ଆଜି ବିଶ୍ବ ସାଇକେଲ୍‌ ଦିବସ : ଅଲୋଡ଼ା ମୋ’ ସାଇକେଲ୍‌

ଆଜି ବିଶ୍ବ ସାଇକେଲ୍‌ ଦିବସ

ଭୁବନେଶ୍ବର: ପରିବହନର ମାଧ୍ୟମ ନୁହେଁ, ବରଂ ସାଇକେଲ୍‌ ଚାଳନା ଦ୍ବାରା ମଧୁମେହ ନିୟନ୍ତ୍ରିତ ହେବା ସହ ହୃଦ୍‌ଘାତର ଆଶଙ୍କା ମଧ୍ୟ କମିଥାଏ। ବଡ଼ କଥା ହେଉଛି ଏହା ଜଳବାୟୁ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ। ଯେଉଁଥିପାଇଁ ସାଇକେଲ୍‌ ପାଇଁ ଗୋଟିଏ ଦିନ ସମର୍ପିତ କରାଯାଇଛି। ଆସନ୍ତାକାଲି ପାଳିତ ହେବାକୁ ଯାଉଛି ବିଶ୍ବ ସାଇକେଲ ଦିବସ। ପରିବେଶକୁ ସୁସ୍ଥ ରଖିବା ସହ ପ୍ରତ୍ୟେକଙ୍କୁ ଫିଟ୍‌ ରଖୁଥିବା ଏହି ସାଇକେଲ୍‌ ମହତ୍ବକୁ ବୁଝିବା ସହ ରାଜଧାନୀବାସୀଙ୍କୁ ସାଇକେଲ୍‌ ଚାଳନାର ଅଭ୍ୟାସରେ ପକାଇବା ପାଇଁ ପ୍ରୟାସ କରିଛି କ୍ରୁଟ୍‌(କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ)। ଏବେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଏହାକୁ ପରିଚାଳନା କରୁଛି। ସୁପରିଚାଳନା ଅଭାବରୁ ଆରମ୍ଭରୁ ହିଁ ଏହି ମୋ ସାଇକେଲ୍‌ ପ୍ରତି ଲୋକଙ୍କର ଆନ୍ତରିକତା କମ୍‌ ରହିଛି। ମୋ’ ସାଇକେଲ୍‌ ଯେମିତି ଅଲୋଡ଼ା ହୋଇପଡ଼ିଛି। ରାଜଧାନୀରେ ସାଇକେଲ୍‌ ଅଛି, ହେଲେ ଟ୍ରାକ୍‌ ନାହିଁ। ପୂର୍ତ୍ତ ବିଭାଗ ପ୍ରସ୍ତୁତ କରିଥିବା ୩୦ କିଲୋମିଟର ସାଇକେଲ୍‌ ଟ୍ରାକ୍‌ ଏବେ ଜବରଦଖଲରେ। କେଉଁଠି ଗାଡ଼ି ପାର୍କ ହେଉଥିବା ବେଳେ କେଉଁଠି ଉଠାଦୋକାନୀ କବ୍‌ଜା କରିଛନ୍ତି। ୩୦ କିଲୋମିଟରରୁ ୫ କିଲୋମିଟରର ରାସ୍ତା ବି ଠିକ୍‌ ନାହିଁ ଯେଉଁଠି ସାଇକେଲ୍‌ ଚଳାଇହେବ। ସେହିଭଳି ସ୍ମାର୍ଟ ଜନପଥରେ ୭ କିଲୋମିଟରରୁ ଅଧିକ ଲମ୍ବାର ସାଇକେଲ୍‌ ଟ୍ରାକ୍‌ ରହିଛି। କିନ୍ତୁ ସ୍ମାର୍ଟ ଜନପଥର ଏବେ ବି କାମ ଚାଲିଥିବାରୁ ସେଠାରେ ନିୟମିତ ସାଇକେଲ୍‌ ଚଳାଇବା ସମ୍ଭବ ହେଉ ନାହିଁ। ଫଳରେ ଏହି ସାଇକେଲ୍‌ ପ୍ରତି ଆଗ୍ରହ କମି ଯାଇଥିବା ନିୟମିତ ସାଇକେଲ୍‌ ଚାଳକ କହିଛନ୍ତି।
ଅନ୍ୟପଟେ ଭୁବନେଶ୍ବରର ଟପୋଗ୍ରାଫି ମଧ୍ୟ ଯୋଗୁ ସାଇକେଲ୍‌ ଚାଳନା ପାଇଁ ଫିଟ୍‌ ହେଉନଥିବା କେତେକ ଇଞ୍ଜିନିୟର ଦର୍ଶାଇଛନ୍ତି। କେଉଁଠି ହଠାତ୍‌ ଉଚ୍ଚା ରହିଥିବା ବେଳେ କେଉଁଠି ହଠାତ୍‌ ଉଠାଣି ରହିଛି। ଶିଶୁଭବନରୁ ରାଜମହଲ ହେଉ ବା ରାମମନ୍ଦିରରୁ ରୁପାଲି ଛକ, ଡମଣାରୁ ପଟିଆ ହେଉ ବା ରାଜଭବନରୁ ଜୟଦେବ ବିହାର, ରାସ୍ତା ଉଚ୍ଚାନୀଚ୍ଚା ରହିଥିବାରୁ ସାଇକେଲ୍‌ ଚାଳକ ଜଣେ କମ୍‌ ସମୟରେ ଥକି ଯିବା ଆଶଙ୍କା ରହିଛି। ଏକ ନିର୍ଦ୍ଦିଷ୍ଟ ସମତଳ ଜାଗା ଚିହ୍ନଟ କରି ସାଇକେଲ୍‌ ଟ୍ରାକ୍‌ ପ୍ରସ୍ତୁତ କଲେ ଲୋକଙ୍କର ଆଗ୍ରହ ବଢ଼ିବ ବୋଲି ସେମାନେ ମତ ଦେଇଛନ୍ତି। ୨୦୧୮ ମସିହାରେ ‘ମୋ ସାଇକେଲ୍‌’ ଯୋଜନା ଆରମ୍ଭ ହୋଇଥିଲା। ସାଇକେଲ୍‌ ପିଛା ୨୫ ହଜାର ନେଇ ତିନୋଟି ସଂସ୍ଥା ୨ ହଜାର ସାଇକେଲ୍‌ ଯୋଗାଇ ଦେଇଛନ୍ତି। ସହରର ବିଭିନ୍ନ ଅଞ୍ଚଳର ୧୨୦ ଜାଗାରେ ଏହି ସବୁ ସାଇକେଲ୍‌ ରଖାଯାଇଛି। ପ୍ରଥମେ ପ୍ରଥମେ ଏହି ସାଇକେଲ୍‌ ପ୍ରତି ଆଗ୍ରହ ରହିଥିଲା। ହେଲେ ସଂସ୍ଥାମାନେ ଏହାର ଯତ୍ନ ନେଲେ ନାହିଁ। ସାଇକେଲ୍‌ ଚୋରି ହେଲେ ଟ୍ରାକ୍‌ କରାଯାଇ ଧରାଯିବ ବୋଲି କହିଥିଲେ। ହେଲେ ଏଠାରୁ ଲୋକ ଚୋରି କରିନେଇ ସମ୍ବଲପୁର, ବ୍ରହ୍ମପୁର ନେଇଗଲେ। ସାଇକେଲ୍‌କୁ ଜଳାଶୟ ଓ ଡ୍ରେନ୍‌ରେ ଫିଙ୍ଗିଦେଲେ। ହେଲେ ବର୍ଷ ବର୍ଷ ଧରି ସଂସ୍ଥା ପତ୍ତା ପାଇଲା ନାହିଁ। ୨୦୨୧ ମସିହାରେ ଏହି ଯୋଜନା ଚର୍ଚ୍ଚାକୁ ଆସିଲା ଯେତେବେଳେ ସାଇକେଲ୍‌ ଯୋଗାଇଥିବା ଏକ ସଂସ୍ଥା କର୍ତ୍ତୃପକ୍ଷଙ୍କ ଅଗୋଚରରେ ସାଇକେଲ୍‌କୁ କେଜି ହିସାବରେ କବାଡିଆକୁ ବିକିଦେଲା। ଯାହାକୁ ନେଇ ତମ୍ବି ତୋଫାନ ହେଲା। ସମ୍ପୃକ୍ତ ସଂସ୍ଥା ନୂଆ‌ ସାଇକେଲ୍‌ ଯୋଗାଇଲା। ହେଲେ ଏହି ସାଇକେଲ୍‌ ପ୍ରତି ଲୋକଙ୍କର ଏବେ ସେତେଟା ଆଗ୍ରହ ନ ଥିବା ଦେଖିବାକୁ ମିଳୁଛି।
ତେବେ ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ କମଲ୍‌ଜିତ୍‌ ଦାସ କହିଛନ୍ତି, ଲୋକଙ୍କର ଆଗ୍ରହ କମିନାହିଁ, ବରଂ ବଢ଼ିଛି। ଏବେ ଦିନକୁ ୨୫୦ରୁ ୨୭୫ ସାଇକେଲ୍‌ ବୁକିଂ ହେଉଛି। ସ୍ବତନ୍ତ୍ର ଆପ୍‌ ଜରିଆରେ ଲୋକମାନେ ବୁକିଂ କରୁଛନ୍ତି। ସାଇକେଲ୍‌ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କେବଳ ସାଇକେଲ୍‌ ଦିବସରେ ନୁହେଁ, ବରଂ ବର୍ଷର ବିଭିନ୍ନ ଦିନରେ ନିୟମିତ ସାଇକ୍ଲୋଥୋନ୍‌ ଆୟୋଜନ କରୁଛୁ। ପୂର୍ବାପେକ୍ଷା ଲୋକମାନେ ସଚେତନ ହୋଇଛନ୍ତି। ସାଇକ୍ଲୋଥୋନ୍‌ରେ କ୍ରମାଗତ ଭାବରେ ଭାଗିଦାରି ବଢ଼ିବାରେ ଲାଗିଛି। ତା ସହିତ ସାଇକେଲ୍‌ ଚାଳକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ପ୍ରତ୍ୟେକ ଦିନ ୧୦ରୁ ୨୦ ଜଣ ନୂଆ ଚାଳକ ମୋ ସାଇକେଲ୍‌ ଆପ୍‌ରେ ପଞ୍ଜୀକୃତ ହେଉଛନ୍ତି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଆର୍ଯ୍ୟସମାଜର ବିବାହ ସାର୍ଟିଫିକେଟ୍ ଜାରି କରିବାର ଅଧିକାର ନାହିଁ, ଏହା ଅଧିକାରୀଙ୍କ କାମ: ସୁପ୍ରିମକୋର୍ଟ

Fri Jun 3 , 2022
ନୂଆଦିଲ୍ଲୀ: ମ୍ୟାରେଜ ସାର୍ଟିଫିକେଟକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନୂଆ ରାୟ ଆସିଛି। ମ୍ୟାରେଜ ସାର୍ଟିଫିକେଟ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ। ଜଣେ ନାବାଳିକାଙ୍କ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରିବା ଅବସରରେ ସର୍ବୋଚ୍ଚ ଅଦାଲତ ଏହି ରାୟ ଶୁଣାଇଛନ୍ତି। ଏଥିସହିତ ମାମଲାର ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବିବି ନାଗରତ୍ନାଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର […]
ସୁପ୍ରିମକୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial