରୁଛନ୍ତି ଏସମୟରେ ସାମାଜିକ ଦୂରତା ନାଁରେ ଏକପ୍ରକାର ଫାର୍ସ ଚାଲିଛି। ସ୍ବତନ୍ତ୍ର ଟ୍ରେନ୍ ଚଳାଇ ଯାତ୍ରୀଙ୍କଠାରୁ ପ୍ରଚୁର ଅର୍ଥ ନିଆଯାଉଛି। ପାସେଞ୍ଜର ଟ୍ରେନ୍ ଚଲାଇବା ଦ୍ବାରା ରେଳବାଇଙ୍କୁ କ୍ଷତି ହୋଇଥାଏ। ତେଣୁ ପାସେଞ୍ଜର ଟ୍ରେନ୍ ବଦଳରେ ସ୍ବତନ୍ତ୍ର ଟ୍ରେନ୍ ଚଲାଇ ଯାତ୍ରୀଙ୍କଠାରୁ ଅଧିକ ଅର୍ଥ ନିଆଯାଉଛି। କରୋନା ସଂକ୍ରମଣରେ ଶୀର୍ଷରେ ଥିବା ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ପରି ରାଜ୍ୟରେ ଲୋକାଲ୍ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେଲାଣି। ଓଡ଼ିଶାରେ ଟ୍ରେନ୍ କାହିଁକି ନୁହେଁ। ଅନ୍ୟପକ୍ଷରେ ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାସେଞ୍ଜର/ମେମୁ ଟ୍ରେନ୍ ଚଳାଇବା ଦିଗରେ ପଦକ୍ଷେପ ନିଆଯାଉଛି। ରେଲୱେ ବୋର୍ଡରୁ ଅନୁମତି ମିଳିବା ପରେ ସ୍ବାଭାବିକ ଭାବେ ଟ୍ରେନ୍ ଚାଲିବ। ଏକ୍ଷେତ୍ରରେ ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି।