ବିଧାନସଭା ପାଇଁ ପୁଲିସ କଟକଣା : ଆର୍‌ବିଆଇ ପଛ ପାର୍ଶ୍ବ ରାସ୍ତା ଜାମ

ଆର୍‌ବିଆଇ ପଛ ପାର୍ଶ୍ବ ରାସ୍ତା ଜାମ୍‌

ଭୁବନେଶ୍ବର : ବିଧାନସଭା ଅଧିବେଶନ ପାଇଁ କମିସନରେଟ୍‌ ପୁଲିସ ସଚିବାଳୟ ମାର୍ଗରେ ଯାତାୟା‌ତ ଉପରେ କଟକଣା ଲଗାଇଛି। ଅଧିବେଶନ ଚାଲିଥିବା ସମୟରେ କେହି କେଶରୀ ଟକିଜ୍‌ ପାର୍ଶ୍ବରୁ ଜୟଦେବ ଭବନ ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ କରିପାରିବେନି। ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ରୁଟ୍‌ ସ୍ଥିର କରାଯାଇଥିବା ବେଳେ କେଶରୀ ଟକିଜ୍ ନିକଟରୁ ପିଏମ୍‌ଜି ପାର୍ଶ୍ବକୁ ଏବଂ ଆଇଜି ପାର୍କ ନିକଟରୁ କେଶରୀ ଟକିଜ୍ ପାର୍ଶ୍ବକୁ ଆସୁଥିବା ରୁଟ୍‌ରେ ଅସମ୍ଭାଳ ଭିଡ଼ ଚିନ୍ତାର କାରଣ ପାଲଟିଛି। ପୁଲିସ କମିସନର୍‌ ରାସ୍ତାର ସ୍ଥିତି ନ ଦେଖି ରୁଟ୍‌ ଡାଇଭର୍ଟ କରିଦେବାର ଫଳ ରାଜଧାନୀବାସୀ ଭୋଗିଛନ୍ତି। ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଅଣଓସାରିଆ ରାସ୍ତାରେ ଶହଶହ ଗାଡ଼ି ଯାତାୟାତ କରିବାରୁ ‌ପୂରା ରାସ୍ତା ଜାମ୍‌ ହୋଇଯାଇଥିଲା। ଏପରିକି କିଛି ଗାଡ଼ି ଭିଡ଼ରୁ ମୁକୁଳିବା ପାଇଁ ବାଁ ଡାହାଣ ବୁଲାଇବାରୁ ଅନ୍ୟ ଗାଡ଼ିରେ ମାଡ଼ ହୋଇଥିଲା। ଫଳରେ କିଛି ସମୟ ପାଇଁ ଏହି ରାସ୍ତାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଜରୁରୀ କାର୍ଯ୍ୟରେ ଆସୁଥିବା ଲୋକଙ୍କୁ ଏହି ଅଧ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧୫ରୁ ୨୦ ମିନିଟ୍‌ ଲାଗିଥିଲା। ଏହି ରାସ୍ତାରେ ୨୦ରୁ ଅଧିକ ଉଠାଦୋକାନ ଥିବା ବେଳେ ରାସ୍ତା ଉପରେ ‌ମ୍ୟାନହୋଲ୍‌ ଚାମ୍ବର ଅଛି। ଏହି ରାସ୍ତାକୁ ୫ଟି ଗଳି ସଂଯୋଗ କରୁଛି। କମିସନରେଟ୍ ପୁଲିସ୍‌ ଏହି ସବୁ ଦିଗକୁ ଧ୍ୟାନ ନଦେଇ ନିଷ୍ପତ୍ତି ନେଇଯିବାରୁ ସ୍ଥିତି ଅସମ୍ଭାଳ ହୋଇଥିଲା। ବିଧାନସଭା ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଆଗକୁ ଯେ ସ୍ଥିତି ଅଣାୟତ୍ତ ହେବ, ତାହା ଜଳଜଳ ଦିଶିଲାଣି। ସୂଚନାଯୋଗ୍ୟ ଯେ ବିଧାନସଭା ବଜେଟ୍‌ ଅଧିବେଶନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଆଜି କେଶରୀ ଟକିଜ୍‌ ନିକଟ, ଜୟଦେବ ଭବନ, ଲୋୟର ପିଏମ୍‌ଜି, ୧୨୦ ବାଟାଲିୟନ୍‌ ନିକଟରେ ବ୍ୟାରିକେଡ୍ କରି ବିଭିନ୍ନ ଗାଡ଼ି ଚାଳକଙ୍କୁ ଭିନ୍ନ ଭିନ୍ନ ରୁଟ୍‌ରେ ଛଡ଼ାଯାଇଥିଲା।

Share Now:

Kalinga News Beuro

Next Post

ଆସନ୍ତା ୨୬ ତାରିଖରେ ଭାରତବନ୍ଦ ଡାକରା ଦେଲା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ

Fri Feb 19 , 2021
ଭୁବନେଶ୍ବର: ଗୋଳମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତବନ୍ଦ ଡାକରା ଦେଇଛି। ସିଏଆଇଟି ସୂଚନା ଦେଇଛି କି ଏହି ଭାରତବନ୍ଦକୁ ଦେଶର ୪୦ ହଜାରରୁ ଅଧିକ ବ୍ୟାବସାୟିକ ସଂସ୍ଥା ସମର୍ଥନ ଜଣାଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି କି ସମଗ୍ର ଦେଶରେ ଥିବା ସିଏଆଇଟିର ପ୍ରତିନିଧିମାନେ ଭାରତବନ୍ଦକୁ ସଫଳ କରିବାକୁ ସୂଚୀ […]
୨୬ ତାରିଖରେ ଭାରତବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial