ବୁଢ଼ାବଳଙ୍ଗରେ ଆସିପାରେ ବନ୍ୟା

ବୁଢ଼ାବଳଙ୍ଗରେ ଆସିପାରେ ବନ୍ୟା

ଭୁବନେଶ୍ବର : ବାତ୍ୟା ‘ୟାସ୍‌’ ଆଜି ଓଡ଼ିଶା ଛା଼ଡ଼ିବ। ହେଲେ ଏହା ପୂର୍ବରୁ ମୟୂରଭଞ୍ଜରେ ପ୍ରତି ଘଣ୍ଟାରେ ୬୦ କିଲୋମିଟର ବେଗରେ ପବନ ଓ କିଛି ଅଞ୍ଚଳରେ ବର୍ଷା ଲାଗି ରହିଥିଲା। ଭାରତର ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘ୟାସ୍‌’ ଇତିମଧ୍ୟରେ ଦୁର୍ବଳ ହୋଇ ବାତ୍ୟା ରୂପକୁ ଓହ୍ଲାଇ ଆସିଛି। ଘଣ୍ଟାପ୍ରତି ୬୦ କିଲୋମିଟର ପାଖାପାଖି ପବନର ବେଗ ରହିଥିଲା। ଏହା ମଧ୍ୟରାତ୍ରିରେ ଆହୁରି ଦୁର୍ବଳ ହୋଇଯିବ ଓ ଗୁରୁବାର ସକାଳେ ଝାଡ଼ଖଣ୍ଡରେ ପହଞ୍ଚିବ। ଏହାସତ୍ତ୍ବେ ଆଇଏମ୍‌ଡି ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି। କେବଳ ସେତିକି ନୁହେଁ, ଆଜି ସକାଳ ସୁଦ୍ଧା ଅନୁଗୁଳ, ଦେବଗଡ, ସୁନ୍ଦରଗଡ ଏବଂ ସମ୍ବଲପୁରର କିଛି ଅଞ୍ଚଳରେ ଅତି ଭୀଷଣ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଦିନତମାମ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ବନ୍ୟା ବିପଦ ଆଶଙ୍କା ବଢ଼ିଯାଇଛି। ଖୁବ୍‌ ଶୀଘ୍ର ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି। ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଅତି ଭୀଷଣ ବାତ୍ୟା ପ୍ରଭାବରେ ମୟୁରଭଞ୍ଜ ସ୍ଥିତି ଗମ୍ଭୀର ହୋଇଗଲାଣି। ଶିମିଳିପାଳ ଅଞ୍ଚଳରେ ଗତକାଲି ଠାରୁ ଭୀଷଣ ବର୍ଷା ହୋଇଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ବାରିପଦାରେ ଫ୍ଲାସ୍ ଫ୍ଲଡ୍ ଆଶଙ୍କା କରୁଛନ୍ତି। ୨୦୧୩ରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଣୁ ପରିସ୍ଥିତିକୁ ଦେଖି ବାରିପଦା ସହରରେ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଏବେ ସୁଦ୍ଧା ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି। ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ଏବଂ ଜଳଭଣ୍ଡାରକୁ ନିୟନ୍ତ୍ରଣ କରାଯାଉଛି। ଯେଭଳି ଫ୍ଲାସ୍ ଫ୍ଲଡ୍ ସ୍ଥିତି ହେବ ନାହିଁ, ସେ ନେଇ ଉଦ୍ୟମ ଜାରି ରହିଛି।
ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି, ଅଧିକାରୀମାନେ ଉଭୟ ଜଳଭଣ୍ଡାର ଏବଂ ନଦୀକୁ ଜଗି ରହିଛନ୍ତି। ୧୮୬ମିମି ବର୍ଷା ହୋଇଛି ଓ ଗୋଟିଏ ଗୋଟିଏ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ତଳମୁଣ୍ଡରେ ସ୍ଥିତି ଗମ୍ଭୀର ଥିବାରୁ କେଉଁଠି କେତେ ଅଧିକ ସମୟ ଜଳ ଅଟକାଯାଇପାରିବ, ସେ ନେଇ ଉଦ୍ୟମ କରାଯାଉଛି। ଏହା ସତ୍ତ୍ବେ ମଧ୍ୟମ ଧରଣର ବନ୍ୟା ବୁଢାବଳଙ୍ଗରେ ଆସିପାରେ ବୋଲିି ଶ୍ରୀ ରଥ ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶ ଥାଉକି, ବୁଢାବଳଙ୍ଗର ବିପଦ ସଙ୍କେତ ୩୦.୯୨ ମିଟର ଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ ଜଳସ୍ତର ବଢି ୨୩.୨୦ ମିଟରରେ ପହଞ୍ଚିଛି।

Share Now:

Kalinga News Beuro

Next Post

ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ୍, ମାନସିକ ସ୍ବାସ୍ଥ୍ୟ ହଷ୍ଟେଲ ପାଇଁ ଜାରି ହେଲା ଏସ୍‌ଓପି

Thu May 27 , 2021
ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନଜରରେ ରଖି ରାଜ୍ୟରେ ଥିବା ମାନସିକ ସ୍ବାସ୍ଥ୍ୟ ହଷ୍ଟେଲ, ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ ଓ ଶିଶୁ ସ୍ବାସ୍ଥ୍ୟ ଯତ୍ନ କେନ୍ଦ୍ରଗୁଡ଼ିକ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏସ୍‌ଓପି ଜାରି ହୋଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସବୁ ଜିଲ୍ଲାପାଳ, ନଗର ନିଗମ, ସିଡିଏମ୍‌ଓ ଓ ଏସ୍‌ସିବି ଏମଏଚ୍‌ଆଇର ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ହଷ୍ଟେଲ/କେନ୍ଦ୍ର […]
ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ୍ ପାଇଁ ଜାରି ହେଲା ଏସ୍‌ଓପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial